ସାଉଥମ୍ପଟନ, ୧୭/୦୭: ଘରୋଇ ଇଂଲଣ୍ଡ ଓ ଭାରତ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୪ ୱିକେଟ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୬ୱିକେଟ୍ ହରାଇ ୨୫୮ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୪୮.୨ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ୨୦ ରନ୍ରେ ଉଭୟ ଓପନରଙ୍କୁ ହରାଇଥିଲା । ଆମି ଜୋନ୍ସ(୧) ଓ ଥାମି ବ୍ୟୁମୋଣ୍ଟ(୫) ଙ୍କୁ କ୍ରାନ୍ତି ଗୌଡ଼ ଆଉଟ୍ କରିଥିଲେ । ମଧ୍ୟ ଭାଗରେ ଏମା ଲାମ୍ବ ୩୯, ନାତାଲି ସ୍କିଭର-ବ୍ରଣ୍ଟ ୪୧, ଶୋଫିଆ ଡଙ୍କଲି ୮୩, ଆଲିସ ଡାଭିସନ- ରିଚାର୍ଡ୍ସ ୫୩ ଓ ଶୋଫି ଏକ୍ଲେଷ୍ଟୋନ ଅପରାଜିତ ୨୩ ରନ କରିଥିଲେ । ଭାରତ ପକ୍ଷରୁ କ୍ରାନ୍ତି ଓ ସ୍ନେହ ରାଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ଭାରତର ଦୁଇ ଓପନର ସ୍ମୃତି ମନ୍ଧନା ଓ ପ୍ରତିକା ରାୱଲ୍ ୪୮ ରନ ସଂଗ୍ରହ କରିଥିଲେ । ମନ୍ଧନା ୨୮ ରନ କରି ପ୍ରଥମେ ଆଉଟ୍ ହେବା ପରେ ଇଂଲଣ୍ଡ ବୋଲର ଶୃଙ୍ଖଳିତ ବୋଲିଂ କରି ଭାରତ ଉପରେ ଚାପ ପକାଇଥିଲେ । ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରରାଇଥିଲା । ପ୍ରତିକା ୩୬, ହର୍ଲିନ ଦେଓଲ ୨୭ ଓ ହର୍ମନପ୍ରୀତ କୌର ୧୭ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଜେମିମା ରୋଡ୍ରିଗ୍ସ ଓ ଦୀପ୍ତ ଶର୍ମା ଲଢୁଆ ବ୍ୟାଟିଂ କରି ୯୦ ରନ୍ର ଭାଗିଦାରୀ ଗଠନ କରିବା ସହ ବିଜୟ ଆଶା ସଂଚାର କରିଥିଲେ । ଦଳୀୟ ସ୍କୋର ୨୧୪ ବେଳେ ରୋଡ୍ରିଗ୍ସ ୪୮ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ରିଚା ଘୋଷ ୧୦ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଅମନଜୋତ କୌରଙ୍କୁ ସାଥୀ କରି ଦୀପ୍ତି ୩୩ରନ୍ର ଭାଗିଦାରୀ ଗଢିବା ସହ ଦଳକୁ ବିଜୟୀ କରାଇଥିଲେ । ସେ ୩ଚୌକା ଓ ୧ଛକା ବଳରେ ୬୨ ରନ କରିଥିଲେ । ଅମନଜୋତ ୩ଚୌକା ବଳରେ ୨୦ ରନ କରିଥିଲେ ।