ନୂଆଦିଲ୍ଲୀ, ୧୮/୦୭ : ଭାରତୀୟଙ୍କୁ ଫାଶୀ ଦେବାରେ ଟପ୍ରେ କୁଏତ୍ ଏବଂ ୟୁଏଇ। ୨୦୨୦ରୁ ୨୦୨୪ ଭିତରେ କୁଏତ ଏବଂ ୟୁଏଇରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ୨୫ ଭାରତୀୟ। ବୈଦେଶିକ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ରାଜ୍ୟସଭାରେ ଦେଇଥିବା ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏଥିରୁ ଜଣାପଡ଼ୁଛି ଭାରତୀୟଙ୍କ ପାଇଁ କୁଏତ ଏବଂ ୟୁଏଇ ଆଇନ କଠୋର ହେଉଛି। କୁଏତରେ ମୁଖ୍ୟତଃ ହତ୍ୟା, ଦୁଷ୍କର୍ମ ଏବଂ ଆତଙ୍କବାଦ ଭଳି ସଙ୍ଗୀନ ମାମଲାରେ ଫାଶୀଦଣ୍ଡ ମିଳେ। ସେହିପରି ୟୁଏଇରେ ହତ୍ୟା, ଆତଙ୍କବାଦ, ଦୁଷ୍କର୍ମ, ଡ୍ରଗ୍ସ ତସ୍କରୀ, ଦେଶଦ୍ରୋହ ଭଳି ସଙ୍ଗୀନ ମାମଲାରେ ଫାଶୀ ଦଣ୍ଡ ମିଳେ। ଏଠାରେ ଶରିଆ କାନୁନ ଏବଂ ଆଧୁନିକ ଅପରାଧିକ ଆଇନର ସଂଯୋଜନାରେ ଦଣ୍ଡ ନିର୍ଦ୍ଧାରଣ କରାଯାଏ।
ଭାରତୀୟଙ୍କୁ ଫାଶୀ ଦଣ୍ଡ ଦେବାରେ ୩ ନଂରେ ସାଉଦି ଆରବ ରହିଛି। ଏଠାରେ ଗତ ୫ ବର୍ଷ ଭିତରେ ୧୧ ଭାରତୀୟଙ୍କୁ ଫାଶୀ ଦଣ୍ଡ ମିଳିଛି। ମାଲେସିଆରେ ୬ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ତେବେ ଏମାନଙ୍କୁ ଫାଶୀ ଦିଆଯାଇଛି ନା ନାହିଁ ଏନେଇ କୌଣସି ଔପଚାରିକ ସୂଚନା ଦିଆଯାଇ ନାହିଁ। ଶେଷରେ ଜମାଇକା ଏବଂ ଜିମ୍ଵାୱେ ରହିଛନ୍ତି। ଏଠାରେ ଜଣେ ଲେଖାଏଁ ଭାରତୀୟଙ୍କୁ ଫାଶୀ ଦଣ୍ଡ ମିଳିଛି।