ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବ୍ରହ୍ମାଣ୍ଡପତିଙ୍କ ସରିଲା ଯାତ... ୩ ଲକ୍ଷ ଭକ୍ତରେ ଆଣ୍ଠେଇଲେ, ଆଢ଼ୁଆଳରେ ରହସ୍ୟ !

Published By : Rasmita Pradhan | July 10, 2025 10:25 AM

ପୁରୀ, ୧୦/୦୭ : ଅଗଣିତ ଭକ୍ତଙ୍କ ଭାରା ବୋହୁଛନ୍ତି ମହାବାହୁ । ଦୁଃଖ ହରଣ କରି ଭରିଦେଉଛନ୍ତି ଆନନ୍ଦ। ପତିତପାବନ ଯାତ୍ରାରେ ବଡ଼ଦେଉଳ ବାହାରେ ଭକ୍ତଙ୍କ ସହ ଗୋଳେଇ ଘାଣ୍ଟି ହେଲେ । ଏବେ ରତ୍ନସିଂହାସନରେ ଅଧିଷ୍ଠିତ ହୋଇ ଭକ୍ତର ଗୁହାରି ଶୁଣୁଛନ୍ତି । କାଳ କାଳରୁ ରଥ ଯାତ୍ରା ଚାଲିଛି... ଆଉ ଚାଲିଥିବ । ମହାପ୍ରଭୁ ଭକ୍ତଙ୍କ ଗହଣକୁ ଆସି ଏମିତି ଅନେକ ଶିକ୍ଷା ଦେଉଥିବେ । ଚଳିତ ବର୍ଷ ଘଟଣା ବହୁଳ ଥିଲା ରଥ ଯାତ୍ରା। ଏଇ ଯେମିତି...

ଶରଧାବାଲିରେ ଚାଲିଗଲା ୩ ଜୀବନ

ରଥ ଯାତ୍ରା ଦିନ ରଥ ଟଣାରେ ତତ୍ପରତା ନରହିବାରେ ପରଦିନ ତିନି ରଥ ଲାଗିଲା ଗୁଣ୍ଡିଚାଘର ସମ୍ମୁଖରେ । ପୁଣି ସେଦିନ ରାତି ୧୨ଟା୧୫ ମିନିଟ୍‌ରେ ପ୍ରାୟ ଠାକୁରଙ୍କ ନୀତି ସରି ପହୁଡ଼ ହୋଇଗଲା । ଲକ୍ଷାଧିକ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ । ଅନେକ ଲୋକ ରଥ ନିକଟରେ ଶୋଇଯାଇଥିଲେ । ପୁଣି ହଠାତ୍‌ ଠାକୁରଙ୍କ ପହୁଡ଼ ଖୋଲିବାରେ ଦର୍ଶନ ପାଇବା ଲୋଭରେ ଭକ୍ତ ଧାଇଁଲେ । ଏହି ଭିତରେ ଚାଲିଗଲା ତିନି ଜଣ ଶ୍ରଦ୍ଧାଳୁଙ୍କ ବହୁମୂଲ୍ୟ ଜୀବନ । ଏବେ ପ୍ରଶ୍ନ ଉଠୁଛି ଗତ ୨୮ ତାରିଖ ରାତିରେ ଦୁଇରୁ ୩ ଲକ୍ଷ ଭକ୍ତ ଭିଡ଼ ରହିଥିବ । ପୁଣି ବିସ୍ତିର୍ଣ୍ଣ ଖୋଲା ଶରଧାବାଳି ଅଞ୍ଚଳ । ଲକ୍ଷାଧିକ ଭକ୍ତ ଓ ରଥାରୂଢ଼ ଠାକୁରେ ବାହାରେ । ଅସଲ ସ୍ଥିତି ଉପରୁ ଦାୟିତ୍ୱପୂର୍ଣ୍ଣ ଅଧିକାରୀଙ୍କ କାହିଁକି ନଜର ହଟିଗଲା! ଅଘଟଣର ପୋଷ୍ଟମର୍ଟମରୁ ପରିଚାଳନାର ଅନେକ ଫାଙ୍କ ଦୃଷ୍ଟିକୁ ଆସିଲା । ଏତେ ସଂଖ୍ୟକ ଭକ୍ତଙ୍କ ପାଇଁ ଡ଼ିଆଇପିଆର୍‌ଓଙ୍କ ପକ୍ଷରୁ କୌଣସି ସୂଚନା ନାହିଁ । ରଥ ପହଞ୍ଚିଲା ପରେ ଦର୍ଶନାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ହେଉ କି ମ୍ୟୁନିସିପାଲିଟି ତରଫରୁ ବାରିକେଡ଼୍‌ ହୋଇ ନଥିଲା । ଅସ୍ଥାୟୀ ରହଣି ବ୍ୟବସ୍ଥା ନଥିବାରେ ଲୋକେ ରଥ ନିକଟରେ ଶୋଇଥିଲେ । ପାରିପାର୍ଶ୍ୱିକ ସ୍ଥିତିରୁ ଜଣାଗଲା ଫାଷ୍ଟ ଏଡ଼୍‌ ସେଣ୍ଟରରେ ଆମ୍ବୁଲାନ୍ସ ନଥିଲା । ଭିଡ଼ ଉପରେ ନଜର ରଖିବାକୁ ବ୍ୟାପକ ସୁରକ୍ଷା ନଥିଲା କିମ୍ବା ବରିଷ୍ଠ ପୁଲିସ ଅଧିକାରୀ ନଥିଲେ । 

