ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଜଳବାୟୁ ପରିବର୍ତ୍ତନର ଭୟାବହତା, ଧ୍ୱଂସ ପାଇଥିଲେ ୯୯% ପୂର୍ବଜ

ଭୁବନେଶ୍ଵର, ୦୬/୦୯ : ଲକ୍ଷାଧିକ ବର୍ଷ ତଳେ ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ମାନବ ପ୍ରଜାତି ଧ୍ୱଂସ ପାଇଥିଲେ । ଏକ ଅନ୍ତର୍ଜାତୀୟ ଅଧ୍ୟୟନ ସେହି ନାଟକୀୟ ଜନସଂଖ୍ୟା ସଙ୍କଟର ଖୁଲାସା କରିଛି, ଯାହା ୧୦ ଲକ୍ଷରୁ କମ୍‌ ବର୍ଷ ତଳେ ଲୋଅର୍‌ ପ୍ଲିଷ୍ଟୋସିନ୍‌ କାଳ ଶେଷରେ ଘଟିଥିଲା । ରୋମ୍‌ର ସାପିନ୍‌ଜା ବିଶ୍ୱବିଦ୍ୟାଳୟ ଓ ଫ୍ଲୋରେନ୍ସ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ଏହି ଅଧ୍ୟୟନରେ ସାମିଲ ଥିଲେ । ଏହି ଜନସଂଖ୍ୟା ସଙ୍କଟ ସହିତ ସେ ସମୟରେ ଗମ୍ଭୀର ଜଳବାୟୁ ପରିବର୍ତ୍ତନର ସମ୍ପର୍କ ଥିଲା ବୋଲି ଅଧ୍ୟୟନ ତଥ୍ୟ ପ୍ରଦାନ କରିଛି । ସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ୫୦ ଭିନ୍ନ ଭିନ୍ନ ପ୍ରଜାତିର ଜନସଂଖ୍ୟାର ୩,୧୫୪ ଜଣଙ୍କର ପୂର୍ଣ୍ଣ ଜିନୋମ୍‌ ପରୀକ୍ଷା ଲାଗି ଫିଟ୍‌କୋଲ ନାମକ ଏକ ଅଭିନବ ବାୟୋଇନ୍‌ଫରମେଟିକ୍ସ ପଦ୍ଧତି ପ୍ରୟୋଗ କରାଯାଇଥିଲା । ବର୍ତ୍ତମାନର ମାନବ ପ୍ରଜାତି ହୋମୋ ସାପେନ୍‌ଙ୍କ ଉତ୍ପତ୍ତି ପୂର୍ବରୁ ପ୍ରଗୈତିହାସିକ କାଳ ଉପରେ ଆଲୋକପାତ କରିବା ଲାଗି ଏହି ତଥ୍ୟଗୁଡ଼ିକୁ ପାଲେଓଏନ୍‌ଭିରନ୍‌ମେଣ୍ଟାଲ (ଜଳବାୟୁ) ଓ ପାଲେଓଆନ୍ଥ୍ରୋପୋଲୋଜିକାଲ (ଜୀବାଶ୍ମ) ତଥ୍ୟ ସହ ଯୋଡ଼ାଯାଇଥିଲା । 

