ବାଲେଶ୍ୱର, ୧୨/୦୭ : ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା। ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଛାତ୍ରୀ। ବାଲେଶ୍ଵର ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ବିଇଡି ୨ୟ ବର୍ଷର ଜଣେ ଛାତ୍ରୀ ସେଠାକାର ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ସେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଧ୍ୟାପକ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିବା କହିଥିଲେ। ଏମିତିକି ତାଙ୍କ କଥାରେ ରାଜି ନହେଲେ ବ୍ୟାକ୍ ଲଗାଇ ଦେବାକୁ ମଧ୍ୟ ଧମକ ଦେଇ ଅସଦାଚରଣ କରିଥିଲେ। ଏହି ଘଟଣାରେ ନ୍ୟାୟ ନମିଳିଲେ ବାଧ୍ୟହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଅପରପକ୍ଷରେ ଏହି ଘଟଣାକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଛାତ୍ର ସଙ୍ଗଠନ ବିରୋଧ କରିବା ସହ ଅଭିଯୋଗ ଆସିଥିବା ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଛାତ୍ରୀ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜ୍ୟୋତିପ୍ରକାଶ ଟାଙ୍କି ଗୁରୁତର ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।