ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଉତ୍ସାହରେ ଉଛୁଳୁଛି କଂଗ୍ରେସ: ଆଜି ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ ଯୋଗ ଦେବେ ରାହୁଲ ଓ ଖଡ୍‌ଗେ

Published By : Prameya | July 11, 2025 8:16 AM

ଭୁବନେଶ୍ୱର,୧୧/୦୭:  ଲମ୍ବା ଅବଧି ପରେ ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର ।  ଆସୁଛନ୍ତି କଂଗ୍ରେସର ସବୁଠାରୁ  ଲୋକପ୍ରିୟ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।  ଶୁକ୍ରବାର ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ  ଦେବେ ରାହୁଲ ଓ ଖଡ୍‌ଗେ । 

 

ସମାବେଶକୁ ସଫଳ କରିବା  ପାଇଁ ପିସିସି ସଭାପତି ଭକ୍ତଚରଣ  ଦାସ ଓ ତାଙ୍କ ଟିମ୍‌ ପୂରା ରାତି ଦିନ  ଏକ କରି ଲାଗି ପଡ଼ିଛନ୍ତି । ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏପଟେ ଭକ୍ତ ସଭାପତି ହେବା ପରେ ପ୍ରଥମ  କରି ଏତେ ବଡ଼ ସମାବେଶ  ଆୟୋଜନ ହୋଇଛି। ତେଣୁ ସମାବେଶକୁ ସଫଳ କରିବା ଭକ୍ତଙ୍କ ପାଇଁ ମଧ୍ୟ ବଡ଼ ଆହ୍ୱାନ ।  

ଏପଟେ କଂଗ୍ରେସ ହୋର୍ଡିଂ, ପତାକାରେ ଛାଇଯାଇଛି  ଭୁବନେଶ୍ୱର । ବିମାନବନ୍ଦରରୁ ଜୟଦେବବିହାର, ଜୟଦେବ ବିହାରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ସବୁ ରାସ୍ତା ଯେମିତି  ରାହୁଲମୟ ପାଲଟିଛି । ହାତରେ ସମ୍ବିଧାନ ଧରିଥିବା ରାହୁଲଙ୍କ  ଟି-ସାର୍ଟ ପିନ୍ଧା ଫଟୋର ହୋର୍ଡିଂ ସବୁଆଡ଼େ ଲଗାଇଛି କଂଗ୍ରେସ ।  ନିଜେ ଭକ୍ତ କଂଗ୍ରେସ ଭବନରୁ  ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ବୁଲିବୁଲି ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । ସ୍ୱତନ୍ତ୍ର  ଟିମ୍‌ ସହ ଯୁବ, ଛାତ୍ର, ମହିଳା  ସଂଗଠନର କର୍ମକର୍ତ୍ତାମାନେ ଏହି  କାମରେ ଲାଗିପଡ଼ିଛନ୍ତି । ଭୁବନେଶ୍ୱର  ସମାବେଶକୁ  ସଫଳ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ସଂଯୋଜକ ଓ ବିଧାୟକମାନଙ୍କୁ  ଦାୟିତ୍ୱ ଦିଆଯାଇଛି । ପ୍ରତି ଜିଲ୍ଲାରୁ କର୍ମୀ ଆସିବେ ।

