କଟକ, ୧୮।୭: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ମାମଲା । ଶୁକ୍ରବାର ସିବିଆଇ ପକ୍ଷରୁ କେସ୍ ଡାୟାରୀ ଦାଖଲ ହୋଇଥିବା ବେଳେ ହାଇକୋର୍ଟ ଶୁଣାଣି ଶେଷ କରିଛନ୍ତି । ବିଚାରପତି ଜଷ୍ଟିସ୍ ଭି. ନରସିଂହ ରାୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।
ସିବିଆଇ ତଦନ୍ତକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ ହେବା ପରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ଶ୍ରୀ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ହେଲେ ରାୟ ପ୍ରକାଶ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ।
କହିରଖୁ କି, ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା । ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ ମଧ୍ୟ ହୋଇଥିଲା । ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ ପାଇଁ ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟ ପୂର୍ବରୁ ଏହି ମାମଲାରେ ରାୟ ପ୍ରକାଶ କରି ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।
ସୂଚନାନୁସାରେ, ଏକ ବିଲ୍ ପାସ୍ ପାଇଁ ୧୦ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର୍ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହି ଲିଙ୍କ୍ରେ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରାଯିବା ସହ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରାଯାଇଥିଲା । ବିଷ୍ଣୁପଦ ସେଠୀ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିଲା । ସିବିଆଇ ରେଡ୍କୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ।