ଇସଲାମାବାଦ,୧୮/୦୭: ଭୀଷଣ ବର୍ଷା ଆଣିଲା ବନ୍ୟା । ଯେଉଁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ରାସ୍ତାରେ ଅଣ୍ଟାଏ ପାଣି । ଉବୁଟୁବୁ ହୋଇଛି ପାକିସ୍ତାନ । ଘର ଭୁଶୁଡିଛି, ଗାଡି ମୋଟର ବୁଡିଛି । ପାକିସ୍ତାନରେ ବନ୍ୟା ସ୍ଥିତିରେ ଜନଜୀବନ ହନ୍ତସନ୍ତ ହୋଇଛନ୍ତି । ଚଳିତବର୍ଷ ପାକିସ୍ତାନରେ ମୌସୁମୀଜନିତ ମୃତ୍ୟୁସଂଖ୍ୟା ୧୫୯ରେ ପହଞ୍ଚିଛି । ପାକ୍ ପଞ୍ଜାବ ପ୍ରାନ୍ତରେ ଦିନରେ ୬୩ ଜଣଙ୍କର ମୃତ୍ୟୁ ହୋଇଛି । ୩୦୦ରୁ ଅଧିକ ଆହତ ହୋଇଛନ୍ତି । ରାୱଲପିଣ୍ଡରେ ପ୍ରବଳ ବର୍ଷା କାରଣରୁ ଆସିଥିବା ବନ୍ୟାରେ ଲଡିୟନ ଗାଁରେ ଘର ମାଟିରେ ମିଶିଛି ।
ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (PDMA)ଅନୁଯାୟୀ,ଜୁନ୍ ପରଠୁ ମୌସୁମୀଜନିତ ବର୍ଷାରେ କେବଳ ପଞ୍ଜାବରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି । ୩୯୩ ଜଣ ଆହତ ହୋଇଛନ୍ତି । ୧୨୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏବଂ ୬ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁସାରେ ଜୁନ୍ ୨୫ରୁ ଦେଶବ୍ୟାପୀ ଅତି କମ୍ରେ ୧୫୯ ଜଣଙ୍କର ମୃତ୍ୟୁ ହୋଇଛି । ୧,୦୦୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।
ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ସହର ମଙ୍ଗଳାରେ ଝେଲମ୍ ନଦୀ ପାଇଁ ବନ୍ୟା ସତର୍କତା ଜାରି କରାଯାଇଛି । ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସଂଲଗ୍ନ ନଦୀଗୁଡ଼ିକ ମଧ୍ୟ ପ୍ରବାହିତ ହୋଇପାରେ, ଯାହା ବିପଦ ଆଣିପାରେ । ମୌସୁମୀ ବର୍ଷା ଯୋଗଁ ଫସଲ କ୍ଷୟକ୍ଷତି ହୋଇଛି ।