ଅନୁଗୁଳ, ୧୨/୦୭: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମରେ ସାପ କାମୁଡାରେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହାତୀବାରି ଗ୍ରାମର ଅକ୍ରୁର ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା (୧୨ ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ହାତୀବାରି ଗ୍ରାମର ଅକ୍ରୁର ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା ଶୁକ୍ରବାର ବିଳମ୍ବିତ ରାତିରେ ମାଆଙ୍କ ସହିତ ପରିସ୍ରା କରି ଉଠିଥିବା ବେଳେ ଗୋଟିଏ ସାପ କାମୁଡି ଦେଇଥିଲା। ପୁଅକୁ ଡାକ୍ତରଖାନାକୁ ନେବାପାଇଁ ପରିବାର ଲୋକେ ରାତିରେ ପ୍ରଥମେ ଏକ ଗାଡି ବୁଝିଥିଲେ ହେଲେ କୌଣସି ଗାଡି ମିଳି ନଥିଲା। ପରବର୍ତ୍ତୀ ସମୟରେ ଗାଁଠାରୁ କିଛି ଦୂରକୁ ଯାଇ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ଜାଣିବାକୁ ପାଇଥିଲେ । ଉପାୟ ଶୂନ୍ୟ ହୋଇ ଗାଁଠାରୁ ୭ କିଲୋମିଟର ଯାଇ ସମ୍ପର୍କୀୟଙ୍କ ସହାୟତାରେ ଅନୁଗୁଳରୁ ଘରୋଇ ଆମ୍ବୁଲାନ୍ସ ମଗାଇଥିଲେ । ସକାଳ ୬ ଟାରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ୮ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।