ଭବାନୀପାଟଣା,୧୨/୭ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧିନ ମୂଷିଗୁଡ଼ା ଗାଁରେ ଏକ ଅବାଭନୀୟ ଘଟଣା ସାମ୍ନାକୁ ଆସିଛି l ଜଣେ ବୃଦ୍ଧା ୬୧ବର୍ଷିୟା ମହିଳାଙ୍କୁ ସେହି ଗାଁର ଜଣେ ଯୁବକ ଶୋଇଥିବା ଅବସ୍ଥରେ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବର ଗାଁର ଜନନୀ ହରିଜନ(୬୧)ଙ୍କ ପରିବାର ଲୋକେ ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ ମୂଷିଗୁଡା ଗାଁରେ ଦୀର୍ଘ ୧୦ବର୍ଷ ହେଲା ପୋଡୁ ଚାଷ କରି ବସବାସ କରିଆସୁଥିଲେ l ଶୁକ୍ରବାର ମୂଷିଗୁଡାସ୍ଥିତ ନିଜ ଘରେ ଜନନୀ ହରିଜନ ଓ ସୁଦାମା ହରିଜନ ଦୁଇ ଜଣ ରାତିରେ ଶୋଇ ଥିବାବେଳେ ଉକ୍ତ ଗାଁର ସଂଜୀବ ନାଏକ (୨୦) ରାତିରେ ଆସି ବୃଦ୍ଧା ଜନନୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି l
ଘଟଣା ସମ୍ପର୍କରେ ଖବରପାଇ ଭବାନୀପାଟଣା ସଦର ପୁଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକ ଦୋଷୀଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଲିଖିତ ଦାବି କରିଛନ୍ତି l ହତ୍ୟାର କାରଣ ଅସ୍ପଷ୍ଟ। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।