ତାଳଚେର,୧/୭ : ଝିଅକୁ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ମା' ମୃତ ଝିଅ ଗୁରୁତର। ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା କୋଲିୟରୀ ବ୍ୟାଙ୍କ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଝିଅକୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ସୋମବାର ସକାଳ ପ୍ରାୟ ୭ଟାରେ ପ୍ରବୀଣା ସାହୁ ତାଙ୍କ ୯ ବର୍ଷର ଝିଅକୁ ସ୍କୁଲ ଛାଡ଼ିବାକୁ ସ୍କୁଟି ଯୋଗେ ଯାଉଥିଲେ। ଦେଉଳବେଡା କୋଲିୟରୀ ବ୍ୟାଙ୍କ ନିକଟସ୍ଥ ରାସ୍ତାରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ପ୍ରବୀଣାଙ୍କର ମୃତ୍ୟୁ ହୋଇଥିଲା। ଝିଅ ସାନଭୀ ଗୁରୁତର ହୋଇଥିଲେ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ନାବାଳିକାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି।
ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସ୍ୱାମୀ ନିରାକାର ସାହୁ ତାଳଚେର ରେଳବାଇର କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେମାନେ ସ୍ଥାନୀୟ ବାଘୁଆବୋଲ ଅଞ୍ଚଳରେ ରହୁଛନ୍ତି। ତାଙ୍କ ନିଜ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡିଛି।