ଭୁବନେଶ୍ୱର, ୦୯/୦୭ : ପ୍ରଦର୍ଶନୀ ପଡ଼ିଆ ନିକଟ ଏକାମ୍ର ହାଟ ଆଉ ଲୋକଙ୍କ ପାଇଁ ଆକର୍ଷଣ ହୋଇ ରହିନାହିଁ । ଏବେ ଏହାର ପୁରୁଣା ସୌନ୍ଦର୍ଯ୍ୟ ନାହିଁ । ସବୁ ଅଚଳ ହୋଇପଡ଼ିଛି । ବାହାରୁ ଚିକ୍ଚିକ୍ ଦେଖାଯାଉଛି, ଭିତର ପୂରା ଫମ୍ପା । ୨୦୨୦ ପର୍ଯ୍ୟନ୍ତ ଏକାମ୍ର ହାଟର ଦାୟିତ୍ୱ ଇଡ୍କୋ ହାତରେ ଥିଲା । ତା’ପରଠୁ ଏହାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ଅଧୀନକୁ ନେଇଛି । ପୂର୍ବ ସରକାର ସମୟରେ ନବୀକରଣ ପରେ ଏହା ଭିତରେ ଅନେକ କିଛି ପରିବର୍ତ୍ତନ କରାଯାଇଥିଲା । ଏବେ କିନ୍ତୁ ସବୁ ଅଚଳ ଓ ଭାଙ୍ଗିରୁଜି ଗଲାଣି । ଶୌଚାଳୟ ଥାଇ ନଥିଲା ଭଳି । ବେସିନ୍, କବାଟ, ଝରକା ଭାଙ୍ଗିଗଲାଣି । ଠିକ୍ରେ ପାଣି ଆସୁନି । ସିସିଟିଭି ଅଚଳ ହୋଇପଡ଼ିଛି । ଭିତରେ ଥିବା ଛୋଟ ଜଳଫୁଆର କାମ କରୁନି । ଜଳ ଫୁଆରରେ ପାଣି ନାହିଁ ।
ସନ୍ଧ୍ୟା ହେଲେ ଜଳ ଫୁଆର ନିକଟରେ ଠିଆ ହୋଇ ହାଟକୁ ଆସୁଥିବା ଲୋକେ ସେଲ୍ଫି ନେଉଥିଲେ । ଚାରିପଟେ ବସିବା ଲାଗି କଂକ୍ରିଟ୍ ଚେୟାର ବି ପକାଯାଇଥିଲା । ହେଲେ ଏବେ ସବୁ ଆକର୍ଷଣ ହରାଇ ପଡ଼ିରହିଛି । ଅଧିକ ଲୋକ ନଆସିବାରୁ କଳାକାର ତଥା କାରିଗରଙ୍କ ବେପାର ନାହିଁ । ଦୋକାନଗୁଡ଼ିକ ଖାଁ ଖାଁ ଲାଗୁଛି । ସାଂସ୍କୃତିକ କାର୍ଯ୍ୟକ୍ରମ ନଥିବାରୁ ଲୋକ ସମାଗମ ବି ହେଉନାହିଁ ।
ରାଜଧାନୀର ସହରୀ ପରିବେଶରେ ଏକାମ୍ର ହାଟ ଗାଁର ଭ୍ରମ ସୃଷ୍ଟି କରୁଥିଲା । ସେହି ଢାଞ୍ଚାରେ ଏହାକୁ ଗଢ଼ା ଯାଇଥିଲା । ଭିତରେ କଳାକାର ଓ କାରିଗରଙ୍କ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଲାଗି ଟାଇଲ ଛପର ଘର ତିଆରି ହୋଇଥିଲା । ବାହାର କାନ୍ଥ ସବୁକୁ ମାଟିରେ ଲିପିଲା ଭଳି ଛାପ ସହ ଝୋଟି, ଚିତା ପଡ଼ିଥିଲା । ଖମ୍ବ ଗୁଡ଼ିକୁ ନଡ଼ିଆ ଗଛ ଆକୃତିର କରାଯାଇ ଆଲୋକରେ ସଜା ଯାଇଥିଲା । ଲୋକଙ୍କୁ ବାସ୍ତବ ଅନୁଭୂତି ଦେବାକୁ ପ୍ରୟାସ ହୋଇଥିଲା । ପାରମ୍ପରିକ ଖାଦ୍ୟର ଷ୍ଟଲ ଖୋଲାଯାଇଥିଲା । ହାଟ ପରିବେଶକୁ ବି ବେଶ୍ ଚମତ୍କାର ଢଙ୍ଗରେ ସଜା ଯାଇଥିଲା । ଘାସ ଗାଲିଚା ଆଚ୍ଛାଦିତ କୃତ୍ରିମ ମୁଣ୍ଡିଆ ରହିଥିଲା । ଏଠି ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଲୋକ ଆସନ୍ତି । କିଏ ଭିତରେ ପରଷା ଯାଉଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ଚାଖିବାକୁ ତ ଆଉ କିଏ ସେଠାରେ ବୁଲାବୁଲି କରି ମଜା ନେବାକୁ । ପୁଣି ଏଠାରେ ମିଳେ ଓଡ଼ିଶାର ସମସ୍ତ ପାରମ୍ପରିକ ତଥା ବିରଳ ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ । ପୁଣି ବର୍ଷର ବିଭିନ୍ନ ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଏଠାରେ ଥିବା ମୁକ୍ତାକାଶ ମଞ୍ଚରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ସଙ୍ଗୀତ ଆୟୋଜନ କରାଯାଉଥିଲା । କିନ୍ତୁ ଏଇ କିଛି ବର୍ଷ ହେଲା ହାଟ ତା’ର ଆକର୍ଷଣ ହରାଇବା ସହ ଲକ୍ଷ୍ୟଠାରୁ ଦୂରେଇ ଗଲା ଭଳି ଲାଗୁଛି ।
ସିଡାକ୍ର ମେମ୍ବର ସେକ୍ରେଟାରୀ ସୁବ୍ରତ ବେହେରାଙ୍କୁ ଏହି ସମସ୍ତ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା । ସେ କହିଥିଲେ, ଏକାମ୍ର ହାଟର ଉନ୍ନତିକରଣ ନେଇ ଆଲୋଚନା ଚାଲିଛି । କିନ୍ତୁ କୌଣସି ପ୍ରକାରର ଅନୁମୋଦନ କରାଯାଇନାହିଁ । ବିଭିନ୍ନ ସମୟରେ ବୈଠକ ବସୁଛି । ଖୁବ୍ ଶୀଘ୍ର ପ୍ଲାନ ପ୍ରସ୍ତୁତ କରାଯିବ ।