ଭଞ୍ଜନଗର, ୧୨/୦୭: ଜୈବ ବିବିଧତାରେ ଭରପୁର ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଗୟଳଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ବନଖଣ୍ଡର କେନ୍ଦ୍ରୀୟ ଓ ତାରାସିଂ ବନାଞ୍ଚଳରେ ଗୟଳମାନେ ବିଚରଣ କରୁଥିବା ଡ୍ରୋନ୍ ଓ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଠାବ କରିଛି ବନ ବିଭାଗ । ଦେଶ ତଥା ରାଜ୍ୟର ବହୁ କମ୍ ସ୍ଥାନରେ ଦେଖାଯାଉଥିବା ଏହି ପ୍ରଜାତିର ପଶୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବନ ବିଭାଗ ଏବେ ତତ୍ପର ହୋଇଉଠିଛି ।
ବର୍ଷକ ପୂର୍ବେ ଉତ୍ତର ଘୁମୁସର ବନଖଣ୍ଡରେ ମହାରାଷ୍ଟ୍ରରୁ ଖସି ଆସିଥିବା ମହାବାଳ ବାଘ ଦେଖାଦେବା ଓ ଜଙ୍ଗଲରୁ ଗୟଳ ମାରି ଖାଇବା ପରେ ବନ ବିଭାଗ ଏହି ବନଖଣ୍ଡରେ ଗୟଳ ରହିଥିବା ନେଇ ସ୍ପଷ୍ଟ ଜାଣିପାରିଥିଲା । ପରେ ଏହି ବନଖଣ୍ଡର ସମସ୍ତ ୫ଟି ରେଞ୍ଜ୍ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ଡ୍ରୋନ୍ ଓ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଫଟୋ ଉତ୍ତୋଳନ କରାଯିବା ପରେ କେନ୍ଦ୍ରୀୟ ବନାଞ୍ଚଳର ମାଳତୀ ଓ କାଳିଆମ୍ବା ସଂରକ୍ଷିତ ଜଙ୍ଗଲ ସମେତ ତାରାସିଂ ବନାଞ୍ଚଳର ଚନ୍ଦ୍ରଗିରି ଓ ଆମ୍ବଝରା ଜଙ୍ଗଲରେ ଗୟଳ ଥିବା ଜଣାପଡ଼ିଥିଲା । ଏବେ ଏହି ପଶୁ ବଂଶର ସୁରକ୍ଷା ଓ ସଂରକ୍ଷଣ ନେଇ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି । ଗୟଳମାନଙ୍କ ପାଇଁ ବ୍ୟାପକ ଚାରଣ ଭୂମି ପ୍ରସ୍ତୁତି ସହ ସେମାନଙ୍କ ପାଇଁ ନୂତନ ପୋଖରୀ ଖନନ, ପୁରୁଣା ପୋଖରୀର ମରାମତି, ଗତିବିଧି ଲକ୍ଷ୍ୟ ପାଇଁ ୱାଚ୍ ଟାୱାର ନିର୍ମାଣ ଆଦି କାର୍ଯ୍ୟ ଏବେ ବନ ବିଭାଗ ହାତକୁ ନେଇଛି । ଗୟଳ ବର୍ତ୍ତମାନ ବିଶେଷ ଭାବେ ମାଳତୀ ସଂରକ୍ଷିତ ଜଙ୍ଗଲରେ ଅଧିକ ସଂଖ୍ୟାରେ ଅଛନ୍ତି । ଡିଏଫ୍ଓଙ୍କ କହିବା ପ୍ରକାରେ ଏମାନେ ସଂଘବଦ୍ଧ ଭାବେ ଘୁରି ବୁଲିଥାନ୍ତି । ମାଳତୀ ଜଙ୍ଗଲରେ ଏମାନଙ୍କ ୭ଟି ଦଳ ରହିଥିବା ବେଳେ ଗୋଟିଏ ଗୋଟିଏ ଗୋଷ୍ଠୀରେ ୧୦ରୁ ୧୨ଟି ଲେଖାଏଁ ଗୟଳ ରହିଥାନ୍ତି । ତେଣୁ ଏହି ବନଖଣ୍ଡରେ ଶତାଧିକ ଗୟଳ ରହିଥିବା ଅନୁମାନ କରିଛି ବନ ବିଭାଗ । ଯେହେତୁ ଏମାନଙ୍କ ଗଣନା ହୋଇନାହିଁ ତେଣୁ ଏମାନଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ । ଆଗକୁ ଗୟଳ ଗଣନା କାମ କରାଯିବ ବୋଲି ଡିଏଫଓ କହିଛନ୍ତି ।
ଉତ୍ତର ଘୁମୁସର ବନଖଣ୍ଡରେ ଏବେ ବିରଳ ପାଟ ମୂଷା, ଜାତୀୟ ପକ୍ଷୀ ମୟୁର ଓ କୃଷ୍ଣସାର ମୃଗ ସମେତ ଗୟଳ ଆଦି ପ୍ରଜାତିର ପଶୁପକ୍ଷୀ ଥିବା ବେଳେ କଲରାପତରିଆ ବାଘ ବଂଶ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ କାଳିଆମ୍ବା ସଂରକ୍ଷିତ ଜଙ୍ଗଲରେ ବିରଳ କଳା କଲରାପତରିଆ ଦେଖା ଦେଇଥିବା ନେଇ କିଛି ଲୋକ କହୁଥିବା ବେଳେ ଏନେଇ ବନ ବିଭାଗ ପାଖରେ ସେଭଳି କିଛି ସ୍ପଷ୍ଟ ସୂଚନା ନଥିବା ଡିଏଫ୍ଓ ପ୍ରକାଶ କରିଛନ୍ତି । ତଥାପି ଉକ୍ତ ଇଲାକାର କେତେକ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଇବା ସହ ଆବଶ୍ୟକ ସ୍ଥଳେ ଡ୍ରୋନ୍ ବୁଲାଇ ଲୋକଙ୍କ କଥାର ବାସ୍ତବତା କେତେ ତାବା ପରୀକ୍ଷା କରାଯିବ ବୋଲି ଡିଏଫ୍ଓ ସ୍ପଷ୍ଟ କରିଛନ୍ତି ।