ନୂଆଦିଲ୍ଲୀ, ୧୨/୦୭ : ବଦଳୁଛି ବୈଶ୍ଵିକ ଧାର୍ମିକ ପରିଦୃଶ୍ୟ। କମିବାରେ ଲାଗିଛନ୍ତି ହିନ୍ଦୁ। ଦ୍ରୁତ ଗତିରେ ବଢୁଛି ମୁସଲିମ ସମ୍ପ୍ରଦାୟଙ୍କ ସଂଖ୍ୟା। ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ବି ହ୍ରାସ। ଆସନ୍ତା ୨୫ ବର୍ଷ ଭିତରେ ଇଣ୍ଡୋନେସିଆକୁ ପଛରେ ପକାଇ ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହେବ ଭାରତ। ପ୍ୟୁ ରିସର୍ଚ୍ଚ ସେଣ୍ଟରର ତାଜା ରିପୋର୍ଟରୁ ଖୁଲାସା।
ରିପୋର୍ଟ ଅନୁସାରେ, ୨୦୧୦ ରୁ ୨୦୨୦ ମଧ୍ୟରେ ଅନ୍ୟ ଧର୍ମ ତୁଳନାରେ ମୁସଲିମଙ୍କ ସଂଖ୍ୟା ୩୪.୭ କୋଟି ବୃଦ୍ଧି ହୋଇଛି। ବୈଶ୍ଵିକ ସ୍ତରରେ ମୁସଲିମଙ୍କ ସଂଖ୍ୟା ୨୦୧୦ରେ ୨୩.୯ % ଥିବା ବେଳେ ୨୦୨୦ରେ ୨୫.୬%କୁ ବୃଦ୍ଧି ହୋଇଛି। ମୃତ୍ୟୁ ହାର ଅପେକ୍ଷା ଉଚ୍ଚ ଜନ୍ମହାର ଯୋଗୁଁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖାଲି ସେତିକି ନୁହେଁ ଧର୍ମ ପରିବର୍ତ୍ତନ ବି ସେମାନଙ୍କ ସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି।ସେହିପରି ୨୦୧୦ ରୁ ୨୦୨୦ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇଛି। ଯାହାକି ବୈଶ୍ଵିକ ଜନସଂଖ୍ୟା ବୃଦ୍ଧିର ବରାବର ରହିଛି। ୨୦୨୦ରେ ହିନ୍ଦୁଙ୍କ ସଂଖ୍ୟା ୧.୨ ଅରବ ଥିଲା। ଯାହାକି ବୈଶ୍ଵିକ ଜନସଂଖ୍ୟାର ୧୪.୯%। ୨୦୧୦ରେ ଭାରତରେ ହିନ୍ଦୁଙ୍କ ସଂଖ୍ୟା ୮୦% ଥିଲା। ୨୦୨୦ରେ ଏହା ୭୯%କୁ ଖସି ଆସିଛି। ହେଲେ ଭାରତରେ ମୁସଲିମ୍ଙ୍କ ସଂଖ୍ୟା ୩.୫୬ କୋଟି ବୃଦ୍ଧି ପାଇଛି। ହିନ୍ଦୁ ଧର୍ମରେ ଧର୍ମ ପରିବର୍ତ୍ତନ ସଂଖ୍ୟା କମ୍ ଏବଂ ଜନ୍ମହାର ବୈଶ୍ଵିକ ଜନସଂଖ୍ୟା ବୃଦ୍ଧିର ବରାବର ହୋଇଥିବାରୁ ଏମାନଙ୍କ ସଂଖ୍ୟାରେ ସ୍ଥିରତା ରହିଛି। ଏବେ ଭାରତ, ନେପାଳ ଏବଂ ମରିସସ୍ରେ ସବୁଠୁ ଅଧିକ ହିନ୍ଦୁ ସମୂହ ଅଛନ୍ତି।
ବିଶ୍ଵରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨.୩ ଅରବକୁ ବୃଦ୍ଧି ପାଇଛି। ହେଲେ ବୈଶ୍ଵିକ ସ୍ତରରେ ସେମାନଙ୍କ ସଂଖ୍ୟା ୩୦.୬% ରୁ ୨୮.୮% କୁ ହ୍ରାସ ପାଇଛି। ଧର୍ମ ପରିବର୍ତ୍ତନ ଯୋଗୁଁ ସେମାନଙ୍କ ସଂଖ୍ୟା କମିଛି। ବିଶେଷକରି ୟୁରୋପ, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା କମିଛି। ସବୁଠୁ ବଡ଼ କଥା ହେଲା ନାସ୍ତିକ ଲୋକଙ୍କ ସଂଖ୍ୟା ୨୭ କୋଟିରୁ ୧.୯ ଅରବକୁ ବୃଦ୍ଧି ପାଇଛି। ଯାହାକି ବୈଶ୍ଵିକ ଜନସଂଖ୍ୟାର ୨୪.୨%। ଏହି ସମୂହ ମୁସଲିମ୍ଙ୍କ ପରେ ଦ୍ଵିତୀୟ ବଡ଼ ସମୂହ ଭାବରେ ମୁଣ୍ଡ ଟେକିଛନ୍ତି। ଚୀନରେ ସବୁଠୁ ଅଧିକ ୭୮.୩% ନାସ୍ତିକ ଅଛନ୍ତି। ସେହିପରି ବୌଦ୍ଧ ଧର୍ମୀଙ୍କ ସଂଖ୍ୟା ବି କମିଛି।
ଏହି ସଂଖ୍ୟା ଜାରି ରହିଲେ ୨୦୫୦ ସୁଦ୍ଧା ବିଶ୍ଵରେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବରାବର ହୋଇଯିବ। ଆଗାମୀ ୨୫ ବର୍ଷ ଭିତରେ ଭାରତ ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହୋଇଯିବ।