ଅନୁଗୁଳ,୧୧/୦୭: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମ ନିକଟରେ ଦୁର୍ଘଟଣା । ଟ୍ରେଲର ପଛରେ ପିଟିହେଲା ବାଇକ୍ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଟିପିରିସିଂହା ମାଳିସାହି ଅଞ୍ଚଳର ସମୀର ନାଏକ (୨୨ ବର୍ଷ) ।
ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଟିପିରିସିଂହା ମାଳିସାହି ଅଞ୍ଚଳର ସମୀର ନାଏକ ସାଙ୍ଗ ସହିତ ନାକଚି ଯାଇ ଘରକୁ ଫେରୁଥିଲେ । ଫେରିବା ବେଳେ ଜରପଡା ଥାନା ତୁବେ ଗାଁ ନିକଟରେ ଏକ ଟ୍ରେଲରକୁ ପଛରେ ପିଟି ହୋଇଥିଲେ । ଟ୍ରେଲର ଆଗକୁ ଗୋଟିଏ ଷଣ୍ଢ ପଳାଇ ଆସିବାରୁ ଚାଳକ ହଠାତ ବ୍ରେକ୍ ମାରିଥିଲେ । ଯାହା ଫଳରେ ସମୀର ଓ ତାଙ୍କ ସାଙ୍ଗ ଟ୍ରେଲର ପଛରେ ପିଟି ହୋଇଯାଇଥିଲେ । ସ୍ଥାନୀୟଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସମୀରକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସମୀରଙ୍କ ଭାଇ ଅଭୟ ନାଏକ ଜରପଡା ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।