ପ୍ରମୂଖ ଖବର
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦ ଘରୁ ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର ଘଟଣା, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

କଳାହାଣ୍ଡି, ୨୭।୧୧: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚେଗୁଡ଼ାରେ ରବିବାର ଏକ ବନ୍ଦ କୋଠାରୀରୁ ଜଣେ ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର ହେଇଥିଲା । ମୃତ ମହିଳା ଜଣକ ପଦ୍ମାବତୀ ମେହେର । ପଦ୍ମାବତୀଙ୍କ ସ୍ୱାମୀଙ୍କର କିଛି ବର୍ଷ ଆଗରୁ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର ଏକମାତ୍ର ପୁଅ ହାଇଦ୍ରାବାଦରେ କାମ କରୁଛନ୍ତି । ପଦ୍ମାବତୀ ଘରେ ଏକୁଟିଆ ରହୁଥିବା ବେଳେ ଜମିବାଡ଼ିକୁ ନେଇ   ତାଙ୍କ ଦିଅରଙ୍କ ସହ ପୂର୍ବରୁ ପାରିବାରିକ ଶତ୍ରୁତା ଲାଗି ରହିଥିଲା । 

ଗତକାଲି ସକାଳୁ ପଦ୍ମାବତୀଙ୍କ ଘରୁ ପୋଡ଼ା ଗନ୍ଧ ଆସୁଥିବା ବେଳେ ଘରଟି ବାହାରପଟୁ ତାଲା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଜୁନାଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଶବଟିକୁ ଉଦ୍ଧାର କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବର୍ତ୍ତମାନ ପଦ୍ମାବତୀଙ୍କ ଭାଇ ତାଙ୍କ ଭଉଣୀକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିବା ବେଳେ ପୋଲିସ ନିଜ ପକ୍ଷରୁ ଏକ ଅପମୃତ୍ୟୁ  ମାମଲା ରୁଜ୍ଜୁ କରିଛି, ଯାହାକି ଏବେ ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛି । ଯଦି ପଦ୍ମାବତୀ ନିଜେ ପୋଡ଼ି ହୋଇଯାଇଥିଲେ ତେବେ ଘରଟି ବାହାରୁ କେମିତି ତାଲା ପଡ଼ିଥିଲା । ସେ ତାଙ୍କ ଘରେ ଏକୁଟିଆ ରହୁଥିଲେ ତେବେ ଘର ତାଲା ପକେଇଲା କିଏ ? ପଦ୍ମାବତୀଙ୍କ ଘର ପଡ଼ାର ମଝିରେ ରହିଥିବା ବେଳେ ଯଦି ସେ ପୋଡ଼ି ହୋଇଯାଇଥିଲେ ତା’ହେଲେ ସେ ନିଜ ରକ୍ଷା ପାଇଁ କେମିତି କାହାକୁ ଡାକିଲେନି ଏବଂ ତାଙ୍କ ଚିତ୍କାର କେହି କେମିତି ଶୁଣି ପାରିଲେନି ବୋଲି ତାଙ୍କ ଭାଇ ପ୍ରଶ୍ନ କରିଛନ୍ତି । ତେଣୁ ତାଙ୍କ ଭଉଣୀକୁ ମାରିଦେଇ ପୋଡ଼ି ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଥେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.