ଚାରମାଳ ଆଢ଼ୁଆଳରେ ଲୁଚିଗଲା ରହସ୍ୟ

ସେହିପରି ଚାରମାଳ ଟ୍ରକ୍‌ ଅମାନିଆ ହୋଇ ଧସେଇ ପଶିବା କଥା କେତେ ଦୂର ଠିକ୍‌! ଟ୍ରକ୍‌ ଚାଳକ କୁହନ୍ତି ପୂର୍ବ ବର୍ଷ ଗୁଡ଼ିକ ଭଳି ରଥ ନିକଟକୁ ଚାର ବୁହା ହେଉଥିଲା । ଶେଷ ଟ୍ରିପ୍‌ କାଠ ଟ୍ରକ୍‌ରୁ ବାହାରୁଥିଲା । ସେହି ସମୟରେ ନନ୍ଦିଘୋଷ ରଥର ପହୁଡ଼ ଖୋଲିଲା । ଲୋକେ ଜୟ ଜଗନ୍ନାଥ ଧ୍ୱନୀ ଦେଇ ହୋହଲ୍ଲା କଲେ । କାଳେ କିଛି ସମସ୍ୟା ହେବ ଭାବି ଆମେ କାଠ ଓହ୍ଲାଇବା ବନ୍ଦ କରିଦେଲୁ । ପୁଣି ଫାଙ୍କା ହେବାରେ କାର୍ଯ୍ୟ ସାରି ବାହାରି ଆସିଲୁ । ପୂର୍ବରୁ ୨ ଟ୍ରିପ କାଠ ବୁହା ସରିଥିଲା । ଘରକୁ ଫେରି ଅଘଟଣ ବିଷୟରେ ଶୁଣିଲୁ । ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ଚାରମାଳ ଆଢ଼ୁଆଳରେ ଲୁଚିବ କି ଅଘଟଣର ରହସ୍ୟ । ଠାକୁରଙ୍କ ପହୁଡ଼ ଓ ଦ୍ୱାର ଫିଟା ନୀତିର ସୂଚନା କଂଣ୍ଟ୍ରୋଲ୍‌ ରୁମ୍‌ରେ କାହିଁକି ନଥିଲା! ଶ୍ରୀମନ୍ଦିର ପ୍ରଶାସନ ଓ ସେବକଙ୍କ ଭିତରେ କିଭଳି ସମନ୍ୱୟ ରହୁଥିଲା! ରଥ ପହୁଡ଼ ଫିଟିବା ପୂର୍ବରୁ କାହିଁକି ପ୍ରସ୍ତୁତ ରହିଲାନି ପ୍ରଶାସନ । କାହିଁକି ଭକ୍ତଙ୍କୁ ମିଳିଲାନି ସୂଚନା! ପ୍ରଶାସନର କଣ ରହିଥିଲା ଦର୍ଶନ ବ୍ୟବସ୍ଥା ପରିଚାଳନା! ସେବାୟତ ମନ ଇଛା ଖୋଲିଥିଲେ କି ରଥ ପହୁଡ଼ ପଚାରିବାରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କୁହନ୍ତି ସେ କଥା ଶ୍ରୀମନ୍ଦିର ପ୍ରଶାସନ ଜାଣିଥିବ ଉତ୍ତର ଦେଇଥିଲେ ।

