ନୂଆଦିଲ୍ଲୀ,୧୭/୦୭: ଚଳିତ ବର୍ଷ ଏସିଆ କପ୍ କ୍ରିକେଟ୍ ଆୟୋଜିତ ହେବା ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖା ଦେଇଛି । ୟୁଏଇ ଆୟୋଜନ ଦୌଡ଼ରେ ରହିଛି । ସେପ୍ଟେମ୍ବର ୫ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା କଥା । କିନ୍ତୁ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇପାରି ନାହିଁ ।
ଜୁଲାଇ ୨୪ ତାରିଖରେ ଢାକାରେ ଏସିଆ କପ୍ ଆୟୋଜନ ନେଇ ଏସିଆ କ୍ରିକେଟ୍ କାଉନସିଲର ବୈଠକ ରହିଛି । କିନ୍ତୁ ଏହି ବୈଠକରେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଅଧିକାରୀମାନେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଏସିଆ କପ୍ରେ ପାକିସ୍ତାନ ସହ ଭାରତ ଖେଳିବ କି ନାହିଁ ଏ ବିଷୟରେ ବିସିସିଆଇ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଥମେ ଅନୁମତି ନେବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି ।
ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ଏବଂ ‘ଅପରେସନ ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ତିକ୍ତ ହୋଇପଡ଼ିଛି । ଆଗକୁ ହକି ଏସିଆ କପ୍ ଓ ଜୁନିୟର ହକି ବିଶ୍ୱକପ୍ ଭାରତରେ ଆୟୋଜିତ ହେବ । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଗସ୍ତରେ ଆସିବ ନାହିଁ ବୋଲି ଜଣା ପଡ଼ିଛି ।