ପିସିସି ସଭାପତି  ଭକ୍ତ କହିଛନ୍ତି, କଂଗ୍ରେସର ଏହି ସମାବେଶ ଓଡ଼ିଶାରେ ଏକ ନୂଆ  ରାଜନୀତିର ବାତାବରଣ ସୃଷ୍ଟି କରିବ । ଓଡ଼ିଶାବାସୀ ଆଗ୍ରହର ସହ  ରାହୁଲ ଗାନ୍ଧିଙ୍କୁ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି । ଭକ୍ତ କହିଛନ୍ତି,  ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା  ଅନେକ ପ୍ରଶ୍ନ ଉଠାଉଛି । ଆନ୍ଦୋଳନ ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ  ସାମଗ୍ରୀର ସଙ୍କଟ ସୃଷ୍ଟି ହେଲାଣି । ସାଧାରଣ ଲୋକେ ଗୁରୁତର ଭାବେ  ପ୍ରଭାବିତ ହେଉଛନ୍ତି । ମାତ୍ର ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସରକାର  ଉଦ୍ୟମ କରୁଥିବା ମନେ ହେଉନି । କଂଗ୍ରେସର ସମାବେଶକୁ ବିଫଳ  କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଥିବା ମନେ ହେଉଛି ।  ରାହୁଲଙ୍କ ଗସ୍ତକୁ ନେଇ ବହୁ ଆଗରୁ ଘୋଷଣା ହୋଇଛି । ମାତ୍ର ଏହି  ସମୟରେ ଉପୁଜିଥିବା ଡ୍ରାଇଭର ସଂଘର ଆନ୍ଦୋଳନକୁ ବନ୍ଦ କରିବା  ପାଇଁ ସରକାର ସମାଧାନ ବାଟ ବାହାର କରୁନାହାନ୍ତି । ସରକାର କଂଗ୍ରେସ ସମାବେଶକୁ ସଫଳ ନ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ରାଜନୈତିକ  ଷଡ଼ଯନ୍ତ୍ର ପାଇଁ ଓଡିଶା ଲୋକଙ୍କୁ ସରକାର ହଇରାଣ କରନ୍ତୁ ନାହିଁ ।  ଏଭଳି କଲେ କଂଗ୍ରେସ ଦଳ କେବେ ବରଦାସ୍ତ କରିବ ନାହିଁ । କଂଗ୍ରେସର ସମାବେଶ ଯେଭଳି ପ୍ରଭାବିତ ନ ହେବ, ସେଥିପାଇଁ  ଡ୍ରାଇଭର ସଂଘକୁ ପିସିସି ସଭାପତି ନିବେଦନ କରିଛନ୍ତି । 

ସେ  କହିଛନ୍ତି, ଡ୍ରାଇଭର ସଂଘ ପ୍ରତି କଂଗ୍ରେସ ଦଳର ସହାନୁଭୂତି ରହିଛି । ଆଜି ଯେତିକି ଗାଡ଼ି ସମାବେଶ ପାଇଁ ଆସିବେ, ସେମାନଙ୍କୁ ଆସିବା ପାଇଁ ଦିଆଯାଉ । ଆଜି ଗୋଟିଏ ଦିନ ପାଇଁ ଆନ୍ଦୋଳନକୁ  ପ୍ରତ୍ୟାହାର କରିବା ସେ ଡ୍ରାଇଭର ସଂଘକୁ ନିବେଦନ କରିଛନ୍ତି । 

ଭକ୍ତଙ୍କ ଅଭିଯୋଗର ଜବାବ ଦେଇ ବିଜେପି ମୁଖପାତ୍ର  ଅନୀଲ ବିଶ୍ୱାଳ କହିଛନ୍ତି, ଡ୍ରାଇଭର ସଂଘ ସହ ସରକାର  ଆଲୋଚନା ଜାରି ରଖିଛନ୍ତି । ପ୍ରକୃତ କଥା ହେଲା, କଂଗ୍ରେସର  ସମାବେଶ ପାଇଁ ଲୋକେ ଆସିବାକୁ ଆଗ୍ରହୀ ନୁହନ୍ତି । ତେଣୁ  କମ୍‌ ଲୋକେ ଆସୁଥିବାର ଜାଣିପାରି ପିସିସି ସଭାପତି ମିଛ  ଅଭିଯୋଗ କରୁଛନ୍ତି । ଖସିବାର ବାଟ ଖୋଜିବା ବାହାନାରେ  ଡ୍ରାଇଭର ସଂଘ ଓ ସରକାରଙ୍କୁ ଆଗୁଆ ଦୋଷ ଦେଉଛି କଂଗ୍ରେସ । 

ଆଜି ଦିନ ୧୧ଟା ପରେ ରାହୁଲ, ଖଡଗେ ଓ କଂଗ୍ରେସ  ମହାସଚିବ କେସି ଭେନୁଗୋପାଳ ଭୁବନେଶ୍ୱର ବିମାନବନ୍ଦରରେ  ପହଞ୍ଚିବେ । ସେଠାରୁ ହୋଟେଲ ମେ ଫେୟାର ଯିବେ । ପରେ  ବରମୁଣ୍ଡା ପଡ଼ିଆ ସମାବେଶରେ ପହଞ୍ଚିବେ । ଅପରାହ୍ନରେ କଂଗ୍ରେସ  ଭବନରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିବେ  ରାହୁଲ ଓ ଖଡ୍‌ଗେ । ସନ୍ଧ୍ୟାରେ ଉଭୟ ନେତା ଦିଲ୍ଲୀ ଫେରିଯିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.