ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଗା ଏବଂ ଆପାର୍ଟମେଣ୍ଟ୍‌ ମୂଲ୍ୟର ୭% ଦେବାକୁ ପଡ଼ିବ ଷ୍ଟାମ୍ପ ଡ୍ୟୁଟ; ସର୍ବସାଧାରଣ ସ୍ଥାନ ପାଇଁ ଷ୍ଟାମ୍ପ ଡ୍ୟୁଟି ଦେବ କିଏ ?

କଟକ,୧୧/୦୬: ଫ୍ଲାଟ୍‌ ପଞ୍ଜୀକରଣ ବିବାଦ ତୁଟିବାର ନାଁ ଧରୁନାହିଁ । ପ୍ରଥମେ ଆପାର୍ଟମେଣ୍ଟ ସର୍ବସାଧାରଣ ଜମି ଆପାର୍ଟମେଣ୍ଟ୍‌  ଓନର୍ସ ଆସୋସିଏସନ୍‌ ନାମରେ କରିବା ନେଇ ବିବାଦ ହେଲା । ଅଦାଲତଙ୍କ ହସ୍ତକ୍ଷେପ ପରେ ଏହି  ବିବାଦ ତୁଟିଲା । ଏବେ ଏହି ସର୍ବସାଧାରଣ ଜାଗା ବାବଦ ଷ୍ଟାମ୍ପ ଡ୍ୟୁଟି ପୈଠ ନେଇ ସାନି ବିବାଦ ମୁଣ୍ଡ ଟେକିଛି । ଯଦି ଆପାର୍ଟମେଣ୍ଟରେ ଫାଙ୍କା ପଡ଼ିଥିବା ସର୍ବସାଧାରଣ ଜମି ଆସୋସିଏସନ୍‌ ନାମରେ କରାଯାଏ ତାହେଲେ ଏଥିପାଇଁ ଯେଉଁ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିବ ତାହାକୁ କିଏ ଦେବ ସେ ନେଇ  ଅଡୁଆ ତୁଟୁନାହିଁ । ଓନର୍ସ ଆସୋସିଏସନ୍‌ ଷ୍ଟାମ୍ପ ଡ୍ୟୁଟି ବାବଦ ବିପୁଳ ଅର୍ଥ ଦେବାକୁ ପ୍ରସ୍ତୁତ ନଥିବାବେଳେ ଆପାର୍ଟମେଣ୍ଟ ନିର୍ମାଣକାରୀ ସଂସ୍ଥା ମଧ୍ୟ ଏହି ଅର୍ଥ ଦେବାକୁ ଚାହୁଁନାହିଁ । ଫଳରେ ଫ୍ଲାଟ୍‌ ପଞ୍ଜୀକରଣ ନେଇ ପୁଣି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । 

ପୂର୍ବରୁ ଆପାର୍ଟମେଣ୍ଟର ସର୍ବସାଧାରଣ  ଜାଗାକୁ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ୍‌  ନାମରେ କରାଯାଉନଥିଲା । ଏହି ଜମିର  ମାଲିକାନା ଆପାର୍ଟମେଣ୍ଟ ନିର୍ମାଣକାରୀ ବିଲ୍‌ଡର  ସଂସ୍ଥା ନିଜ ମାଲିକାନାରେ ରଖୁଥିଲା । ଏନେଇ  ମାମଲା ଆସି ହାଇକୋର୍ଟରେ ପହଞ୍ଚିଲା । ହାଇକୋର୍ଟ  ଏହି ମାମଲାର ଶୁଣାଣି କରି ଯେ ପର୍ଯ୍ୟନ୍ତ  କୌଣସି ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗାକୁ  ଆସୋସିଏସନ୍‌ ନାମରେ କରାନଯାଇଛି ସେପର୍ଯ୍ୟନ୍ତ  କୌଣସି ଫ୍ଲାଟ୍‌ର ପଞ୍ଜୀକରଣ ହେବନାହିଁ ବୋଲି  ଆଦେଶ ଦେଇଥିଲେ । ଏହାଦ୍ୱାରା ରାଜ୍ୟରେ  ଫ୍ଲାଟ୍‌ର ସେଲ୍‌ଡିଡ୍‌ ବା ପଞ୍ଜୀକରଣ ହୋଇପାରିଲା  ନାହିଁ । ଏହାକୁ ବିରୋଧ କରି ରାଜ୍ୟ ସରକାର  ସୁପ୍ରିମ୍‌କୋର୍ଟରେ ମାମଲା ଦାଏର କଲେ ।  ସୁପ୍ରିମ୍‌କୋର୍ଟ ମାମଲାର ଶୁଣାଣି କରି ରାଜ୍ୟ  ସରକାରଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।  ଫ୍ଲାଟ୍‌ ପଞ୍ଜୀକରଣ ପୂର୍ବରୁ ଏହାର ସର୍ବସାଧାରଣ  ଜାଗାକୁ ଓନର୍ସ ଆସୋସିଏସନ୍‌ ନାଁରେ କରିବା  ହାଇକୋର୍ଟ ଦେଇଥିବା ଆଦେଶ କାଏମ୍‌ ରହିଥିଲା ।  

ସର୍ବୋଚ୍ଚ ଅଦାଲତଙ୍କ ଏହି ଆଦେଶ ପରେ  ରାଜ୍ୟରେ ଫ୍ଲାଟ୍‌ ପଞ୍ଜୀକରଣ ପାଇଁ ବାଟ ଫିଟିଥିଲା ।  ଅଦାଲତଙ୍କ ଆଦେଶ ପରେ ରାଜ୍ୟରେ ପ୍ରାୟ  ୬/୭ଟି ଫ୍ଲାଟ୍‌ ଇତିମଧ୍ୟରେ ପଞ୍ଜୀକରଣ ହୋଇଛି ।  ଆହୁରି ପ୍ରାୟ ଶହେଟି ଫ୍ଲାଟ୍‌ ପଞ୍ଜୀକରଣ ପାଇଁ  ଆବେଦନ ବିଚାରାଧୀନ ରହିଛି। ଏତିକିବେଳେ  ଆଉ ଏକ ବିବାଦ ମୁଣ୍ଡ ଟେକିଛି । ନିୟମ ଅନୁଯାୟୀ,  କୌଣସି ଆପାର୍ଟମେଣ୍ଟର ଫ୍ଲାଟ୍‌ ପଞ୍ଜୀକରଣ ହେବା  ସଙ୍ଗେସଙ୍ଗେ ଏହାର ଓନର୍ସ ଆସୋସିଏସନ୍‌  ଗଠନ ହେବ । ଉକ୍ତ ଆସୋସିଏସନ୍‌ ନାମରେ  ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗାକୁ ରେଜେଷ୍ଟ୍ରି  କରାଯିବ । ରେଜିଷ୍ଟ୍ରିର ନିୟମ ଅନୁସାରେ ଏଥିପାଇଁ  ସମ୍ପୃକ୍ତ ସଂସ୍ଥାକୁ ମୋଟ୍‌ ଜମି ଏବଂ ଉକ୍ତ ଜମି ଉପରେ  ଗଢ଼ି ଉଠିଥିବା ଆପାର୍ଟମେଣ୍ଟର ମୋଟ୍‌ ମୂଲ୍ୟକୁ  ମିଶାଇ ତାହାର ୭% ଷ୍ଟାମ୍ପ ଡ୍ୟୁଟି ଆକାରରେ  ସରକାରଙ୍କୁ ଦେବାକୁ ପଡ଼ିବ । ଏତେ ବିପୁଳ  ପରିମାଣର ଅର୍ଥ କୌଣସି ଆସୋସିଏସନ୍‌ ପକ୍ଷେ  ଦେବା ସମ୍ଭବପର ନୁହେଁ । ଫଳରେ ଆସୋସିଏସନ୍‌  ଗଠନ ହୋଇଯାଇଥିଲେ ମଧ୍ୟ ଏହି ଷ୍ଟାମ୍ପ ଡ୍ୟୁଟି ପାଇଁ  ଫ୍ଲାଟ୍‌ ପଞ୍ଜୀକରଣରେ ସମସ୍ୟା ଦେଖାଦେଇଛି ।  

ଏ ସଂକ୍ରାନ୍ତରେ ଆଇନଜୀବୀ ମୋହିତ୍‌  ଅଗ୍ରୱାଲ କହିଛନ୍ତି ଯେ, ୭ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି  ଅର୍ଥ ଆସୋସିଏସନ୍‌ ପକ୍ଷେ ଦେବା ସମ୍ଭବ ନୁହେଁ । ତେଣୁ ୭ ପ୍ରତିଶତ ବଦଳରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ପରିମାଣ ଧାର୍ଯ୍ୟ କଲେ ଫ୍ଲାଟ୍‌ ପଞ୍ଜୀକରଣ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । ନଚେତ୍‌ ଏହି ବିବାଦ ପୁଣି ଲାଗିରହିବ । ଫଳରେ ରାଜ୍ୟରେ ଫ୍ଲାଟ୍‌ ପଞ୍ଜୀକରଣ ବିନା କେବଳ ସାଧାରଣ ଲୋକଙ୍କୁ ନୁହେଁ ରାଜ୍ୟ ସରକାରଙ୍କୁ ମଧ୍ୟ ବିପୁଳ ପରିମାରଣ କ୍ଷତି ସହିବାକୁ ପଡ଼ିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.