ବ୍ୟବସ୍ଥା ନଥିବାରୁ ଦାଣ୍ଡରେ ଶୋଇଲେ 

ଠାକୁରଙ୍କ ଭରସାରେ କାହିଁ କେତେ ଆଡ଼ୁ ଲୋକେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥିଲେ । ସେଥିରେ ଧନୀ ଗରିବର କୌଣସି ଭେଦଭାବ ନଥିଲା । ଥିଲାବାଲା ତାଙ୍କର ବ୍ୟବସ୍ଥା କରିଥିଲେ । ହେଲେ ଗରିବ ଭକ୍ତ ପାଇଁ ପର୍ଯ୍ୟାପ୍ତ ରାତ୍ରୀ ରହଣି ବ୍ୟବସ୍ଥା ନଥିଲା । ଫଳରେ ରଥ ନିକଟ ହେଉ କି ବଡ଼ଦାଣ୍ଡ ଯିଏ ଯେଉଁଠି ପାରିଲେ ଆଶ୍ରୟ ନେଲେ । ପୂର୍ବରୁ ଶ୍ରୀକ୍ଷେତ୍ରରେ ମଠ ଓ ଧର୍ମଶାଳା ଆଦିରେ ଯେଉଁ ରହଣି ବ୍ୟବସ୍ଥା ଥିଲା ତାହା ପ୍ରାୟ ଭୁଶୁଡ଼ି ପଡ଼ିଥିବାରୁ ଲୋକେ ଶ୍ରୀକ୍ଷେତ୍ରକୁ ଆସି ରାତ୍ରୀଯାପନ ପାଇଁ ବାରଦୁଆର ହେଲେ । ପ୍ରଶାସନ ରାତ୍ରୀ ରହଣି ବ୍ୟବସ୍ଥା କରି ରଥ ନିକଟରୁ ଶୋଇଥିବା ଲୋକଙ୍କୁ ହଟାଇଥିଲେ ହୁଏତ୍‌ ଦଳାଚକଟାରେ ଏଭଳି ସ୍ଥିତି ଉପୁଜି ନଥାନ୍ତା ।

ଭିଆଇପିଙ୍କ ପାଇଁ ସାଧାରଣ ଭକ୍ତଙ୍କୁ ଉପେକ୍ଷା 

ଭିଭିଆଇପି ଓ ଭିଆଇପିଙ୍କୁ ନିଖୁଣ ସେବାକୁ ଦେବାକୁ ଯାଇ ଭକ୍ତ ଓ ଭଗବାନଙ୍କୁ ଭୁଲିଗଲେ ପରିଚାଳନାକାରୀ । ଶ୍ରଦ୍ଧାଳୁଙ୍କ ଭିଡ଼ ଠେଲି ପଶୁଥିଲା ଚାରିଚକିଆ ଯାନ । ଅନଧିକୃତ ସହସ୍ରାଧିକ ବ୍ୟକ୍ତି ବେକରେ ସରକାରୀ ପାସ୍‌ ଲଗାଇ ପତିଆରା ଦେଖାଇଲେ । ଏପଟେ ଭିଡ଼ରେ ଫସି ହଜାର ହଜାର ଶ୍ରଦ୍ଧାଳୁ ଲୁଟର ଶିକାର ହେଲେ । ପୁଲିସ ଅଧିକାରୀଙ୍କ ଅତି ନିକଟରେ ରହୁଥିଲେ ଲୁଟେରା । ସୁଯୋଗ ଉଣ୍ଡି ଭକ୍ତଙ୍କୁ ଟାର୍ଗେଟ କରୁଥିଲେ । ଟଙ୍କା, ଅଳଙ୍କାର ଓ ମୋବାଇଲ୍‌ ହରାଇ ବଡ଼ଦାଣ୍ଡ ସମତେ ଗଳିକନ୍ଦିରେ ଶ୍ରଦ୍ଧାଳୁ କାନ୍ଦୁଥିବା ଲକ୍ଷ କରାଯାଇଥିଲା । 

ଦର୍ଶନ ପାଇଁ ହଟହଟା 

ଶ୍ରୀମନ୍ଦିର ପ୍ରଶାସକ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସକ ହଟହଟା ହେଲେ । ତାହା ପୁଣି ଖୋଦ୍‌ ବଡ଼ଦେଉଳ ଭିତରେ । ପାଟଅଗଣା ନିକଟ ସିଂହଦ୍ୱାର ସମ୍ମୁଖ ଭିତର ଗୁମୁଟକୁ ପଶି ପାରି ନଥିଲେ ପ୍ରଶାସକ । ରାତି ପ୍ରାୟ ୧୦ଟା ୪୦ରୁ ୧୧ଟା ଭିତରେ ଏହି ଘଟଣା ଘଟିଥିଲା । ଦେଉଳ ଭିତର ଦେଇ ରଥରେ ଠାକୁରଙ୍କ ସୁନାବେଶ ଦର୍ଶନ କରିବାକୁ କିଛି ସମ୍ପର୍କୀୟ ପ୍ରଶାସକଙ୍କ ସାଙ୍ଗରେ ଥିଲେ । ବାଟରେ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ । ପ୍ରଶାସକ କାର୍ଡ଼ ଦେଖାଇ ବହୁ ପ୍ରକାରେ କହିଥିଲେ । ପରେ ନୀତି ପ୍ରଶାସକ ଘଟଣାସ୍ଥଳରେ ପହଞ୍ଚିଲେ । ସୁଫଳ ନ ମିଳିବାରେ ଆଉ ଜଣେ ବରିଷ୍ଠ ଅଧିକାରୀ ପହଞ୍ଚିଲେ । ପ୍ରଶାସକ ଓ ସେମାନଙ୍କ ସମ୍ପର୍କୀୟ ସେଠାରେ ଅଟକି ରହି ବେଶ୍‌ କିଛି ସମୟ ବିତିଗଲା । ଶେଷରେ ଅଧ ଘଣ୍ଟା ହୋହଲ୍ଲା ପରେ ଦର୍ଶନକୁ ସେମାନେ ଯାଇଥିଲେ । 

