ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଯୌତୁକ ମାମଲାରେ ମନମୁଖି ଗିରଫ ମନା, ପୁଲିସ୍‌ ଉପରେ ଲାଗିଲା ଅଙ୍କୁଶ: ହାଇକୋର୍ଟ ଜାରି କଲେ ବିଜ୍ଞପ୍ତି

କଟକ,୦୯/୦୯: ଭାରତୀୟ ପିଙ୍ଗଳ କୋଡ୍‌ ବା ଆଇପିସି ଦଫା ୪୯୮(ଏ)(ମହିଳାଙ୍କୁ ନିର୍ଯାତନା) ବା ଯୌତୁକ ନିରୋଧ ଆଇନର ଧାରା ୪ରେ ପୁଲିସ୍‌ ମନମୁଖି ଭାବେ କାହାକୁ ଗିରଫ କରିପାରିବ ନାହିଁ । ଗିରଫଦାରୀ ପୂର୍ବରୁ ଅଭିଯୋଗର ସତ୍ୟାସତ୍ୟ ଓ ମାମଲାର ସ୍ଥିତି ଯାଞ୍ଚ୍‌ କରିବେ ତଦନ୍ତକାରୀ ଅଧିକାରୀ । ସେହିପରି ମାଜିଷ୍ଟ୍ରେଟ୍‌ ମଧ୍ୟ ଏଭଳି ଗିରଫଦାରୀକୁ ହାଲୁକା ଢଙ୍ଗରେ ନେଇ ଏଥିପାଇଁ ସ୍ୱୀକୃତି ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆଜି ନିର୍ଦ୍ଦେଶନାମା ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଯୌତୁକ ସଂକ୍ରାନ୍ତ ଯେ କୌଣସି ଅଭିଯୋଗ ଥାନାକୁ ଆସିଲେ ଏହାର ସତ୍ୟାସତ୍ୟ ଯାଞ୍ଚ ନକରି ଅନେକ ସମୟରେ ପୁଲିସ୍‌ ଅଧିକାରୀ ତୁରନ୍ତ ସ୍ୱାମୀଙ୍କ ସମେତ ଶାଶୂଘରର ଲୋକଙ୍କୁ ଗିରଫ କରନ୍ତି । କେତେକ କ୍ଷେତ୍ରରେ ଯୌତୁକଜନିତ ନିର୍ଯାତନା ଅଭିଯୋଗ ମିଛ କିମ୍ବା ପ୍ରତିଶୋଧମୂଳକ ବି ହୋଇଥାଏ । ଏଭଳି ସ୍ଥିତିରେ ବିନା କାରଣରେ ଅନେକ ଲୋକ ଜେଲ୍‌ରେ ରହିବାକୁ ପଡ଼େ । ସେମାନଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହୁଏ । କିଛି ଲୋକେ ଏହି ଆଇନର ଫାଇଦା ଉଠାଇଥିବାର ମଧ୍ୟ ନଜିର ରହିଛି । ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌କୋର୍ଟ ଯୌତୁକ ସଂକ୍ରାନ୍ତ ମାମଲା ଆସିଲେ ତାର ତଦନ୍ତ ବିଧି ନେଇ ଏକ  ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ଗାଇଡ୍‌ଲାଇନ୍‌କୁ ପ୍ରତ୍ୟେକ  ଜିଲ୍ଲା ଏସ୍‌ପି ଯେପରି ଠିକ୍‌ ଭାବେ ପାଳନ କରିବେ ସେଥିପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । 

ବିଜ୍ଞପ୍ତିରେ ଦର୍ଶାଯାଇଛି କି, ଆଇପିସିର ୪୯୮(ଏ)ରେ ଯଦି କୌଣସି ଅଭିଯୋଗ ଆସେ ପୁଲିସ୍‌ ଏଥିରେ ତୁରନ୍ତ କାହାରିକୁ ଗିରଫ କରିବ ନାହିଁ । ଯଦି ବି’ ଗିରଫ କରିବାକୁ ପୁଲିସ୍‌ ପଦକ୍ଷେପ ନିଏ ତାହେଲେ ଏହା ପୂର୍ବରୁ ସିଆର୍‌ପିସି ୪୧(ଏକ)(ବି)(ଆଇଆଇ)ର ସବ୍‌କ୍ଲଜ୍‌ ଆଧାରରେ ଏକ ଫର୍ମ ପୂରଣ କରିବ । ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ଫରୱାର୍ଡ କରିବା ପୂର୍ବରୁ ଏଥିରେ ଗିରଫର କାରଣ, ଗିରଫ ପାଇଁ ଯେଉଁ ତଥ୍ୟର ଆବଶ୍ୟକତା ରହିଛି ସେସବୁ ସଂକ୍ରାନ୍ତରେ ଉଲ୍ଲେଖ କରିବେ । ମାଜିଷ୍ଟ୍ରେଟ୍‌ ଯେତେବେଳେ ପୁଲିସ୍‌ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ଅଟକ ରଖିବା ଲାଗି ନିର୍ଦ୍ଦେଶ ଦେବେ ସେତେବେଳେ ସେ ଅଭିଯୋଗର ସତ୍ୟତା ଓ କାର୍ଯ୍ୟାନୁଷ୍ଠାନ ନେଇ ନିଜେ ସନ୍ତୁଷ୍ଟ ହେବା ଆବଶ୍ୟକ । ଅନ୍ୟପକ୍ଷରେ ଅଭିଯୁକ୍ତକୁ ଯଦି ଗିରଫ କରାନଯିବ ତେବେ ମଧ୍ୟ ଏହି ନିଷ୍ପତ୍ତି ସଂକ୍ରାନ୍ତରେ ମାଜିଷ୍ଟ୍ରେଟ୍‌ଙ୍କୁ ଅବଗତ କରାଯିବ । ଏଥିସହ ସମ୍ପୃକ୍ତ ଏସ୍‌ପିଙ୍କୁ ମଧ୍ୟ ଜଣାଇ ଦିଆଯିବ । ଏହାର କାରଣ ସଂକ୍ରାନ୍ତରେ ଲିଖିତ ଭାବେ ରେକର୍ଡିଂ କରାଯାଇ ରଖାଯିବ । କିନ୍ତୁ ଯୌତୁକ ନିର୍ଯାତନା ସଂକ୍ରାନ୍ତ ମାମଲା ରୁଜୁ ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରତିପକ୍ଷଙ୍କୁ ଥାନାରେ ହାଜର ହେବା ଲାଗି ନୋଟିସ୍‌ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

କୌଣସି ପୁଲିସ୍‌ ଅଧିକାରୀ ଯଦି ଏହି ନିର୍ଦ୍ଦେଶନାମାର ଉଲ୍ଲଂଘନ କରନ୍ତି ବା ଯୌତୁକ ନିର୍ଯର୍ାତନା ଆଇନ ଆଧାରରେ କାହାରିକୁ ମନମୁଖି ଗିରଫ କରନ୍ତି ତାହେଲେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ, ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଅଦାଲତ ଅବମାନନାରେ ମାମଲା ରୁଜୁ କରାଯାଇ ପାରିବ । ଏପରିକି ଯଦି ମାଜିଷ୍ଟ୍ରେଟ୍‌ ବିନା କୌଣସି କାରଣ ଦର୍ଶାଇ ଅଭିଯୁକ୍ତଙ୍କୁ ଅଟକ ରଖିବା ଲାଗି ନିର୍ଦ୍ଦେଶ ଦେଇଥାନ୍ତି ତାଙ୍କ ବିରୋଧରେ ମଧ୍ୟ ଓଡ଼ିଶା ହାଇକୋର୍ଟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେବେ ଏହି ଆଦେଶ କେବଳ ଆଇପିସିର ୪୯୮(ଏ) କିମ୍ବା ଯୌତୁକ ନିର୍ଯାତନା ନିରୋଧ ଆଇନ କ୍ଷେତ୍ରରେ ଲାଗୁ ହେବ ନାହିଁ ପରନ୍ତୁ ଏହି ଆଦେଶ ୭ବର୍ଷରୁ କମ୍‌ ଦଣ୍ଡଥିବା ସମସ୍ତ ଫୌଜଦାରୀ ମାମଲାରେ ଲାଗୁ ହେବ ବୋଲି ହାଇକୋର୍ଟ ତାଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶକୁ ରାଜ୍ୟର ସମସ୍ତ ଫୌଜଦାରୀ କୋର୍ଟଙ୍କୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.