ନୂଆଦିଲ୍ଲୀ, ୧୮/୦୭ : ବଲିଉଡର 'କାକା'... ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର। ୬୦-୭୦ ଦଶକର ଜଣେ ଦିଗଜ କଳାକାର। ଅଭିନେତା ନୁହଁନ୍ତି ତ ଜଣେ ମାଇଲ୍ ଖୁଣ୍ଟ। ଦର୍ଶକଙ୍କ ହୃଦୟରେ କରୁଥିଲେ ରାଜ୍। ଆମେ କହୁଛୁ ରାଜେଶ ଖନ୍ନାଙ୍କ କଥା। ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ।
୧୯୪୨ ଡିସେମ୍ଵର ୨୯ରେ ପଞ୍ଜାବର ଅମୃତସରରେ ରାଜେଶ ଖନ୍ନାଙ୍କ ଜନ୍ମ। ତାଙ୍କର ଅସଲି ନାମ ଜତିନ ଖନ୍ନା। ରାଜେଶ ପୁଣେ ଏବଂ ମୁମ୍ଵାଇରେ ତାଙ୍କ ପାଠପଢା ଶେଷ କରିଥିଲେ। ୧୯୬୬ରେ ସେ ବଲିଉଡରେ ପାଦ ଥାପିଥିଲେ। 'ଆଖିରି ଖତ' ତାଙ୍କର ଡେବ୍ୟୁ ଫିଲ୍ମ ଥିଲା। ୧୯୬୯ରେ ରିଲିଜ୍ ହୋଇଥିବା 'ଆରାଧନା' ଫିଲ୍ମରେ ରାଜେଶଙ୍କୁ ସଫଳତା ମିଳିଥିଲା। ଏହି ଫିଲ୍ମରେ ରାଜେଶଙ୍କ ରୋମାଣ୍ଟିକ୍ ଅନ୍ଦାଜ ଦର୍ଶକଙ୍କ ହୃଦୟ ଜିଣିଥିଲା। ଏହାପରେ ଆନନ୍ଦ, କଟି ପତଙ୍ଗ, ସଫର, ହାଥି ମେରେ ସାଥୀ, ବାବର୍ଚି ଭଳି ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ୧୯୬୯ ରୁ ୧୯୭୧ ଯାଏଁ ସେ ବ୍ୟାକ୍ ଟୁ ବ୍ୟାକ୍ ୧୫ରୁ ଅଧିକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଡାଇଲଗ୍ ଏବଂ ବାବୁ ମୋଶାୟ, ମେରେ ସପନୋ କି ରାନୀ ଗୀତକୁ ଆଜି ବି ଲୋକେ ଗୁଣୁ ଗୁଣୋଉଛନ୍ତି।
ରାଜେଶ ଖନ୍ନା ୧୯୭୩ରେ ଅଭିନେତ୍ରୀ ଡିମ୍ପଲ କପାଡ଼ିଆଙ୍କୁ ବିବାହ କରିଥିଲେ। ସେତେବେଳେ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ପରେ ଦୁହିଁଙ୍କର ଦୁଇଟି କନ୍ୟା ସନ୍ତାନ ହୋଇଥିଲେ। ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ବି ତାଙ୍କର ସମ୍ପର୍କ ଥିବା ଚର୍ଚ୍ଚାକୁ ଆସିଥିଲା। ସେହିପରି ୧୯୭୨ରେ ବାବର୍ଚିର ସୁଟିଂ ସମୟରେ ରାଜେଶ ଖନ୍ନା ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ବିବାଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେତେବେଳେ ଖନ୍ନା ସୁପରଷ୍ଟାର ଥିଲେ ଏବଂ ବଚ୍ଚନ ସାହାବ ନୂଆ ନୂଆ ଏଣ୍ଟ୍ରି ମାରିଥିଲେ। ଶୁଣିବାକୁ ମିଳେ ରାଜେଶ ଖନ୍ନା ସୁଟିଂ ସେଟ୍ରେ ଅମିତାଭଙ୍କ ମଜାକ୍ ଉଡାଇଥିଲେ ଏବଂ ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କୁ ବିରୋଧ କରିଥିଲେ।
ରାଜେଶ ଖାନ୍ନା କେବଳ ଜଣେ ଅଭିନେତା ନଥିଲେ, ବରଂ ଏକ ମାଇଲ୍ ଖୁଣ୍ଟ ଥିଲେ। ତାଙ୍କର ରୋମାଣ୍ଟିକ ଅନ୍ଦାଜ, ହସ ଏବଂ ଅଭିନୟ ଲକ୍ଷ ଲକ୍ଷ ହୃଦୟରେ ରାଜ କରୁଛି। ଯଦିଓ ସେ ଆଜି ଆମ ଗହଣରେ ନାହାଁନ୍ତି, ତାଙ୍କର ଚଳଚ୍ଚିତ୍ର ଏବଂ ଗୀତ ସର୍ବଦା କାଳଜୟୀ ରହିବ। ତାଙ୍କ ଜୀବନର ଶେଷ ଦିନରେ, ସେ ମୁମ୍ବାଇରେ ଏକା ରହୁଥିଲେ। ଦୀର୍ଘ ଦିନର ଅସୁସ୍ଥତା ପରେ ୧୮ ଜୁଲାଇ ୨୦୧୨ରେ ତାଙ୍କର ଦେହାନ୍ତ ହୋଇଥିଲା।