ପାଟଣାଗଡ,୧୧/୭ : ପାଟଣାଗଡ଼ ବ୍ଲକରେ ସମିତି ସଭ୍ୟସଭ୍ୟା ଓ ଏନଏସିରେ କାଉନସିଲରଙ୍କ ଆନ୍ଦୋଳନ ଆଜି ୧୪ ଦିନରେ ପହଞ୍ଚିଛି । ଦୀର୍ଘ ୧୪ଦିନ ଧରି ବ୍ଲକ ଓ ଏନ୍ଏସିରେ ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ସାମୁହିକ ବିକାଶ ପାଇଁ ଧାରଣାରେ ବସିଥିଲେ। କିନ୍ତୁ ଚାପ ଗ୍ରସ୍ତ ଥିବା ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ ସମିତି ସଭ୍ୟସଭ୍ୟା ଏବଂ କାଉନସିଲରମାନଙ୍କ ନ୍ୟାର୍ଯ୍ୟ ଦାବିର ସମାଧାନ କରିପାରିଲେ ନାହିଁ । ଯାହାକୁ ନେଇ ଆସନ୍ତା ସୋମବାରଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ସମିତି ସଭ୍ୟସଭ୍ୟାମାନେ ଆମରଣ ଅନଶନରେ ବସିବେ ବୋଲି ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝୀ ଏବଂ ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏଥିସହ ସେମାନେ ଏ ସମ୍ପର୍କରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ଉପଖଣ୍ଡ ପୁଲିସ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଏବଂ ଥାନା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଆମରଣ ଅନଶନରେ ବସିବାକୁ ଯାଉଥିବା ସମିତି ସଭ୍ୟସଭ୍ୟାଙ୍କ ଯଦି କିଛି ଅଘଟଣ ଘଟେ ତା’ହେଲେ ପ୍ରତ୍ୟେକ୍ଷ ଭାବେ ପ୍ରଶାସନିକ ଅଧିକାରୀଙ୍କ ସହ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ସେମାନଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି।
ପ୍ରକାଶ ଯେ, ଗତ ୮ ମାସ ହେବ ବ୍ଲକ ଓ ଏନଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି। ଏ ନେଇ ସମିତି ସଭ୍ୟସଭ୍ୟା ଓ କାଉନସିଲରମାନେ ବିଡିଓ, ଏନଏସି ଇଓ, ଉପଜିଲ୍ଲାପାଳ ପରିଶେଷରେ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରି ନିରାଶ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଥିଲେ।