କୋକସରା,୦୯/୦୭; ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ପ୍ରବାସୀ ଶ୍ରମିକଙ୍କ ଜୀବନ । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଆଉ ଫେରିଲେନି । ହାଇଦ୍ରାବାଦରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଉଡୋଲା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗାଁର ରାଜ କିଶୋର ବେଶ୍ରା ହାଇଦ୍ରାବାଦର ଏକ ଠିକାସଂସ୍ଥାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ମଙ୍ଗଳବାର ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଶ୍ରମିକଙ୍କ ସମ୍ପର୍କୀୟମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହାଇଦ୍ରାବାଦ ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିଛି । ଅନ୍ୟପଟେ ଠିକାସଂସ୍ଥା ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଭିଟାମାଟିକୁ ଅଣାଯାଉଛି ।