ନମୌଜା, ୧୭।୭: ବନ୍ୟା ପାଣିରେ ହନ୍ତସନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ୍ । ନଈ ଘେରା ପଦିନିପାଳ ପଞ୍ଚାୟତର ୨ଟି ଗାଁ ଓ ଭୂଇଁପୁର ପଞ୍ଚାୟତର ଗୋଟିଏ ଗାଁ ବନ୍ୟା ଯୋଗୁଁ ତିନିଦିନ ହେଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି l ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସୂଚନାନୁସାରେ, ଆଳି ବ୍ଲକର ପଦିନିପାଳ ପଞ୍ଚାୟତର ଦୁଇଟି ରାଜସ୍ୱ ଗ୍ରାମ ପଦିନିପାଳ ଓ ଦୈତାରୀପୁର ଗ୍ରାମର ପାଖାପାଖି ୧୪ଟି ୱାର୍ଡରେ ୭୦୦ରୁ ଉର୍ଦ୍ଧ୍ୱ ପରିବାରର ପାଖାପାଖି ୫ହଜାରରୁ ଉର୍ଦ୍ଧ୍ୱ ଲୋକ ଜଳବନ୍ଦୀ ହୋଇଛନ୍ତି ।
ସେହିପରି ଭୂଇଁପୁର ପଞ୍ଚାୟତର କଳମଡ଼ା ଶାଶନ ଗାଁରେ ଗୋଟିଏ ୱାର୍ଡର ୨୦୦ରୁ ଉର୍ଦ୍ଧ୍ୱ ପରିବାରର ପାଖାପାଖି ୫୫୦୦ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହିଛନ୍ତି । ଖରସ୍ରୋତା ଓ ଏହାର ଶାଖା ନଦୀ କାଣୀରେ ବନ୍ୟା ଆସିବା ଯୋଗୁଁ ୩ଦିନ ହେଲା ଏହି ତିନିଟି ଗାଁ ଜଳବନ୍ଦୀ ହୋଇରହିଛି । ତିନିଟି ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ବନ୍ୟାଜଳରେ ବୁଡ଼ିଯାଇଛି l ଦୁଇ ବର୍ଷ ତଳେ ସରକାରଙ୍କ ଦ୍ୱାରା ରାଜକନିକା ପଟୁ ଏହି ତିନି ଗାଁର ଲୋକଙ୍କ ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ସେତୁ କାର୍ଯ୍ୟକାରୀ ହେବା ଦିନରୁ ଏହାର ଆପ୍ରୋଚ ରୋଡ୍କୁ ନେଇ ସମସ୍ୟା ଲାଗି ରହିଛି l ଏହି ରାସ୍ତା କିଛି ସ୍ଥାନରେ ଧସିଯାଇଥିଲା ତାହାକୁ ପୁନଃ ମରାମତି କରାଯାଇଥିଲା l କିନ୍ତୁ ସ୍ଥାନୀୟ ଲୋକ ବାରମ୍ବାର ଏ ସମସ୍ୟା ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି l
ନିର୍ମାଣ ସମୟରେ ନିମ୍ନମାନର ଆପ୍ରୋଚ ରୋଡ୍ ତିଆରି କରାଯାଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ଏହାର ତଦାରଖ ଅଭାବରୁ ସେତୁକୁ ସଂଯୋଗ କରୁଥିବା ରାସ୍ତାଟି ଖାଲୁଆ ହୋଇ ନିର୍ମାଣ କରାଯାଇଥିଲା l ଫଳରେ ଚଳିତ ଥର ପ୍ରଥମ ବନ୍ୟାରେ ଏହି ରାସ୍ତାରେ ୫ ଫୁଟ୍ରୁ ଉର୍ଦ୍ଧ୍ୱ ପାଣି ଚାଲୁଥିଲା । ଏଥିସହିତ ଗତ ତିନିଦିନ ହେଲା ବନ୍ୟା ଯୋଗୁଁ ବାହ୍ୟଜଗତରୁ ଗାଁ ବିଚ୍ଛିନ୍ନ ହୋଇଛି । ସେଠାରେ ବାସ କରୁଥିବା ଲୋକେ ଖାଦ୍ୟ ଓ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସାମ୍ମୁଖୀନ ହେଉଛନ୍ତି । ଏଯାବତ୍ ପ୍ରଶାସନ ତରଫରୁ କୌଣସି ସହାୟତା କିମ୍ବା କୌଣସି ଅଧିକାରୀଙ୍କର ଦେଖାନାହିଁ l ଯାହାକୁ ନେଇ ଆଜି ପଦିନିପାଳ ପଞ୍ଚାୟତ ସରପଞ୍ଚ ବିକ୍ରମ କୁମାର ମଲ୍ଲିକ, ବସନ୍ତ ମହାନ୍ତି, ଗୁରୁଚରଣ ଜେନା, ବାସୁଦେବ ବାରିକ, ଭୋଳାନାଥ ରାଉତ, ଅଶୋକ ଲେଙ୍କା, ରମାକାନ୍ତ ଦାଶ, କ୍ଷୀରୋଦ ମଲ୍ଲିକ, ବିନୋଦ ରାୟ ଙ୍କ ସହ ଶତାଧିକ ଲୋକେ ପ୍ରତିବାଦ କରି କ୍ଷୋଭ ପ୍ରକାଶ କରିଛନ୍ତି ।