ଲଣ୍ଡନ: ଯୁକ୍ତରାଜ୍ୟ ସରକାର ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ୧୬ ଓ ୧୭ ବର୍ଷ ବୟସର ଯୁବକମାନଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ଆଣିବ ଏବଂ ବିଶ୍ୱରେ ସର୍ବନିମ୍ନ ଭୋଟିଂ ବୟସ ମଧ୍ୟରୁ ଗୋଟିଏ ହେବ। ଶାସକ ଲେବର ପାର୍ଟିର ନିର୍ବାଚନୀ ପ୍ରତିଶ୍ରୁତିର ଅଂଶ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଯାହା ନିମ୍ନ ଭୋଟର ଅଂଶଗ୍ରହଣ ଏବଂ ଗଣତନ୍ତ୍ର ପ୍ରତି ହ୍ରାସମାନ ଆସ୍ଥାକୁ ଦୃଷ୍ଟିରେ ରଖି ନିଆଯାଇଛି।
ଏହି ଭୋଟ ଦେବା ବର୍ଷକୁ ସରକାରଙ୍କ ତରଫରୁ କମ କରାଯାଉଛି। କାରଣ ବିଗତ କିଛି ବର୍ଷ ହେବ ଇଂଲଣ୍ଡରେ ସରକାର ସ୍ଥିର ରହୁନଥିବା ଓ ଆର୍ଥିକ ଅବ୍ୟବସ୍ଥା କାରଣକୁ ଲୋକଙ୍କର ସରକାର ଉପରୁ ବିଶ୍ୱାସ ଉଠିଯାଇଛି। ଯେଉଁଥିପାଇଁ ସରକାର ବାଧ୍ୟ ହେଇ ଭୋଟିଂ ବୟସକୁ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ରିଟେନରେ ସଂସଦ ଅଧିବେଶନ ଆରମ୍ଭ ହେବା ଆଗରୁ ସରକାର ଏହା ଉପରେ ବିଧେୟକ ଆଣିବାକୁ ଯୋଜନ ରଖିଛନ୍ତି। ଯେଉଁଠି ଏହା ପୂର୍ଣ୍ଣ ବହୁମତରେ ପାସ ହେବ ବୋଲି ଅନୁମାନ କରାଯାଉଛି।
ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର ଏନେଇ କହିଛନ୍ତି ଯେ, “୧୬ ଓ ୧୭ ବର୍ଷୀୟ ଯୁବକମାନେ କାମ କରୁଛନ୍ତି, ଟିକସ ଦେଉଛନ୍ତି, ତେଣୁ ସେମାନଙ୍କୁ ସରକାରୀ ନୀତି ଓ ଖର୍ଚ୍ଚ ନିର୍ଦ୍ଧାରଣରେ ମତ ଦେବାର ଅଧିକାର ମିଳିବା ଉଚିତ।” ଉପ-ପ୍ରଧାନମନ୍ତ୍ରୀ ଆଙ୍ଗେଲା ରେନର ଏହାକୁ ସମର୍ଥନ କରି କହିଛନ୍ତି ଯେ, “୧୬ ବର୍ଷ ବୟସରେ ମୁଁ ମା’ ହୋଇଥିଲି। ଏହି ବୟସରେ ଲୋକେ ଗୁରୁତ୍ୱପୂର୍ଣ୍ଣ ଜୀବନ ନିଷ୍ପତ୍ତି ନେଉଛନ୍ତି, ତେଣୁ ସେମାନଙ୍କୁ ଭୋଟ ଦେବାର ଅଧିକାର ଦିଆଯିବା ଆବଶ୍ୟକ।”
ଏହି ସଂସ୍କାର ଅନ୍ୟାନ୍ୟ ପଦକ୍ଷେପ ସହିତ ସାମ୍ନାକୁ ଆସିଛି। ଯେଉଁଥିରେ ସ୍ୱୟଂଚାଳିତ ଭୋଟର ପଞ୍ଜୀକରଣ ଏବଂ ପୋଲିଂ ଷ୍ଟେସନରେ ବ୍ୟାଙ୍କ କାର୍ଡକୁ ପରିଚୟ ପତ୍ର ଭାବେ ଗ୍ରହଣ କରାଯିବାର ଯୋଜନା ରହିଛି। ୨୦୨୪ ନିର୍ବାଚନରେ ଭୋଟର ଅଂଶଗ୍ରହଣ ୨୦୦୧ ପରେ ସର୍ବନିମ୍ନ ସ୍ତରରେ ରହିଥିଲା, ଯାହା ଏହି ପରିବର୍ତ୍ତନର ଏକ ପ୍ରମୁଖ କାରଣ ହୋଇପାରିଛି।
ତେବେ, ଏହି ନିଷ୍ପତ୍ତିକୁ ବିରୋଧୀ କଞ୍ଜରଭେଟିଭ ପାର୍ଟି ବିରୋଧ କରିଛି। କାରଣ ଏକ ସର୍ଭେ ଅନୁସାରେ ୧୬ ଓ ୧୭ ବର୍ଷୀୟଙ୍କ ମଧ୍ୟରେ ଲେବର ପାର୍ଟିର ସମର୍ଥନ ହାର ହେଉଛି ୩୩ ପ୍ରତିଶତ। କଞ୍ଜରଭେଟିଭ ସାଂସଦ ପଲ ହୋମ୍ସ କହିଛନ୍ତି, “୧୬ ବର୍ଷୀୟଙ୍କୁ ଭୋଟ ଦେବାର ଅଧିକାର ଦିଆଯାଉଛି, କିନ୍ତୁ ସେମାନେ ଲଟେରୀ ଟିକେଟ କିଣିପାରିବେ ନାହିଁ, ମଦ ପିଇପାରିବେ ନାହିଁ, ବିବାହ କରିପାରିବେ ନାହିଁ କିମ୍ବା ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ। ଏହା ଏକ ନୀତିଗତ ଅସଙ୍ଗତି।”
ଏହି ପଦକ୍ଷେପ ଯୁକ୍ତରାଜ୍ୟର ରାଜନୈତିକ ପରିଦୃଶ୍ୟକୁ ପରିବର୍ତ୍ତନ କରିବ ଏବଂ ଯୁବକମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଧିକ ସକ୍ରିୟ କରିବ ବୋଲି ଆଶା କରାଯାଉଛି।