ବେଙ୍ଗାଲୁରୁ: ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡିୟମରେ ଦଳାଚକଟା ଘଟଣାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (KSCA)ର ସମସ୍ୟା ବୃଦ୍ଧି ପାଇଛି । କର୍ଣ୍ଣାଟକ ସରକାର ଆରସିବି ଏବଂ ରାଜ୍ୟ କ୍ରିକେଟ ଆସୋସିଏସନ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରିବାକୁ ଅନୁମତି କରିଛନ୍ତି । କର୍ଣ୍ଣାଟକ ସରକାର ତାଙ୍କ କ୍ୟାବିନେଟ ବୈଠକରେ ଜଷ୍ଟିସ ମାଇକେଲ ଡି'କୁନ୍ହା କମିଶନଙ୍କ ରିପୋର୍ଟ ଗ୍ରହଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି କମିଶନ ତଦନ୍ତ ସମୟରେ ଆରସିବି ଏବଂ କେଏସସିଏର ଅନେକ ଅନିୟମିତତା ସଂପର୍କରେ ପ୍ରକାଶ କରିଛନ୍ତି ।
ଜୁଲାଇ ୧୧ ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ କମିଶନ ରିପୋର୍ଟ ପ୍ରଦାନ କରାଥିଲେ । ରିପୋର୍ଟ ଅନୁଯାୟୀ, ଜୁନ୍ ୪ ରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଇଭେଣ୍ଟ ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ଏବଂ ବେଙ୍ଗାଲୁରୁ ପୁଲିସ ଦାୟୀ। ଡି'କୁନ୍ହା କମିଶନଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଗୋଟିଏ ମାସ ସମୟ ଦିଆଯାଇଥିଲା। ତଦନ୍ତ ସମୟରେ, କମିଶନ ଘଟଣାସ୍ଥଳ ଯାଞ୍ଚ କରିଥିଲେ। ପ୍ରତ୍ୟକ୍ଷଦର୍ଶୀ, ପୋଲିସ ଅଧିକାରୀ, KSCA ଅଧିକାରୀ ଏବଂ ସରକାରୀ ପ୍ରତିନିଧିଙ୍କ ବୟାନ ରେକର୍ଡ କରିଥିଲେ।
ସୁରକ୍ଷା ବ୍ୟବସ୍ଥାର ବଡ଼ ଅଭାବ ଥିଲା। ଷ୍ଟାଡିୟମ ଭିତରେ କେବଳ ୭୯ ଜଣ ପୋଲିସ ନିୟୋଜିତ ହୋଇଥିଲେ, ବାହାରେ କୌଣସି ପୋଲିସ ନିୟୋଜିତ ନଥିଲେ। ଘଟଣାସ୍ଥଳରେ କୌଣସି ଆମ୍ବୁଲାନ୍ସ ମଧ୍ୟ ନଥିଲା ବୋଲି କମିଶନ ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ ।
କର୍ଣ୍ଣାଟକ ସରକାର ଗୁରୁବାର (୧୭ ଜୁଲାଇ ୨୦୨୫) ବେଙ୍ଗାଲୁରୁ ଦଳାଚକଟା ପାଇଁ ସିଧାସଳଖ ଆରସିବିକୁ ଦାୟୀ କରିଛନ୍ତି। ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ସରକାର ଅନେକ ତ୍ରୁଟି ଦର୍ଶାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଆରସିବି, ଡିଏନଏ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ସମନ୍ୱୟ ରକ୍ଷା କରିବାରେ ବିଫଳ ହୋଇଛନ୍ତି।
ରିପୋର୍ଟରେ କୁହାଯାଇଛି, ପ୍ରବେଶ ଫାଟକରେ ଖରାପ ବ୍ୟବସ୍ଥା, ଗେଟ୍ ଖୋଲିବାରେ ବିଳମ୍ବ ଯୋଗୁଁ ବିଶୃଙ୍ଖଳା ଘଟିଥିଲା । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସାତ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ତଦନ୍ତରୁ ଜଣାପଡିଛି ଯେ, ପ୍ରମୁଖ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଯୁଗ୍ମ ପୁଲିସ କମିଶନର ଅପରାହ୍ନ ୪ଟାରେ ଘଟଣାସ୍ଥଳରେ ପହଞ୍ଚଥିଲେ । ପୋଲିସ କମିଶନରଙ୍କୁ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ଘଟଣା ବିଷୟରେ ସୂଚନା ଦିଆଯାଇ ନଥିଲା ।