ତଥ୍ୟରୁ ଜଣାପଡ଼ିଲା, ୯,୩୦,୦୦୦ ଓ ୮,୧୩,୦୦୦ ବର୍ଷ ମଧ୍ୟରେ ଆମ ପୂର୍ବପୁରୁଷଙ୍କ ସଂଖ୍ୟା ହାରାହାରି ୯୮.୭ ପ୍ରତିଶତ ହ୍ରାସ ପାଇଥିଲା । କେବଳ ୧,୩୦୦ ପ୍ରଜନନକ୍ଷମ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା । ଏହି ସଂଖ୍ୟାକୁ ବର୍ତ୍ତମାନ ବିଲୁପ୍ତିର ଦ୍ୱାରଦେଶରେ ଥିବା ପାଣ୍ଡା ପ୍ରଜାତିଙ୍କ ସହ ତୁଳନା କରାଯାଇପାରେ । ବଂଶାନୁକ୍ରମିକ ବାଧା ରୂପେ ପରିଚିତ ଏହି ଘଟଣା ସମ୍ଭବତଃ ଚରମ ଜଳବାୟୁ ପରିବର୍ତ୍ତନ ଯୋଗୁ ତଥାକଥିତ ‘ମିଡିଲ-ପ୍ଲିଷ୍ଟୋସିନ୍‌ ଟ୍ରାଞ୍ଜିସନ୍‌’ କାଳରେ ଘଟିଥିଲା । ଏହି ପ୍ରତିକୂଳ ପରିସ୍ଥିତି ଯୋଗୁ ଆଫ୍ରିକାରେ ଚରମ ଶୁଷ୍କତା ଉତ୍ପନ୍ନ ହୋଇଥିଲା ଏବଂ ବିଶାଳ ସ୍ତନ୍ୟପାୟୀମାନଙ୍କର ସମୁଦାୟ ଲୋପ ପାଇଗଲା । ଫଳରେ ଆମ ପୂର୍ବପୁରୁଷଙ୍କ ତିଷ୍ଠିବା ଅତ୍ୟନ୍ତ ଜଟିଳ ହେବା ପରେ ସେମାନଙ୍କୁ ବିଲୁପ୍ତିର ଦେଶକୁ ଆଣିଲା । ତେବେ, ଏହି ବିନାଶକାରୀ ଘଟଣା ବୋଧହୁଏ ହୋମୋ ସାପେନ୍‌ଙ୍କ ପୂର୍ବପୁରୁଷ ହୋମୋ ହିଡେଲବରଜେନସିସ୍‌ଙ୍କ ଅଭ୍ୟୁଦୟରେ ସହାୟକ ହୋଇଥିଲା । ଏହି ଜିନ୍‌ଗତ ଫଳାଫଳ ସେ କାଳର ମାନବ ଜୀବାଶ୍ମଗୁଡ଼ିକର ଅନୁପସ୍ଥିତି ଦ୍ୱାରା ସମର୍ଥିତ । ଅଧ୍ୟୟନ ଖୁଲାସା କରିଛି, ଜନସାଂଖ୍ୟିକ ପତନର ସମୟ ସହିତ ପ୍ରାୟ ୩ ଲକ୍ଷ ବର୍ଷର ବ୍ୟବଧାନ ହାରାହାରି ସମ୍ପୂର୍ଣ୍ଣ ରୂପେ ମେଳ ଖାଉଛି । ପ୍ରାୟ ୧୦ ଲକ୍ଷ ବର୍ଷ ତଳେ, ନୃଜୀବାଶ୍ମବିଜ୍ଞାନ ସମ୍ବନ୍ଧୀୟ ପର୍ଯ୍ୟାପ୍ତ ପ୍ରମାଣ ରହିଛି । କିନ୍ତୁ ପ୍ରାୟ ୯୫୦,୦୦୦ ବର୍ଷ ତଳେ, ସମଗ୍ର ଆଫ୍ରିକୀୟ ମହାଦେଶ ଓ ୟୁରାସିଆରୁ ସେମାନେ ହାରାହାରି ଉଭାନ୍‌ ହୋଇଗଲେ । 

୬୫୦,୦୦୦ ବର୍ଷ ତଳେ ଦେଖାଗଲେ, ଯେଉଁମାନେ ସାଧାରଣତଃ ହୋମୋ ହିଡେଲବର୍‌ଜେନସିସ୍‌ ମାନବ ପ୍ରଜାତି ଥିଲେ । ସାପିନ୍‌ଜା ବିଶ୍ୱବିଦ୍ୟାଳୟର ଜିଓର୍‌ଜିଓ ମାନ୍‌ଜି ବର୍ଣ୍ଣନା କରିଛନ୍ତି, ଜନସାଂଖ୍ୟିକ ସଙ୍କଟର ଏହି କାଳ ମାନବ ବିକାଶରେ ମୂଳ ଭୂମିକା ନିର୍ବାହ କରିଥାଇପାରେ । ଜିନ୍‌ଗତ ବାଧା ସମୟରେ ସାଧାରଣ ପରିବେଶଗତ ଓ ଆନୁବଂଶିକ ସନ୍ତୁଳନ ବିଗିଡ଼ିଥାଏ । ଅପ୍ରତ୍ୟାଶିତ ଜିନ୍‌ଗତ ପ୍ରକାରଗୁଡ଼ିକର ସୃଷ୍ଟିର ସମ୍ଭାବନା ବଢ଼ିଥାଏ, ଯାହା ନୂଆ ପ୍ରଜାତିଙ୍କର ଅଭ୍ୟୁଦୟରେ ସହାୟକ ହୋଇଥାଏ । ଫ୍ଲୋରେନ୍ସ ବିଶ୍ୱବିଦ୍ୟାଳୟର ଫାବିଓ ଡି ଭିନ୍‌ସେନ୍‌ଜୋ କହିଛନ୍ତି, ଏହି ନୂଆ ପ୍ରଜାତି ସମ୍ଭବତଃ ହୋମୋ ହିଡେଲବର୍‌ଜେନସିସ୍‌, ଯାହାକୁ ଆଫ୍ରିକାରୁ ୟୁରାସିଆକୁ ବ୍ୟାପିଥିବା ଶେଷ ସାଧାରଣ ପୂର୍ବପୁରୁଷ ରୂପେ ବିବେଚନା କରାଯାଇପାରେ । ଏହି ପ୍ରଜାତି ୩ ଭିନ୍ନ ପ୍ରଜାତି: ଆଫ୍ରିକାରେ ହୋମୋ ସାପେନ୍‌, ୟୁରୋପରେ ନିଏଣ୍ଡରଥାଲ ଓ ଏସିଆରେ ଡେନିସୋଭାନ୍‌ଙ୍କ ବିକାଶରେ ସହାୟକ ହୋଇଥିଲା ।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.