ବଡ଼ଦେଉଳ ରୋଷରେ ରିଲ୍ସ କଲେ ଲୋକେ 

ସୁରକ୍ଷା ବ୍ୟବସ୍ଥା ଭେଦି ଶ୍ରୀମନ୍ଦିରରେ ପ୍ରବେଶ କଲେ ମାଳ ମାଳ ଲୋକ । ହାତରେ ସେମାନଙ୍କର ଥିଲା ଆଣ୍ଡ୍ରଏଡ଼୍‌ ମୋବାଇଲ୍‌ । ନୀଳାଦ୍ରି ବିଜେ ପହଣ୍ଡି ଦେଖିବା ଆଳରେ ଲୋକେ ରାତିରେ ପଶିଗଲେ । ହେଲେ ବଡ଼ଦେଉଳ ରୋଷ ଘରେ ପଶି ମୋବାଇଲ୍‌ରେ ମନ ଇଛା ସୁଟିଂ କଲେ । ମୋବାଇଲ୍‌ ଧରି ରୋଷଘରେ ମାଳ ମାଳ ରିଲ୍ସ ବନାଇଲେ । ଏସବୁ ଦେଖି କିଛି ସେବାୟତ ହୋହଲ୍ଲା କରିଥିଲେ । ଏତେ ସଂଖ୍ୟକ ପୁଲିସ ଥାଇ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ହୋଇଥିବା ଅସନ୍ତୋଷ ଝାଡ଼ିଥିଲେ । 

ପ୍ରଶଂସା ସାଉଁଟିବାକୁ ମହାପ୍ରଭୁଙ୍କୁ ଅଣଦେଖା 

ପ୍ରଶଂସା ସାଉଁଟିବାକୁ ମହାପ୍ରଭୁଙ୍କ ନୀତିକୁ ଅଣଦେଖା କରାଯାଉଛି । ଭକ୍ତଙ୍କ ନାମରେ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ହେଉଛି । ଏସବୁ କିଛି ବର୍ଷ ହେଲା ପ୍ରଶାସନିକ ଧାରାରେ ପରିଣତ ହୋଇଛି । ବାହୁଡ଼ା ଯାତ୍ରାରେ ମଧ୍ୟ ପରମ୍ପରା ଉଲ୍ଲଂଘନ ହେଲା । ଖେଚୁଡ଼ି ଭୋଗ ପରେ ସେନାପଟା ଲାଗି ହେବା କଥା । ଠାକୁରଙ୍କ ଯାତ୍ରା ପୂର୍ବରୁ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହୋଇଥାଏ । ହେଲେ ଚଳିତ ବର୍ଷ ମଙ୍ଗଳା ଆଳତି ପୂର୍ବରୁ ଶ୍ରୀବିଗ୍ରହଙ୍କ ଏହି ନୀତି କରିଦିଆଗଲା । ଏପରିକି ପୂର୍ବ ନିର୍ଦ୍ଧାରିତ ଠାକୁର ନୀତିକୁ ମଧ୍ୟ ପ୍ରଶାସକ ଓ ସେବକ ମିଶି ଦଳିଦେଲେ । ପୂର୍ବରୁ ମଧ୍ୟ ଠାକୁରେ ଅଣସର ଘରେ ଥାଇ ଠାକୁରଙ୍କ ସେନାପଟା ଲାଗି ହୋଇଛି । ସେହିଭଳି ଠାକୁରେ ଯାତ୍ରାରେ ଗଲା ସମୟରେ କେବଳ ସୁଖିଲି ଭୋଗ ଲାଗୁଛି । ଆଗେ ବିଭିନ୍ନ ବିରି ପିଠା ଆଦି ବହୁ ଭୋଗ ଲାଗେ । ରଥରେ ଭୋଗ ପ୍ରସ୍ତୁତି ପାଇଁ ଜଗନ୍ନାଥ ବଲ୍ଲଭ ଓ ଦଶଅବତାର ମଠରେ ଭୋଗ ପ୍ରସ୍ତୁତି ହେଉଥିଲା । ହେଲେ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ସେବକ ଗୋଷ୍ଠୀଙ୍କ ତୁଷ୍ଟୀକରଣ ନିମନ୍ତେ ଠାକୁରଙ୍କ ପାଇଁ ପୂର୍ବଭଳି ଭୋଗ ହେଉ ନଥିବା ସମାଲୋଚନା ହେଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.