ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଅଟୋ ଚାଳକରୁ ସ୍ୱର୍ଣ୍ଣ ବିଜେତା, ଜାତୀୟ ଶକ୍ତି ଉତ୍ତୋଳନରେ ସଚ୍ଚିନ୍ଦ୍ର ଜିତିଛନ୍ତି ଗୋଲ୍ଡ ମେଡାଲ୍

ରାଉରକେଲା,୧୭/୦୬: ସକାଳେ ସେ ଶକ୍ତି ଉତ୍ତୋଳକ, ଜିମ୍‌ରେ  ବୁହାନ୍ତି ଝାଳ । ଏହା ପରେ ବଦଳିଯାଏ ତାଙ୍କ  ଚରିତ୍ର । ସେ ପାଲଟିଯାଆନ୍ତି ଅଟୋ ଚାଳକ ।  ଗଳିକନ୍ଦିରୁ ଯାତ୍ରୀଙ୍କୁ ନେଇ ଛାଡ଼ିଦିଅନ୍ତି ଠିକଣା  ସ୍ଥଳରେ । ଶୈଶବରେ ଦାରିଦ୍ର‌୍ୟର ଚାବୁକ୍‌  ପାହାର, ତରୁଣ ବୟସରେ ବାପାଙ୍କ ଦେହାନ୍ତ  ଭଳି ଦାରୁଣ ଦୁଃଖକୁ ହଜମ କରି ସେ ଚଢ଼ିଛନ୍ତି  ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ।  ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ  ପଦକ ଜିତି ସୁନାମ ବଢ଼ାଇଛନ୍ତି ସୁନ୍ଦରଗଡ଼ର ସୁନାପୁଅ ସଚ୍ଚିନ୍ଦ୍ର ।

ସଚ୍ଚିନ୍ଦ୍ର କେର୍କେଟା, ବୟସ ମାତ୍ର ୨୩ । ବାପାଙ୍କ ଦେହାନ୍ତ  ପରେ ପରିବାରର ଏକ ମାତ୍ର ରୋଜଗାରିଆ ।  ଅଟୋ ଗଡ଼ିଲେ ଘରେ ଜଳେ ଚୁଲି । ଆର୍ଥିକ  ଅନଟନ ଭିତରେ ସଚ୍ଚିନ୍ଦ୍ର କିନ୍ତୁ ମାନିନାହାନ୍ତି  ହାର୍‌ । ଭାରତୀୟ ଶକ୍ତି ଉତ୍ତୋଳନ ସଂଘ  (ଆଇପିଏଫ୍‌) ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ  ଶକ୍ତି ଉତ୍ତୋଳନ ପ୍ରତିଯୋଗିତାର ଡେଡ୍‌  ଲିଫ୍ଟିଙ୍ଗ୍‌ରେ ଚାମ୍ପିଅନ୍‌ ହେବା ସହ ସୁନ୍ଦରଗଡ଼  ପାଇଁ ଆଣିଛନ୍ତି ଗୌରବ । ରାଜ୍ୟ ଶକ୍ତି ଉତ୍ତୋଳନର ନୂଆ ସମ୍ଭାବନା ପାଲଟିଥିବା ଏହି  ଯୁବ କ୍ରୀଡ଼ାବିତ୍‌ଙ୍କ ଏଭଳି ସଫଳତା ପରେ  ତାଙ୍କୁ ସବୁ ଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । 

ଅଧା ରହିଲା ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ  

ସୁନ୍ଦରଗଡ଼ ସଦର ବ୍ଲକ ବଡ଼ପତ୍ରାପାଲି  ମଣ୍ଡରିଢ଼ିପାରେ ବାସ କରନ୍ତି ଶ୍ରୀଲାନ୍ତ କେର୍କେଟାଙ୍କ  ପରିବାର । ପତ୍ନୀ ବିଦେଶିନୀ, ବଡ଼ପୁଅ ସଚ୍ଚିନ୍ଦ୍ର ଏବଂ ସାନପୁଅ ପଙ୍କଜଙ୍କୁ ନେଇ ତାଙ୍କ ସଂସାର ।  ଝାଟିମାଟି ଖପର ଘର । ଆର୍ଥିକ ସ୍ଥିତି ଭଲ  ନୁହେଁ । ଶ୍ରୀଲାନ୍ତ ଅଟୋ ଚଳାଇ କଷ୍ଟେମଷ୍ଟେ ବାହି ନେଉଥିଲେ ସଂସାର ରଥ । ଇତିମଧ୍ୟରେ  ସଚ୍ଚିନ୍ଦ୍ର ପଣ୍ଡିରିଢ଼ିପା ପ୍ରାଥମିକ ବିଦ୍ୟାଳୟରେ  ପ୍ରଥମରୁ ପଞ୍ଚମ ଓ ରଥ ନୋଡାଲ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ପାସ୍‌ କରିଥିଲେ ।  ସୁନ୍ଦରଗଡ଼ ଟାଉନ୍‌ ହାଇସ୍କୁଲରୁ ୨୦୧୬ରେ ମାଟ୍ରିକ୍‌  ପାସ୍‌ କରିଥିଲେ । ଇଲେକ୍ଟ୍ରିକାଲରେ ଇଞ୍ଜିନିୟରିଂ  କରିବା ଲାଗି ସେ କୁଆଁରମୁଣ୍ଡାର ଏକ ଘରୋଇ  ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିଲେ । ସେଠାରେ ରହି ସଚ୍ଚିନ୍ଦ୍ର ପଢ଼ୁଥିଲେ । ତେବେ  ୨୦୧୮ରେ ପରିବାରକୁ ଘେରିଗଲା ଦୁଃଖର  କଳାବାଦଲ । ଶ୍ରୀଲାନ୍ତଙ୍କ ଶରୀର ଅସୁସ୍ଥ ହେଲା ଓ ସେ ସବୁ ଦିନ ପାଇଁ ଆଖିବୁଜିଲେ । ତାଙ୍କ  ଦେହାନ୍ତ ପରେ ଦୋହଲିଗଲା ପରିବାର ।  ଆର୍ଥିକ ସ୍ଥିତି ଆହୁରି ସାଂଘାତିକ ହୋଇଗଲା ।  

ଫଳରେ ୨୦୧୯ରେ ସଚ୍ଚିନ୍ଦ୍ରଙ୍କୁ ପାଠ ଛାଡ଼ି  ଘରକୁ ଫେରିବାକୁ ପଡ଼ିଲା । ସେ ଧରିଲେ ବାପା  ଛାଡ଼ିଯାଇଥିବା ସ୍ମୃତିସନ୍ତକ ଅଟୋର ହ୍ୟାଣ୍ଡେଲ୍‌ ।  ଏହି ସମୟରେ ସୁନ୍ଦରଗଡ଼ର ଏକ ଜିମ୍‌ ତାଙ୍କ  ମନରେ ସଞ୍ଚାର କରିଥିଲା ନୂଆ ଆଶା । ପିଲାମାନେ  ଅଭ୍ୟାସ ପାଇଁ ଯାଉଥିବା ଦେଖି ସେ ମଧ୍ୟ ଜିମ୍‌  ଯିବାଲାଗି ମନସ୍ଥ କଲେ । ୨୦୨୦ରେ ସେଠାରେ  ଅଭ୍ୟାସ ଆରମ୍ଭ କଲେ । ଏଥିଲାଗି ମାସିକ ୫୦୦  ଟଙ୍କା ଦେବାକୁ ପଡ଼ୁଥିଲା । ସକାଳୁ ଉଠି ଜିମ୍‌କୁ  ଯାଇ ୨-୩ ଘଣ୍ଟା ଅଭ୍ୟାସ କରିବା ପରେ ଘରକୁ  ଫେରି ଅଟୋ ନେଇ ରୋଜଗାର ଆଶାରେ ବାହାରି  ଯାଉଥିଲେ । ଅଟୋ ଚଳାଇ ଦିନକୁ ସେ ୫୦୦ରୁ  ୭୦୦ ଟଙ୍କା ରୋଜଗାର କରୁଥିଲେ । ସେଥିରୁ  କିଛି ଅର୍ଥ ନିଜ ପାଖରେ ରଖି ବାକି ଟଙ୍କା ମା’ଙ୍କୁ  ଘର ଚଳାଇବା ପାଇଁ ଦେଉଥିଲେ । ଜିମ୍‌ରେ ତାଙ୍କ  ଅଭ୍ୟାସ ଦେଖି ସେଠାକାର କର୍ମକର୍ତ୍ତାମାନେ ତାଙ୍କୁ  ଉତ୍ସାହିତ କରାଇବା ସହ ମାସିକ ଟଙ୍କା ନେଲେ  ନାହିଁ । ୨୦୨୦ରେ ଝାରସୁଗୁଡ଼ାଠାରେ ଅନୁଷ୍ଠିତ  ପଶ୍ଚିମ ଓଡ଼ିଶା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା  ତାଙ୍କ ଭାଗ୍ୟ ବଦଳାଇଦେଲା । ୫୩ କିଲୋ  ଜୁନିୟର ବର୍ଗରେ ସେ ଭାଗନେଇ ସ୍ୱର୍ଣ୍ଣ ପଦକ  ହାସଲ କଲେ । ଏହାପରେ ସଚ୍ଚିନ୍ଦ୍ର ପାୱାର  ଲିଫ୍ଟିଙ୍ଗ୍‌କୁ କ୍ୟାରିୟର କରିବାର ଝୁଙ୍କ ବଢ଼ିଗଲା । 

ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ

ରାଉରକେଲାର ସେକ୍ଟର-୭ରେ ଥିବା  ରାୟମା କ୍ଲବର କୋଚ୍‌ ବାସୁ ବାନାର୍ଜୀଙ୍କ ସମ୍ପର୍କରେ  ଆସିଥିଲେ । ସଚ୍ଚିନ୍ଦ୍ରଙ୍କ ମନୋବଳ ଦେଖି କୋଚ ବାନାର୍ଜୀ ଓ ଅନ୍ୟତମ କୋଚ୍‌ ବିକ୍ରମ ସ୍ୱାଇଁ ତାଙ୍କୁ  ପ୍ରଶିକ୍ଷଣ ଦେଇଥିଲେ । ଫଳରେ ୨୦୨୩ରେ  ଭୁବନେଶ୍ୱର ରେଲୱେ ସ୍କୁଲରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ  କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ତାଙ୍କର  ଇଚ୍ଛା ଥିଲା ସେ ଜାତୀୟସ୍ତରୀୟ ସ୍ୱର୍ଣ୍ଣ ପଦକ  ହାସଲ କରିବା । ଗତ ଜୁନ୍‌ ୭ରୁ ୧୦ ତାରିଖ  ପର୍ଯ୍ୟନ୍ତ ଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ  ପ୍ରତିଯୋଗିତାର ଜୁନିୟର ବର୍ଗରେ ଭାଗ ନେଇ  ସଚ୍ଚିନ୍ଦ୍ର ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଦିଲ୍ଲୀ  ଯିବା ଓ ସେଠାରେ ରହିବା ଲାଗି ତାଙ୍କ ପାଖରେ  ଅର୍ଥ ନ ଥିଲା । ମାତ୍ର କଥାରେ ଅଛି, ‘ଇଚ୍ଛା ଶକ୍ତି  ଆଗରେ ସମସ୍ତ ପ୍ରତିବନ୍ଧକ ହାର୍‌ମାନେ ।’ ତାହାହିଁ  ହୋଇଥିଲା । ସୁନ୍ଦରଗଡ଼ର ଅନେକ ବଦାନ୍ୟ ବ୍ୟକ୍ତି  ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଫଳରେ  ସେ ଦିଲ୍ଲୀ ଯାଇ ସୁନ୍ଦରଗଡ଼ ପାଇଁ ଆଣିଛନ୍ତି ଅଜସ୍ର  ଗୌରବ । ଏହି ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲା  କ୍ରୀଡ଼ା ସଂସଦ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  

ଜାତୀୟ ପ୍ରତିଯୋଗିତାରେ ସଫଳତା ପରେ  ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ  ଲକ୍ଷ୍ୟ ରଖିଛନ୍ତି ସଚ୍ଚିନ୍ଦ୍ର । ସାନ ଭାଇ ପଙ୍କଜ ଭୋଡ଼ାବହାଲ କଲେଜରେ ପାଠପଢ଼ୁଛନ୍ତି ।  ଭାଇକୁ ମଣିଷ କରିବା ଲାଗି ସବୁ ପ୍ରକାରର  ସହଯୋଗ କରୁଛନ୍ତି । ବର୍ତ୍ତମାନର ଯୁବପିଢ଼ି ପାଠପଢ଼ା ସହ ଖେଳକୁଦ ପ୍ରତି ଆଗ୍ରହ  ଦେଖାଇବା ଉଚିତ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.