ଭୁବନେଶ୍ୱର ୧୧/୦୭: ଚତୁର୍ଥ ଦିନରେ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ୩ ଦିନ ଧରି ଘାଣ୍ଟି ହେଉଛନ୍ତି ଓଡ଼ିଶାବାସୀ । ରାସ୍ତାରୁ ରୋଷେଇ ଘର ସବୁଠି କଲବଲ । ଯାତ୍ରୀବାହୀ ବସ୍ ସେବା ବନ୍ଦ ଯୋଗୁ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି ହଜାର ହଜାର ଯାତ୍ରୀ । ବହୁ ଗୁରୁତର ରୋଗୀ ହସ୍ପିଟାଲକୁ ଯାଇ ପାରୁନାହାନ୍ତି । କର୍ମକ୍ଷେତ୍ରରେ ପହଞ୍ଚିବା କାଠିକର ପାଠ ହେଲାଣି । ଟ୍ରେନ୍ରେ ଯାତ୍ରା ବେଳେ ଠେଲାପେଲା ପରିସ୍ଥିତି ଉପୁଜିଲାଣି । ଖାଦ୍ୟ ସାମଗ୍ରୀ ଓ ପରିବା ବୋଝେଇ ଗାଡ଼ି ପହଞ୍ଚି ପାରୁନି। ଫଳରେ ପରିବା ଦର ବଢ଼ିଯାଉଛି ।
ଅବଶ୍ୟ, ୪ ତୈଳ ଡିପୋରୁ ଦିନକରେ ୪ଶହ ତୈଳ ଟ୍ୟାଙ୍କର ପେଟ୍ରୋଲ ପମ୍ପକୁ ପଠାଯାଉଛି । ବାହାର ରାଜ୍ୟର ଖାଉଟି ସାମଗ୍ରୀ ବୋଝେଇ କିଛି ଟ୍ରକ ଓଡ଼ିଶା ଭିତରକୁ ଛଡ଼ାଯାଉଛି । ପରିବା ବୋଝେଇ ଟ୍ରକ ବି ବଜାର ହାଟରେ ପହଞ୍ଚାଯାଉଛି । କିନ୍ତୁ ହାତଗଣତି ଟ୍ରକରେ ପଠାଯାଉଥିବା ପେଟ୍ରୋଲ ଓ ଖାଉଟି ସାମଗ୍ରୀ ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇ ପାରିବନି । ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନ ସୁଧୁରିଲେ, ଆଗକୁ ସଙ୍କଟ ଆହୁରି ଘନେଇବ ବୋଲି ଜଳଜଳ ଦିଶିଲାଣି ।
ଅନ୍ୟପଟେ ଜିଦ୍ରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭରମାନେ ଆନ୍ଦୋଳନ ମଇଦାନ ଛାଡ଼ିବାକୁ ନାରାଜ । ବରଂ ଦୁଇ ଦିନର ଶାନ୍ତିପୂର୍ଣ୍ଣ ଧାରଣା ଗତକାଲି ସାଂଘାତିକ ରୂପ ନେଇଥିଲା । ଡ୍ରାଇଭରମାନେ କିଛି ସ୍ଥାନରେ ଆଇନ୍କୁ ହାତକୁ ନେଇଥିଲେ । ଟିଟଲାଗଡ଼ ସଇଁତଳା ଲାଚୁଟ ଛକରେ ୪ଟି ତେଲ ଟ୍ୟାଙ୍କରକୁ ଅଟକାଇଥିଲେ । ଏନ୍ଏଚ୍ ନଂ ୫୭ର ବଲାଙ୍ଗିର-ସୋନପୁର ଟୋଲଗେଟ୍ରେ ଆନ୍ଦୋଳନ ବେଳେ ଷ୍ଟିଅରିଂ ଧରୁଥିବା ଡ୍ରାଇଭରମାନଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ପିଟିଥିଲେ । ବାରିପଦା ସହର ଉପକଣ୍ଠ ପାଲବଣିରେ ବସ୍, ଟ୍ରକ ସାମ୍ନାରେ ଧାରଣାରେ ବସିଥିଲେ । ଆଉ କିଛି ଆନ୍ଦୋଳନକାରୀମାନେ ଟ୍ରକ, ବସ୍କୁ ଅଟକାଉଛନ୍ତି । ସେମାନଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିବା ସହ ଜୟ ଜଗନ୍ନାଥ କହିଥିଲେ।
ତେଲ ସଙ୍କଟ ଆଶଙ୍କାରେ ଗତକାଲିଠୁ ରାଜ୍ୟର ପ୍ରାୟ ସବୁ ପେଟ୍ରୋଲ ପମ୍ପରେ ଗାଡ଼ିର ଲାଇନ୍ ଲମ୍ବୁଛି । ଏହି ଟେନସନ ଦୂର କରିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତତ୍ପର ହୋଇଛନ୍ତି । ଉତ୍କଳ ପେଟ୍ରୋଲିୟମ ଡିଲରର୍ସ ଆସୋସିସଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପାରାଦୀପ, ଜଟଣୀ, ଝାରସୁଗୁଡ଼ା ଓ ବାଲେଶ୍ୱର ଡିପୋରୁ ବାହାରୁଥିବା ଟ୍ୟାଙ୍କରଗୁଡ଼ିିକୁ ପୁଲିସ ଏସକର୍ଟ କରି ପେଟ୍ରୋଲ ପମ୍ପ ଯାଏଁ ଅଣାଯାଇଥିଲା ।
ପେଟ୍ରୋଲିୟମ ଡିଲରର୍ସ ସଂଘ ସଭାପତି ଶଶାଙ୍କ ଶେଖର ସାହୁଙ୍କ କହିବା ମୁତାବକ, ରାଜ୍ୟର ପ୍ରାୟ ୩୧୦୦ ପମ୍ପରେ ମହଜୁଦ ଥିବା ପେଟ୍ରୋଲ, ଡିଜେଲ ଆଗାମୀ ୨ଦିନ ନିଅଣ୍ଟ ହେବନି । କିଛି ସ୍ଥାନରେ ଆନ୍ଦୋଳନକାରୀମାନେ ଟ୍ୟାଙ୍କରକୁ ଅଟକାଉଛନ୍ତି । ଟ୍ୟାଙ୍କର ପରିବହନକୁ ପୁଲିସ ସୁରକ୍ଷା ଦେଉଛି । ଲୋକେ ଭୟଭୀତ ହୁଅନ୍ତୁନି । ପେଟ୍ରୋଲ ପମ୍ପରେ ଅଯଥା ଭିଡ଼ ନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପାରାଦୀପରେ ଥିବା ଭାରତ ପେଟ୍ରୋଲିୟମ ତୈଳ ଡିପୋରୁ ୧୧୦ଟି ଟ୍ୟାଙ୍କର, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ରୁ ୧୦୦ଟି ଟ୍ୟାଙ୍କର ସମେତ ପାରାଦୀପ ଓ ଜଟଣୀର ଇଣ୍ଡିଆନ ଅଏଲ ଡିପୋରୁ ୨୦୩ଟି ତୈଳ ଟ୍ୟାଙ୍କର ବାହାରିଥିଲା । ପୁଲିସ ସୁରକ୍ଷା ବଳୟରେ ଏହି ୪୧୩ଟି ଟ୍ୟାଙ୍କର୍ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପକୁ ପଠାଯାଇଥିଲା ।
ପାରାଦୀପରେ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନତମାମ ପୁଲିସର ଏସକର୍ଟ ଚାଲିଥିଲା । କଟକ, ଭୁବନେଶ୍ୱର, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ଫୁଲବାଣୀ, ଟେନ୍ସା ଘାଟି ଆଦି ଅଞ୍ଚଳକୁ ଏସବୁ ତେଲ ଟ୍ୟାଙ୍କର ପଠାଯାଇଛି । ଦଶଚକିଆ ତେଲ ଟ୍ୟାଙ୍କର୍ରେ ୨୦ ହଜାର ଲିଟର, ୬ ଚକିଆରେ ୧୨ ହଜାର ଲିଟର, ୬ ଚକିଆ ନୂଆ ମଡେଲରେ ୧୪ ହଜାର ଲିଟର, ୧୨ ଚକିଆ ତେଲ ଟ୍ୟାଙ୍କର୍ରେ ୨୯ ହଜାର ଲିଟର ତେଲ ଭର୍ତ୍ତି ହେଉଛି ।
ଅନ୍ୟପଟେ ଡ୍ରାଇଭର ମହାସଂଘର ଲଗାତାର ୩ ଦିନ ଧରି ଧାରଣାକୁ ଅନେକ ଡ୍ରାଇଭର ବିରୋଧ କରିବା ଆରମ୍ଭ କଲେଣି । ୩୫ଟି ଡ୍ରାଇଭର ସଂଘରୁ ପ୍ରାୟ ୧୦ରୁ ଅଧିକ ଡ୍ରାଇଭର ଏହି ଷ୍ଟିଅରିଂ ଛାଡ଼କୁ ବିରୋଧ କରୁଛନ୍ତି । ସେମାନେ ବସ୍ ଚଳାଉଛନ୍ତି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା ମୁତାବକ, ଯେଉଁ ଡ୍ରାଇଭରମାନେ ଗାଡ଼ି ଚଳାଇବାକୁ ରାଜି ହେଉଛନ୍ତି, ସେମାନଙ୍କୁ ମାଲିକମାନେ ବସ୍ ଦେଉଛନ୍ତି । ଗୁରୁବାର ସନ୍ଧ୍ୟାରେ ୫୦ରୁ ଅଧିକ ନାଇଟ୍ କୋଚ ବସ୍ ବରମୁଣ୍ଡା ବସ୍ ଟର୍ମିନାଲ ଛାଡି଼ଛି । ଏସବୁ ବସ୍ ବାରିପଦା, ବାଲେଶ୍ୱର, କୋଲକାତା, ଟାଟା, ରାଉରକେଲା, ସମ୍ବଲପୁରକୁ ଗଡି଼ଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ବୋଲି ଆଶା ଅଛି ।
ଭିଡିଓ ଜାରି କଲେ ଡ୍ରାଇଭର ସଂଘ ସଭାପତି, କଂଗ୍ରେସ କର୍ମୀଙ୍କ ଗାଡ଼ି ଅଟକିବନି
ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅନୁରୋଧ ରକ୍ଷା କରିଛନ୍ତି ଧର୍ମଘଟ ଚଳାଇଛନ୍ତି ଡ୍ରାଇଭର ମହାସଂଘ । ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଭାକୁ ଯାଉଥିବା ଗାଡ଼ିମୋଟରକୁ କେହି ଅଟକାଇବେ ନାହିଁ । ଏ ନେଇ ସେ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ ଅନୁରୋଧ କରିଛନ୍ତି । ଏହାସହ କଂଗ୍ରେସ କର୍ମୀଙ୍କୁ ନେଇ ଆସୁଥିବା ଗାଡ଼ିର ଡ୍ରାଇଭରମାନେ କୌଣସି ପ୍ରକାର ଭୟଭୀତ ନ ହେବାକୁ କହିଛନ୍ତି । କୌଣସି ସ୍ଥାନରେ ଆନ୍ଦୋଳନରତ ଡ୍ରାଇଭରମାନେ କଂଗ୍ରେସ କର୍ମୀଙ୍କୁ ହଇରାଣ କରିବେ ନାହିଁ ବୋଲି ଶ୍ରୀ ମେଣ୍ଡୁଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ଦଳ ଡ୍ରାଇଭରମାନଙ୍କ ଦାବି ଓ ଆନ୍ଦୋଳନକୁ ପୂର୍ବରୁ ସମର୍ଥନ ଜଣାଇଛି । ଯେହେତୁ କଂଗ୍ରେସର ନେତା ଆସୁଛନ୍ତି, ତାଙ୍କ ସଂଗଠନର ଲୋକେ ସେଥିରେ ସାମିଲ ହେବେ । ଏଭଳି କାର୍ଯ୍ୟକ୍ରମକୁ ଆମେ କେବେ ବିରୋଧ କରିବୁ ନାହିଁ ।