ନୂଆଦିଲ୍ଲୀ,୧୭/୦୭: ଅପରେସନ ସିନ୍ଦୂର ପରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବାରେ ଲାଗିଛି । ସଦ୍ୟ ଘଟଣାରେ ଏହା ଏକ ନୂଆ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ ପ୍ରସ୍ତୁତ କରିଛି । ଯାହା ବ୍ରହ୍ମୋସଠାରୁ ଅଧିକ ଦ୍ରୁତ ଏବଂ ଅଗ୍ନି କ୍ଷେପଣାସ୍ତ୍ରଠାରୁ ଅଧିକ ଘାତକ । ଏହାର ଗତି ଶବ୍ଦ ବେଗଠାରୁ ୮ ଗୁଣା ଅଧିକ । ୧୫ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ଏହା ଶତ୍ରୁପକ୍ଷକୁ ଟାର୍ଗେଟ୍ କରିପାରିବ।
‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ ଏହି ‘ଏକ୍ସଟେଣ୍ଡେଡ୍ ଟ୍ରାଜେକ୍ଟୋରି ଲଙ୍ଗ୍ ଡ୍ୟୁରେସନ ହାଇପରସୋନିକ୍ କ୍ରୁଜ ମିସାଇଲ୍ ବା ଇଟି-ଏଲ୍ଡିଏଚ୍ସିଏମ୍’କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ କରାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଅପରେସନ ସିନ୍ଦୂର ଚଳାଇଥିଲା । ଏହାପରେ ଦୁଇଦେଶ ମଧ୍ୟରେ ସଂକ୍ଷିପ୍ତ ମୁହାଁମୁହିଁ ହୋଇ ଯୁଦ୍ଧବିରତି ହୋଇଥିଲା । ସେବେଠାରୁ ଭାରତ ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାରେ ଲାଗିଛି । ଆଧୁନିକୀକରଣକୁ ଅଧିକ ଫୋକସ୍ କରୁଛି । ଏହି କ୍ରମରେ ବ୍ରହ୍ମୋସ, ଅଗ୍ନି-୫ ଓ ଆକାଶ ସିଷ୍ଟମ୍ ଆଦିର ବିକଶିତ ଭର୍ସନ ଅଣାଯାଉଛି । ଇଟି-ଏଲ୍ଡିଏଚ୍ସିଏମ୍ରେ ‘ସ୍କ୍ରାମ୍ଜେଟ୍ ଇଞ୍ଜିନ୍’ ରହିଛି, ଯାହା ‘ଏୟାର-ବ୍ରିଦିଙ୍ଗ୍ ପ୍ରପଲ୍ସନ୍’କୁ ବ୍ୟବହାର କରିଛି । ପାରମ୍ପରିକ କମ୍ପ୍ରେସର ବଦଳରେ ଏହା ବାୟୁମଣ୍ଡଳୀୟ ଅମ୍ଳଜାନ ଉପରେ ଅଧିକ ନିର୍ଭରଶୀଳ । ଏହାଦ୍ୱାରା ମିସାଇଲ୍ଟି ମାକ୍-୮ ବା ଶବ୍ଦର ୮ ଗୁଣା ଅର୍ଥାତ ଘଣ୍ଟା ପିଛା ୧୧ ହଜାର କିଲୋମିଟର ବେଗରେ ଗତି କରିପାରିବ ।
