ନୂଆଦିଲ୍ଲୀ,୧୨/୦୯: ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ସ୍ଥଳ ହେବାକୁ ଭାରତ ଉଦ୍ୟମ ଜାରି ରଖିଛି । ଏହି କ୍ଷେତ୍ର ବିକଶିତ ହେଲେ ଦେଶ ମଧ୍ୟରେ ୧୨ ଲକ୍ଷ ନିଯୁକ୍ତି ଯୋଡ଼ିବ ବୋଲି ଏଏମ୍ଡି ଇଣ୍ଡିଆର ମୁଖ୍ୟ ତଥା ସେମିକନ ଟାଲେଣ୍ଟ ବିଲ୍ଡିଂ କମିଟିର ଅଧ୍ୟକ୍ଷ ଜୟା ଜଗଦିଶ କହିଛନ୍ତି ।
ସେ କହିଛନ୍ତି, ଏ କ୍ଷେତ୍ରରେ ଯୁବ ପ୍ରତିଭାଙ୍କ ବିଶେଷ ଆବଶ୍ୟକତା ରହିଛି । ଟେକ୍ନିସିଆନ, ଇଞ୍ଜିନିୟର, ଅପରେଟର ଭଳି ବିଭିନ୍ନ ବର୍ଗ ଏହା ସହ ଜଡ଼ିତ । ତେବେ ଚିପ୍ ଡିଜାଇନ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଡିପ୍ଲୋମା,ଅଣ୍ଡର ଗ୍ରାଜୁଏଟ, ମାଷ୍ଟର୍ସ, ପିଏଚ୍ଡି, ପୋଷ୍ଟ ଡକ୍ଟରେକ୍ଟ କରିଥିବା ପ୍ରାୟ ୨.୭ ଲକ୍ଷ ବ୍ୟକ୍ତି ବିଶେଷ ଚିପ୍ ଡିଜାଇନ ପାଇଁ କାମ କରିବାର ସୁଯୋଗ ସୃଷ୍ଟି ହେବ । ସେ ପୁଣି କହିଛନ୍ତି ଦେଶରୁ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ଇଞ୍ଜିନିୟର ବାହାରୁ ଥିବାରୁ ପ୍ରତିଭାଙ୍କର କୌଣସି ଅଭାବ ରହିବ ନାହିଁ । ଗତ ୨ ଦଶନ୍ଧି ହେବ ଦେଶ ମଧ୍ୟରେ ଚିପ୍ ଡିଜାଇନ କ୍ଷେତ୍ରରେ କାମ ହେଉଛି । ଏବେ ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନିଗୁଡିକ ଦେଶ ମଧ୍ୟରେ ଡିଜାଇନ ସେଣ୍ଟର ସ୍ଥାପନ କରୁଛନ୍ତି । ଏହା ଶିଳ୍ପ ଅଭିବୃଦ୍ଧିରେ ଯୋଗଦାନ ଦେବ ।
ଏ କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ସରକାର ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ମଧ୍ୟ କରୁଛନ୍ତି । ପ୍ରତିଭାଙ୍କ ଅଭାବ ନ ଥିବା ସତ୍ତେ୍ୱ ଶିଳ୍ପ ଉପଯୋଗୀ ଶ୍ରମ ଶକ୍ତିର ପାଇବା ଏବେ ଚ୍ୟାଲେଞ୍ଜ ରହୁଛି । ଏ କ୍ଷେତ୍ରରେ ରହିଥିବା ପାର୍ଥକ୍ୟକୁ ଦୂର କରିବାକୁ ପଡିବ । ଏହାକୁ ଧ୍ୟାନରେ ରଖି ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦେଶର ୩୦୦ ଇଞ୍ଜିନିୟରିଂ କଲେଜରେ କୋର୍ସ ୱାର୍କ ସହ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ କାମ କରୁଛି ।
ଏହା ଦୀର୍ଘ ମିଆଦି ଲକ୍ଷ୍ୟ ହୋଇଥିବା ବେଳେ ସ୍ୱଳ୍ପ ମିଆଦି ଭିତ୍ତିରେ ଯୁବବର୍ଗଙ୍କୁ ରିସ୍କିଲିଂ ଏବଂ ଅପସ୍କିଲିଂ ଦିଗରେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଯୁବବର୍ଗଙ୍କ ମଧ୍ୟରେ ଦକ୍ଷ ଶ୍ରମ ଶକ୍ତି ଗଠନ ଦିଗରେ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ଊପରେ ସେ ଗୁରୁତ୍ୱାରୋପ କରିଛନ୍ତି