ପୁରୀ,୧୧/୭ : ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍ । ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ପୁରୀ ବସଷ୍ଟାଣ୍ଡ ପରିସରରେ ଥିବା ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ଏବଂ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି।
ତେବେ ବସ ଚଳାଚଳ ସମୟରେ ରାଜ୍ୟ ସରକାର ସୁରକ୍ଷା ଦେବା ପାଇଁ ମାଲିକ ସଂଘ ଦାବି କରିଛନ୍ତି । ସେପଟେ ଗତ ୮ତାରିଖରୁ ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ବସ୍ ଚଳାଚଳ ବନ୍ଦ ରହିଛି । ଆଜି ୧୧ ତାରିଖ ଡ୍ରାଇଭର ମହାସଂଘର ସଭାପତି ବିବୃତି ଦେଇ କହିଛନ୍ତି କୌଣସି ବସକୁ ବାଟରେ ଅଟକା ଯାଉନାହିଁ । କିନ୍ତୁ ଗତକାଲି ସମ୍ବଲପୁର ଦେଇ ଆସୁଥିବା ଜେତେକ ବସକୁ ରେଢାଖୋଲ ଓ ଅନୁଗୁଳ ଆର.ଟି.ଓ. ଅଫିସ ପାଖରେ ଆକ୍ରମଣ କରି ବସ ଗୁଡିକର କାଚ ଭାଙ୍ଗି ଦିଆଯାଇଛି। ତେବେ ଏମାନେ କିଏ ବୋଲି ରାଜ୍ୟ ବସ୍ ମାଲିକ ସଂଘ ପ୍ରଶ୍ନ କରିଛି? ଅନ୍ୟପଟେ କେନ୍ଦ୍ରାପଡା ରୁଟ୍ରେ ରାଜକନିକା, ଦୁହୁରିଆ ନିକଟରେ ଗାଡିକୁ ଅଟକାଇ ଛାଡୁନାହାନ୍ତି ଓ ପାରାଦୀପ ରାସ୍ତାର ଭୁତମୁଣ୍ଡାଇ, ବଲାଙ୍ଗିର ଖଡିଆଳ ଭୁବନେଶ୍ବର ରାସ୍ତାରେ ଦଶପଲ୍ଲା ଓ ନୟାଗଡ଼ଠାରେ ଗାଡିକୁ ନଛାଡିବା ଓ ଭୁବନେଶ୍ବର - ପୁରୀ ରାସ୍ତାରେ ପିପିଲି ଟୋଲ ଗେଟ, ସାକ୍ଷୀଗୋପାଳ ବ୍ଲକ ଛକ ମାଳତିପାଟପୁର ଠାରେ ବସ ଗୁଡିକୁ ଅଟକା ଯାଉଛି।
ଏହାଦ୍ଵାରା ଯାତ୍ରୀ ପରିବହନ କ୍ଷେତ୍ରରେ ଅଚଳାବସ୍ଥା ବାରଣ ରହୁଥିବାରୁ ସାଧାରଣ ଯାତ୍ରୀ ବହୁ ହଇରାଣ ହେଉଛନ୍ତି। ଏଣୁ ଯାତ୍ରୀବାହୀ ବସ୍ ଗୁଡିକୁ କୌଣସି ଯାଗାରେ ହଇରାଣ ନ କରି ଚଳାଚଳରେ ସୁବିଧା କରନ୍ତୁ ଏବଂ ରାଜ୍ୟ ସରକାର ଯାତ୍ରୀମାନଙ୍କ ସୁରକ୍ଷା ଓ ବସ୍ ଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ କରନ୍ତୁ ବୋଲି ଦାବି ହୋଇଛି । ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି।