ଭୁବନେଶ୍ୱର,୧୮/୦୭: ଆସନ୍ତା ମାସ ୧୦ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ) । ଏଭଳି ପ୍ରତିଯୋଗିତା ପ୍ରଥମ ଥର ଭାରତରେ ଆୟୋଜିତ ହେଉଛି । ବିଶ୍ୱ ଆଥଲେଟିକ୍ସ, ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍ଆଇ) ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଭାବେ ଏହି ପ୍ରତିଯୋଗିତାକୁ ଆୟୋଜନ କରୁଛନ୍ତି । ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ)ରେ ଭାଗ ନେବା ପାଇଁ ଏଏଫ୍ଆଇ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଯୋଗ୍ୟତା ମାନ ପ୍ରକାଶ କରାଯାଇଛି ।
ପୁରୁଷ ୧୦୦ ମିଟରରେ ୧୦.୬୦ ସେକେଣ୍ଡ, ୨୦୦ ମିଟରରେ ୨୧.୩୦ ସେକେଣ୍ଡ, ୪୦୦ ମିଟରରେ ୪୬.୨୦ ସେକେଣ୍ଡ ରହିଛି । ସେମିତି ମହିଳା ୧୦୦ ମିଟରରେ ୧୧.୮୦ ସେକେଣ୍ଡ, ୨୦୦ ମିଟରରେ ୨୩.୫୦ ସେକେଣ୍ଡ, ୪୦୦ ମିଟରରେ ୫୩ ସେକେଣ୍ଡ ରଖାଯାଇଛି ।
ଗତ ୧୧ ତାରିଖରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ପ୍ରଥମ ଥର ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖରେ ବିଶ୍ୱ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ଆୟୋଜନ କରାଯିବ । ଏଥିରେ ଭାରତ ସମେତ ତୁର୍କମେନିସ୍ତାନ, ଭୁଟାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ, ଭିଏତନାମ, ରିପବ୍ଲିକ ଅଫ୍ କାମେରୁନ୍, ଶ୍ରୀଲଙ୍କା, ଇରାନ ଏବଂ ମାଳଦ୍ୱୀପ ପ୍ରଭୃତି ୧୦ରୁ ଅଧିକ ଦେଶରୁ ୧୫୦ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତମାନେ ଭାଗ ନେବେ ।
ମୋଟ୍ ୨୦ଟି ଇଭେଣ୍ଟର ଆୟୋଜନ କରାଯିବ । ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କ୍ରୀଡ଼ାବିତମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟ, ପ୍ରତିଯୋଗିତାରେ ଭାଗ ନେବା ଠାରୁ ସ୍ୱଦେଶ ବାହୁଡ଼ି ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯିବ ।