ମାଲକାନଗିରି, ୧୨/୦୭ : ଭୁଶୁଡ଼ୁଛି ଲାଲଗଡ଼। ମାଓ ସଙ୍ଗଠନରୁ ମୁହଁ ଫେରାଉଛନ୍ତି ନକ୍ସଲ। ହିଂସା ପଥ ଛାଡ଼ି ଅସ୍ତ୍ର ଛାଡ଼ିଲେ ୨୨ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର IG ଏବଂ ନାରାୟଣପୁର ଜିଲ୍ଲା SPଙ୍କ ନିକଟରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଏମାନଙ୍କ ମୁଣ୍ଡ ଉପରେ ମୋଟ ୩୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଥିବାବେଳେ ୮ ଜଣ ମହିଳା ରହିଛନ୍ତି। ସୁରକ୍ଷା ବାହିନୀର ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହୋଇ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି। ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ୍ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଛି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ଏବଂ ମୁଖ୍ୟସ୍ରୋତରେ ସାମିଲ କରାଯିବ ବୋଲି ବସ୍ତର IG ସୁନ୍ଦର ରାଜ ପି କହିଛନ୍ତି।
ମାଓ ସଙ୍ଗଠନର ବଡ଼ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହା ସହ ପୁଲିସ ପକ୍ଷରୁ ଘନ ଘନ କମ୍ଵିଂ ଅପରେସନ ଯୋଗୁଁ ମାଓବାଦୀମାନେ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରୁଛନ୍ତି। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ୧୦୩୯ ଜଣ ନକ୍ସଲ ହିଂସାର ପଥ ଛାଡି ଆତ୍ମସମର୍ପଣ କରିସାରିଛନ୍ତି । ଆଗକୁ ଆହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।