ବ୍ରହ୍ମୋସ କ୍ଷେତ୍ରରେ ଏହା ମାକ୍-୩ ବା ପାଖାପାଖି ଘଣ୍ଟା ପିଛା ୩ ହଜାର ୬୭୫ କିମି ରହିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ରର ରେଞ୍ଜ୍ ଘଣ୍ଟା ପିଛା ୨୯୦ରୁ ୪୫୦ କିଲୋମିଟର ହୋଇଥିବା ବେଳେ ନୂଆ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ର ରେଞ୍ଜ ୧୫୦୦ କିଲୋମିଟର । ଏହାଦ୍ୱାରା ଭାରତର ରଣନୀତିକ ଷ୍ଟ୍ରାଇକ୍ ରେଞ୍ଜ୍ ବୃଦ୍ଧି ହୋଇପାରିବ । ଏହି ମିସାଇଲ୍ ୧ ହଜାରରୁ ୨ ହଜାର କିଲୋଗ୍ରାମ୍ ଓଜନର ପେ-ଲୋଡ୍ ବହନ କରିପାରିବ । ଉଭୟ ପାରମ୍ପରିକ ଓ ପରମାଣୁ ୱାରହେଡ୍ ନେଇପାରିବ । ଏହାର ‘ଲୋ-ଆଲ୍ଟିଚ୍ୟୁଡ୍ ଫ୍ଲାଇଟ୍’ (କମ୍ ଉଚ୍ଚତାରେ ଉଡ଼ାଣ) କ୍ଷମତା ରହିଛି । ଫଳରେ ଏହା ଶତ୍ରୁପକ୍ଷର ରାଡାର୍ ଡିଟେକ୍ସନ୍ ବ୍ୟବସ୍ଥାକୁ ଚକ୍ମା ଦେଇପାରିବ । ଏହାଛଡ଼ା ଏଥିରେ ‘ହାଇ-ପ୍ରିସିଜନ୍’ କ୍ଷମତା ଥିବାରୁ ଏହା ଆଦୌ ବାଟବଣା ନ ହୋଇ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି (ସେନା କିମ୍ବା ଆତଙ୍କୀ ଠିକଣା)କୁ ଧ୍ୱଂସ କରିଦେଇ ପାରିବ ।
ଆହୁରି ମଧ୍ୟ ଏହି ହାଇପରସୋନିକ୍ ମିସାଇଲ୍କୁ ଭୂମି, ସମୁଦ୍ର ଓ ବାୟୁରୁ ମାଡ଼ କରାଯାଇ ପାରିବ । ସବୁଠୁ ବଡ଼ କଥା ହେଲା ଏହା ବାୟୁରେ ଗତି କରୁଥିବା ବେଳେ ମଧ୍ୟ ଏହାର ଲକ୍ଷ୍ୟକୁ ବଦଳାଇହେବ । ଫଳରେ କୌଣସି କ୍ଷତି ନ ଘଟାଇ ଏହା ଟାର୍ଗେଟ୍ ସ୍ଥଳକୁ ଧ୍ୱଂସ କରିଦେବ । ପ୍ରତିକୂଳ ପାଣିପାଗରେ ବି ଏହା କାର୍ଯ୍ୟ କରିପାରିବ । ହାଇପରସୋନିକ୍ ଯାତ୍ରା ବେଳେ ତାପମାତ୍ରା ଯଦି ୨୦୦୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଏଁ, ତଥାପି ଏହି ମିସାଇଲ୍ ତା’ର କାର୍ଯ୍ୟ କରିଚାଲିବ ।
ବର୍ତ୍ତମାନ କେବଳ ରୁଷ୍, ଆମେରିକା ଓ ଚୀନ୍ ପାଖରେ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ ଟେକ୍ନୋଲୋଜି ରହିଛି । ଯଦି ଭାରତର ଇଟି-ଏଲ୍ଡିଏଚ୍ସିଏମ୍ ପରୀକ୍ଷଣ ସଫଳ ହୁଏ, ତେବେ ଏହା ସ୍ୱଦେଶୀ ହାଇପରସୋନିକ୍ କ୍ଷମତା ସହ ଉକ୍ତ କ୍ଷୁଦ୍ର ଗୋଷ୍ଠୀରେ ସାମିଲ ହୋଇପାରିବ । ପାକିସ୍ତାନ ଓ ଚୀନ୍ ସହ ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବାରୁ ଭାରତ ପାଇଁ ଏହି ମିସାଇଲ୍ ବିଶେଷ ସହାୟକ ହୋଇପାରିବ।