ନୂଆଦିଲ୍ଲୀ,୧୮/୦୭: ପୁଣି ଧଳା ଜର୍ସିରେ ନଜର ଆସିବେ କି ବିରାଟ କୋହଲି ? ଟେଷ୍ଟ କ୍ରିକେଟକୁ ଫେରିବେ କି କିଙ୍ଗ୍ ? ଅବସର ଫେରାଇ ନେବେ କି କୋହଲି ? ଏ ପ୍ରଶ୍ନ ଏବେ ସବୁ ଫ୍ୟାନ୍ସଙ୍କ ମନରେ । ଲର୍ଡ୍ସ ଟେଷ୍ଟରେ ପରାଜୟ ପରେ ଯେଉଁଠି କୋଚ୍ ଗୌତମ ଗମ୍ଭୀର, ଶୁବମନ ଗିଲ ଓ ଟିମ୍ର ତ୍ରୁଟି ବିଷୟରେ କୁହାଯାଉଛି ସେଠି ପୂର୍ବତନ ଅଲରାଉଣ୍ଡର କିଙ୍ଗ୍ କୋହଲିଙ୍କୁ ମନେ ପକାଇଛନ୍ତି । କୋହଲି ଟେଷ୍ଟ ଅବସର ଫେରାଇ ନିଅନ୍ତୁ ବୋଲି କହିଛନ୍ତି କ୍ରିକେଟ୍ କିମ୍ବଦନ୍ତୀ ମଦନ ଲାଲ ।
ଅବସର ଫେରାଇ ନିଅନ୍ତୁ କୋହଲି କହିଲେ ମଦନ ଲାଲ- ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ତଥା ୧୯୮୩ ବିଶ୍ୱକପ୍ ବିଜେତା ମଦନ ଲାଲ ବିରାଟ କୋହଲିଙ୍କୁ ଏକ ଭାବପୂର୍ଣ୍ଣ ଅପିଲ କରିଛନ୍ତି । ସେ କହିଛନ୍ତି, ''ପ୍ଲିଜ କୋହଲି ତୁମେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଫେରାଇ ନିଅ । ଭାରତୀୟ କ୍ରିକେଟ ପାଇଁ କୋହଲିଙ୍କ ଅବଦାନ ଅତୁଳନୀୟ । ତାଙ୍କୁ କାହା ସହ ତୁଳନା କରାଯାଇପାରିବ ନାହିଁ । ମୋର ଇଚ୍ଛା ସେ ଟେଷ୍ଟ ଅବସର ଫେରାଇ ନିଅନ୍ତୁ । ଅବସର ଫେରାଇ ନେବାରେ କିଛି ଭୁଲ ନାହିଁ । ଟେଷ୍ଟ ଦଳକୁ କମବ୍ୟାକ୍ କରନ୍ତୁ ।''
ମନେ ପଡୁଛନ୍ତି ବିରାଟ କୋହଲି- ଇଂଲଣ୍ଡ ଟେଷ୍ଟ ସିରିଜରେ ଲଗାତାର ବିରାଟ କୋହଲିଙ୍କ ଚର୍ଚ୍ଚା ହେଉଛି । ଲର୍ଡ୍ସ ଟେଷ୍ଟରେ ଟିମ୍ ଇଣ୍ଡିଆ ୧୯୩ ରନ୍ର ଲକ୍ଷ ହାସଲ କରିପାରିନଥିଲା । ଏହା ପରେ କୋହଲିଙ୍କ କଥା ପଡିଥିଲା । ସେଥିପାଇଁ ବିରାଟ ତାଙ୍କ ଅବସର ଫେରାଇ ନିଅନ୍ତୁ ବୋଲି ଅପିଲ୍ ହୋଇଛି । ହେଲେ ଏମିତି ହେବା କଷ୍ଟକର । ବିରାଟ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨୩ ମ୍ୟାଚରେ ୯୨୩୦ ରନ୍ କରିଛନ୍ତି । ତାଙ୍କ ଆଭରେଜ୍ ୪୬ରୁ ଅଧିକ । ୩୦ ଟେଷ୍ଟ ଶତକ ତାଙ୍କ ନାମରେ ରହିଛି ।