ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ବନ୍ଧୁ ଦେଲା ଧୋକା; ବଦଳିଗଲା ପରିଚୟ, କର୍ପୋରେଟ୍‌ ୱାର୍କରରୁ ଫୁଟ୍‌ପାଥ୍‌ ଦୋକାନୀ

Published By : Prameya | July 27, 2024 6:11 PM

କଟକ, ୨୭।୭: କୁହାଯାଏ ଜଣେ ଭଲ ବନ୍ଧୁର ସହଯୋଗ ମିଳିଲେ ଯେକେହି ସଫଳତାର ଶିଖର ଛୁଇଁପାରେ । ଏହାର ଉଦାହରଣ ଖୋଜିଲେ ହଜାର ହଜାର ମିଳିବ । କିନ୍ତୁ ବନ୍ଧୁ ଯେ ବଇରି ସାଜେ ଏବଂ ସଫଳତାର ଶିଖରରୁ ବନ୍ଧୁକୁ ଗୋଡ଼ ଧରି ତଳକୁ ଟାଣିଆଣେ, ତଳିତଳାନ୍ତ କରିଦିଏ, ତାର ଏକ ଜ୍ୱଳନ୍ତ ଉଦାହରଣ ହେଲେ ରାକେଶ ସିଂ । ଦିନେ କର୍ପୋରେଟ୍‌ ସେକ୍ଟର୍‌ରେ କାମ କରୁଥିବା ରାକେଶ ଜଣେ ବନ୍ଧୁଙ୍କ ଧୋକା ଓ ଠକେଇର ଶିକାର ହୋଇ ଆଜି ରାସ୍ତାକୁ ଆସିଯାଇଛନ୍ତି । ବଦଳି ଯାଇଛି ତାଙ୍କ ପରିଚୟ । ସଫ୍‌ଓୱେର୍‌ ପ୍ରଫେସନାଲରୁ ପାଲଟି ଯାଇଛନ୍ତି ଲିଟି ୱାଲେ । ଭାଗ୍ୟକୁ ଆଦରି ବିକୁଛନ୍ତି ଷ୍ଟ୍ରିଟ୍‌ ଫୁଡ୍‌ ଲିଟିଚୋଖା । ଦିନେ ସଫ୍ଟୱେର୍‌ ଦୁନିଆରେ ସକ୍ରିୟ ଥିବା ରାକେଶ ଏବେ ବାରବାଟୀ ଷ୍ଟାଡିୟମ୍‌ ଛକରେ ଦିନକୁ ୫୦ ପ୍ଲେଟ୍‌ ଲିଟିଚୋଖା ବିକିବାକୁ ଝାଳ ବୁହାଉଛନ୍ତି ।  

କଟକ କେଶରପୁରରେ ରହୁଥିବା ୩୦ ବର୍ଷୀୟ ରାକେଶଙ୍କ ବାପା ବିହାରର ବାସିନ୍ଦା । କିନ୍ତୁ, ଏଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାରୁ ଦୀର୍ଘ ବର୍ଷ ଧରି ସେମାନେ କଟକରେ ରହିଆସୁଛନ୍ତି । ଦୁଇ ପୁଅଙ୍କ ମଧ୍ୟରେ ରାକେଶ ବଡ଼ । ମେଧାବୀ ରାକେଶ ଏସ୍‌ସିବି ମେଡିକାଲ୍‌ ପବ୍ଲିକ୍‌ ସ୍କୁଲ୍‌ରେ ପଢା ସାରି ଇପ୍‌ସାର୍‌ରେ ବିବିଏ କରିଥିଲେ । ପରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଭାରତ ମାଟ୍ରିମୋନି, ଆଇବିଏମ୍‌, ଥିଙ୍କ୍‌ ଆଣ୍ଡ୍‌ ଲର୍ଣ୍ଣ ପ୍ରାଇଭେଟ୍‌ ଲିମିଟେଡ୍‌ ଭଳି ନାମୀ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ ସେ । ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା । ବିବାହ କରି ବାପା, ମା’ଙ୍କୁ ସାଥିରେ ନେଇ ରାକେଶଙ୍କ ପରିବାର ଖୁସିରେ ଥିଲେ । ଏତିକିବେଳେ ତାଙ୍କ ପରିବାର ଉପରକୁ ଘୋଟି ଆସିଲା ବିପଦର କଳା ବାଦଲ । ରାକେଶଙ୍କ ସହ ଛୋଟ ବେଳୁ ମିଶୁଥିବା ଭୁବନେଶ୍ୱରର ଜଣେ ବନ୍ଧୁ ତାଙ୍କୁ ଫସାଇଦେଲେ । ବନ୍ଧୁଙ୍କ ମିଠା କଥା ଓ ଆର୍ଥିକ ଦୁଃସ୍ଥିତିକୁ ଆଖିରେ ଦେଖି ରାକେଶ ଏକ ବଡ ଭୁଲ୍‌ କରିବସିଲେ । ବନ୍ଧୁଙ୍କ ବାରମ୍ବାର ଅନୁରୋଧକୁ ଟାଳି ନପାରି ତାଙ୍କୁ ଋଣମୁକ୍ତ କରିବାକୁ ନିଜେ ଲୋନ୍‌ କଲେ । ଋଣର ପରିମାଣ ଥିଲା ୧୪ଲକ୍ଷ ଟଙ୍କା । ନିଜ ଆକାଉଣ୍ଟରୁ ଲୋନ୍‌ କରି ୧୪ଲକ୍ଷ ଟଙ୍କା ବନ୍ଧୁଙ୍କୁ ସହାୟତା କଲେ ରାକେଶ । ସର୍ତ୍ତ ଥିଲା, ପ୍ରତିମାସରେ କିସ୍ତି ଅର୍ଥ ବନ୍ଧୁ ତାଙ୍କ ଆକାଉଣ୍ଟରେ ଜମା କରିବେ ଏବଂ ଋଣ ଶୁଝିଚାଲିବେ । କିନ୍ତୁ କିଛି ମାସ ପରେ ବନ୍ଧୁ ସର୍ତ୍ତ ମାନିଲେ ନାହିଁ । ଋଣ ଦେଇଥିବା ବ୍ୟାଙ୍କକୁ ଋଣ ଗ୍ରହୀତା ଭାବେ ରାକେଶଙ୍କୁ ସବୁ ଅର୍ଥ ଶୁଝିବାକୁ ଥିଲା । ବନ୍ଧୁଙ୍କୁ ଅନୁରୋଧ କରି କିଛି ସୁଫଳ ନପାଇବାରୁ ସେ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । 

ତେବେ ପୁଲିସଠାରୁ ମଧ୍ୟ ତାଙ୍କୁ ନ୍ୟାୟ ମିଳି ପାରିନଥିଲା । କ୍ରମେ ବ୍ୟାଙ୍କ ରିକଭରି ଟିମ୍‌ ତାଙ୍କୁ ହଇରାଣ କରିବାକୁ ଲାଗିଲେ । ସେ କାମ କରୁଥିବା କମ୍ପାନୀ ଅଫିସରେ ରିକଭରି ଟିମ୍‌ ବାରମ୍ବାର ପହଞ୍ଚିଲେ । କମ୍ପାନୀର ସମ୍ମାନହାନି ହେବାରୁ ତାଙ୍କୁ ଚାକିରିରୁ ଛଟେଇ କରି ଦିଆଗଲା । ଦୁଇଟି କମ୍ପାନୀରୁ ଛଟେଇ ହେବା ପରେ ତାଙ୍କୁ ଆଉ କେଉଁଠି ନିଯୁକ୍ତି ସୁଯୋଗ ବି ମିଳିଲା ନାହିଁ । ଋଣ ବୋଝ, ମାନସିକ ଦୁଶ୍ଚିନ୍ତା ଓ ପରିବାର ଚଳାଇବାର ଦାୟିତ୍ୱ ତାଙ୍କୁ ଭାରାକ୍ରାନ୍ତ କରିପକାଇଲା । ପରିବାର ସଦସ୍ୟଙ୍କ ପେଟକୁ ଦି’ ମୁଠା ଆହାର ଦେବାକୁ ରାକେଶ ଶେଷକୁ ଷ୍ଟ୍ରିଟ୍‌ ଫୁଡ୍‌ ବିକିବାକୁ ରାସ୍ତାକୁ ଓହ୍ଲାଇ ପଡିଲେ ।  ବାରବାଟୀ ଷ୍ଟାଡିୟମ୍‌ ଛକରେ ‘ଲିଟି ୱାଲେ’ ନାମରେ ଏକ ଲିଟି ଚୋଖା ଉଠାଦୋକାନ କରି ରାକେଶ ଏବେ ଘର ଚଳାଉଛନ୍ତି । ଗ୍ରାହକଙ୍କୁ ମିଠା କଥା କହି ଦିନକୁ ୫୦ ପ୍ଲେଟ୍‌ ଲିଟି ଚୋଖା ବିକିବା ନେଇ ଆଦୌ ଲଜ୍ଜାବୋଧ କରୁନାହାନ୍ତି ଉଚ୍ଚଶିକ୍ଷିତ ରାକେଶ । କିନ୍ତୁ ତାଙ୍କୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ଦିନରାତି ଉଦ୍ୟମ ବି ଜାରି ରଖିଛନ୍ତି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ଦିନ ତଳେ କଟକ ଆସିଥିବା ବେଳେ ନିଜ ଅଭିଯୋଗପତ୍ର ଓ ବନ୍ଧୁଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ଲିଖିତ ବ୍ୟାନର୍‌ ଧରି ରାସ୍ତାରେ ଛିଡ଼ା ହୋଇ ରହିଥିଲେ ସେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କଠାରୁ ଅଭିଯୋଗପତ୍ର ମଧ୍ୟ ଗ୍ରହଣ କରିଥିଲେ । କିନ୍ତୁ ଏବେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିନାହିଁ । ଏ ସମ୍ପର୍କରେ ରାକେଶ କହନ୍ତି, ବନ୍ଧୁ ପ୍ରତାରଣା ଦେବ ବୋଲି ମୁଁ ଜାଣିନଥିଲି । ତା’ ଉପରେ ମୋର ଏତେ ବିଶ୍ୱାସ ଥିଲା ଯେ, କୌଣସି ଚୁକ୍ତିନାମା(ଏଗ୍ରିମେଣ୍ଟ) ବି କରିନଥିଲି । କେବଳ ତା’ ଆକାଉଣ୍ଟକୁ ଆର୍‌ଟିଜିଏସ୍‌ କରିଥିବାର ପ୍ରମାଣ ମୋ ପାଖରେ ରହିଛି । କିନ୍ତୁ ଏସବୁ କଥା ସମସ୍ତଙ୍କୁ ଜଣାଇବା ପରେ ବି ମୋତେ ନ୍ୟାୟ ମିଳୁନି । କର୍ପୋରେଟ ସେକ୍ଟରରୁ ଆସି ରାସ୍ତାରେ ଲିଟି ଚୋଖା ବିକିବାକୁ ପଡୁଛି । ମୋର ଏ ଦୁଃସ୍ଥିତି କେବେ ଦୂର ହେବ ଓ କେମେ ମତେ ନ୍ୟାୟ ମିଳିବ ତାହା ବି ମୁଁ ଜାଣିପାରୁନି ବୋଲି କ୍ଷୋଭର ସହ କହିଛନ୍ତି ରାକେଶ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.