ଜଗତସିଂହପୁର,୧୪/୦୬: ସ୍ଥାନୀୟ ପଲ୍ଲୀ କାଟସିଙ୍ଗପୁର ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟ ଉପରେ ଚଢ଼ଉ କରିଛି ଜଗତସିଂହପୁର ପୁଲିସ । ଗୁପ୍ତ ସୂଚନା ଆଧାରରେ ପୁଲିସ ଟିମ୍ ଠିକଣା ଜାଗାରେ ତନାଘନା କରିଥିଲେ । ଯାଞ୍ଚ ସମୟରେ ଏକ ପ୍ରକୋଷ୍ଠରୁ ଜଣେ ଯୁବତୀଙ୍କ ସହ ଅସଂଯତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା । ସେତେବେଳେ ଘର ବାହାରେ ମଧ୍ୟ ଆଉ କିଛି ଗ୍ରାହକଙ୍କ ଭିଡ଼ ଥିଲା । ଏମାନଙ୍କ ସହ ଉକ୍ତ ର୍ୟାକେଟର ରାଣୀ ମହୁମାଛି ମୂଲଚାଲ ଛିଡ଼ାଉଥିବା ପୁଲିସ ସ୍କାନରକୁ ଆସିଥିଲା । ଯେଉଁ ଘରେ ଏଭଳି ରଙ୍ଗଶାଳା ଖୋଲା ଯାଇଥିଲା, ସେ ଘରର ଜଗାରଖା ଦାୟିତ୍ୱରେ ଥିବା ବ୍ୟକ୍ତି ଉକ୍ତ ର୍ୟାକେଟର ସକ୍ରିୟ ସଦସ୍ୟ ଥିଲା । ଘଟଣାସ୍ଥଳରୁ ତାଙ୍କୁ ମଧ୍ୟ ପୁଲିସ କାବୁ କରିଥିଲା ।
ଜଗତସିଂହପୁର ଥାନାଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ସୂଚନା ମୁତାବକ, କାଟସିଙ୍ଗପୁର ଅଞ୍ଚଳରେ ଥିବା ଏକ ଘରେ ଚଢଉ ହୋଇଥିଲା । ସେଠାରୁ ଆପତ୍ତିଜନକ ସାମଗ୍ରୀ, ୫ଟି ମୋବାଇଲ୍ ଫୋନ୍, ନଗଦ ୧୦ ହଜାର ଟଙ୍କା ସହ ଦୁଇଟି ବାଇକ୍କୁ ଜବତ କରାଯାଇଛି । ଘଟଣାସ୍ଥଳରୁ ରାକେଟର ରାଣୀ ମହୁମାଛି କୁହାଯାଉଥିବା ବାଲେଶ୍ୱର ରେମୁଣା ମିତାପୁରର ସସ୍ମିତା ବେହେରା (୨୮)ଙ୍କ ସମେତ ତିର୍ତ୍ତୋଲ ସରଖି ଗ୍ରାମର ସୁକାନ୍ତ ମନ୍ତ୍ରୀ, ଯୋତ କାନପୁର ଗ୍ରାମର ସ୍ମୃତିରଞ୍ଜନ ଦାସ ଓ ତିର୍ତ୍ତୋଲ ବଣିତୋ ଗ୍ରାମର ଅଜୟ ସାହୁଙ୍କୁ ଗିରଫ କରାଯାଇଛି। ଅନୁରୂପ ଭାବେ ସେଠାରୁ ଜଣେ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ସହର ଉପକଣ୍ଠ ସିଙ୍ଗିପୁରରେ ଏକ ସେକ୍ସ ର୍ୟାକେଟ ଚାଲିଥିବା ଖବର ପାଇଥିଲେ ଜଗତସିଂହପୁର ପୁଲିସ ଟିମ୍ ।
ତତ୍କାଳ ଅନ୍ୟ ସହକର୍ମୀଙ୍କ ସହ ସେଠାକୁ ଯାଇଥିଲେ ଥାନାଧିକାରୀ ଶ୍ରୀ ଦାସ । ସେଠାରେ ଏକ କଚ୍ଚା ଘର ସମ୍ମୁଖରେ କିଛି ବାଇକ୍ ଥିବା ଦେଖି ପୁଲିସ ଉକ୍ତ ଘରକୁ ତନଖି କରିବାରୁ ଜଣେ ଯୁବତୀ, ମହିଳାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଅସଂଯତ ଅବସ୍ଥାରେ ଥିବା ଦେଖିଥିଲେ । ଉକ୍ତ ସମୟରେ ଘରର ବାରଣ୍ଡାରେ ଅନ୍ୟ ଜଣେ ଗ୍ରାହକଙ୍କ ସହ ରାକେଟର ମୁଖ୍ୟ ସସ୍ମିତା ବେହେରା ମୂଲଚାଲ କରୁଥିବା ପୁଲିସ ନଜରକୁ ଆସିଥିଲା । ଉକ୍ତ ଘରେ ଦୁଇଟି ପ୍ରକୋଷ୍ଠ ରହିଥିଲା । ପ୍ରଥମ ରୁମ୍ରୁ ସ୍ମୃତିରଞ୍ଜନଙ୍କୁ କାବୁ କରାଯାଇଥିବା ବେଳେ ଢେଙ୍କାନାଳ କାମାକ୍ଷାନଗରର ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଦ୍ୱିତୀୟ ରୁମ୍ରୁ ଅଜୟ ସାହୁଙ୍କୁ ପୁଲିସ ମାଡ଼ି ବସିଥିଲା ।
ଜେରା ପରେ ରାକେଟର ରାଣୀ ମହୁମାଛି କୁହାଯାଉଥିବା ସସ୍ମିତା ୫ ବର୍ଷ ଧରି ଏଠାରେ ଅନୈତିକ କାର୍ଯ୍ୟ ଚଳାଇଥିବା ପୁଲିସ ସମ୍ମୁଖରେ ମାନି ଯାଇଥିଲେ । ମାସକୁ ଘର ଭଡ଼ା ବାବଦକୁ ସେ ୮ ହଜାର ଟଙ୍କା ଦେଉଛନ୍ତି । ଏଣେ ପ୍ରତି ଗ୍ରାହକଙ୍କ ପିଛା ହଜାରେ ଟଙ୍କା ଆଦାୟ କରାଯାଉଥିବା ପୁଲିସ ଜାଣିବାକୁ ପାଇଥିଲେ । ଜଗତସିଂହପୁର ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି । କେବଳ ସିଙ୍ଗିପୁର(କାଟସିଙ୍ଗପୁର) ନୁହେଁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନା ନିକଟ ଏକ ଘରେ ମଧ୍ୟ ସେକ୍ସ ରାକେଟ ଚାଲୁଥିବା ଚର୍ଚ୍ଚାର ପରିଧିକୁ ଆସିଛି । ନିକଟରେ ଚର୍ଚ୍ଚିକାବଜାର ଅଞ୍ଚଳରେ ମଧ୍ୟ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ଉଠିଥିଲା ।