ଛେଣ୍ଡିପଦା, ୨୫/୦୬( ଲଳିତ ପ୍ରଧାନ): ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କତଡା ଗ୍ରାମରେ ବନବିଭାଗ ହାତୀ ସ୍କ୍ୱାଡ୍ର ଜଣେ ସଦସ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଯୁଗଳ ନାଏକ । ୮ଟିକିଆ ହାତୀପଲର ଦନ୍ତା ହାତୀ ଯୁଗଳଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା।
ସୂଚନା ମୁତାବକ, ଗତ କିଛି ଦିନ ହେବ ଜରପଡା ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ଚଳାଇଛନ୍ତି । ବନ କର୍ମଚାରୀ ଓ ହାତୀ ସ୍କ୍ୱାଡ୍ ଗାଁ ପାଖକୁ ଆସୁଥିବା ହାତୀପଲ ଉପରେ ନଜର ରଖିଥିଲେ। ତେବେ ବୁଧବାର ଭୋରୁ କତଡା ଗ୍ରାମର ଡଙ୍ଗାସାହିରୁ ଜଙ୍ଗଲକୁ ହାତୀପଲକୁ ଘଉଡାଇବା ସମୟରେ ଦଳ ମଧ୍ୟରୁ ଦନ୍ତା ହାତୀ ବହାରି ଯୁଗଳଙ୍କୁ କଚାଡି ଦେଇଥିଲା । ଫଳରେ ଯୁଗଳଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବନାଞ୍ଚଳ ଅଧିକାରୀ ଓ ପୁଲିସ ବୁଝାସୁଝା କରୁଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ପରିବାରରୁ ଜଣକୁ ନିଯୁକ୍ତି ପାଇଁ ଲୋକେ ଦାବି କରିଛନ୍ତି ।