ଭୁବନେଶ୍ୱର,୦୮/୦୮: ନିର୍ବନ୍ଧ ସରିଥିଲା । ସ୍ଥିର ହୋଇଥିଲା ହାତଗଣ୍ଠି ପଡ଼ିବ । କିନ୍ତୁ ତା’ ପୂର୍ବରୁ ଭାବୀ ସ୍ୱାମୀଙ୍କ ଉପରେ ପଡ଼ିଲା ଖଣ୍ଡା ଚୋଟ । ଏହି କାଣ୍ଡ ଭିଆଇଲେ ନିଜେ ଭାବୀ ପତ୍ନୀ । ସୁପାରି ଦେଇ ଏମିତି ଜଘନ୍ୟ କାଣ୍ଡ ଘଟାଇଲେ । ଉଦ୍ଦେଶ୍ୟ ଥିଲା ଭାବୀ ସ୍ୱାମୀ ହଟିଗଲେ ପୁରୁଷ ବନ୍ଧୁଙ୍କ ରାସ୍ତା ସଫା ହୋଇଯିବ । ଏମିତି ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅଞ୍ଚଳରେ । ଏହି ମାମଲାରେ ପୁଲିସ୍ ଚନ୍ଦକା କୁଜିମହଲ ଗାଁର ସ୍ୱସ୍ତିକ ଭୋଳଙ୍କୁ ଗିରଫ କରିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ଭାବୀ ପତ୍ନୀ ତଥା ନର୍ସ ଓ ତା’ ପ୍ରେମିକ ଫେରାର ଥିବା ପୁଲିସ୍ କହିଛି ।
ଖୋର୍ଦ୍ଧା ଜିଲ୍ଲା ବ୍ରଜମୋହନପୁର ଅଞ୍ଚଳର ନେହା (ଛଦ୍ମନାମ) ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ ନର୍ସ ଥିଲେ । ନେହାଙ୍କ ବାହାଘର ପାଇଁ ଘର ଲୋକ ଭଲ ପ୍ରସ୍ତାବ ଖୋଜୁଥିଲେ । ଜଣେ ମଧ୍ୟସ୍ତିଙ୍କ ସହଯୋଗରେ ପୁରୀ ଜିଲ୍ଳା କାକଟପୁର ଅଞ୍ଚଳର ଆଶୀର୍ବାଦ ସ୍ୱାଇଁଙ୍କ ସହ ବାହାଘର ସ୍ଥିର ହୋଇଥିଲା । ଗତ ମେ’ ୧୭ରେ ଖୋର୍ଦ୍ଧା ବରୁଣେଇ ପୀଠରେ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ପରେ ଉଭୟ କଥା ହେଉଥିଲେ । ଗତ ମାସ ୧ ତାରିଖରେ ଆଶୀର୍ବାଦଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା ।
ନେହାଙ୍କୁ ଛାଡ଼ିଦେବା ପାଇଁ ଧମକ ଦେଇଥିଲେ । ଆଶୀର୍ବାଦ ଉକ୍ତ ଫୋନ୍ କଲ୍କୁ ଅଣଦେଖା କରିଥିଲେ । ପରେ ବିଭିନ୍ନ ନମ୍ବରରୁ ଆଶୀର୍ବାଦ ଓ ତାଙ୍କ ପରିବାର ଲୋକଙ୍କୁ ଶହ ଶହ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା । ପରିବାର ଲୋକ ଡରି ଯାଇଥିଲେ । ଆଶୀର୍ବାଦ ଜୁଲାଇ ୧୫ ତାରିଖରେ ସନ୍ଧ୍ୟାରେ ଏୟାରଫିଲ୍ଡ ଥାନା କଲ୍ୟାଣ ପ୍ଲାଜା ନିକଟରେ ବାଇକ୍ରେ ଯାଉଥିବା ସମୟରେ ନେହାଙ୍କ ପ୍ରେମିକ ସ୍ୱସ୍ତିକ ଓ ତାଙ୍କ କିଛି ସହଯୋଗୀ ତାଙ୍କୁ ଅଟକାଇ ଖଣ୍ଡା ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେ ହସ୍ପିଟାଲ୍ ଯାଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ପ୍ରଥମ ସ୍ୱସ୍ତିକକୁ ଗିରଫ କରିଥିଲା ।
ଏ ନେଇ ଡିସିପି ପ୍ରତୀକ ସିଂହ କହିଛନ୍ତି, ଏହା ପଛରେ ନର୍ସ ନେହା ଓ ତାଙ୍କ ପ୍ରେମିକଙ୍କ ହାତ ରହିଛି । ନେହା ଓ ତାଙ୍କ ପ୍ରେମିକ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି ।