ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚଳିତ ମାସରେ ତିନୋଟି ଦେଶ ଗସ୍ତ କରିବେ। ମୁନିରଙ୍କ ବିଦେଶ ଗସ୍ତ ଜୁଲାଇ ୨୦ରୁ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ମୁନିର ଏକ ସପ୍ତାହ ପାଇଁ ଶ୍ରୀଲଙ୍କା, ଚୀନ୍ ଏବଂ ଇଣ୍ଡୋନେସିଆରେ ରହିବେ । ପାକିସ୍ତାନର ସେନା ମୁଖ୍ୟଙ୍କ ପାଇଁ ଏପରି ଗସ୍ତ ନୂଆ ନୁହେଁ । କିନ୍ତୁ ମୁନିରଙ୍କ ଏହି ତିନୋଟି ଦେଶ ଗସ୍ତ ସ୍ୱତନ୍ତ୍ର । ପ୍ରକୃତରେ, ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନାର ଆକ୍ରମଣର ସମ୍ମୁଖୀନ ହେବା ପରେ ପାକିସ୍ତାନ କୂଟନୈତିକ ସ୍ତରରେ ଭାରତକୁ ଚେକ ଦେବାକୁ ଚେଷ୍ଟା କରୁଛି ।
ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପାକିସ୍ତାନ ଏହି ଇଚ୍ଛା ପୂରଣ କରିବାରେ ଚୀନର ଏକ ଏଜେଣ୍ଟ ପାଲଟିଛି। ଅସୀମ ମୁନିରଙ୍କ ତିନି-ରାଷ୍ଟ୍ର ଗସ୍ତ ସାଧାରଣ ସାମରିକ କୂଟନୀତି ନୁହେଁ ବରଂ ଏକ ସୁଚିନ୍ତିତ ରଣନୀତି। ପାକିସ୍ତାନ ଏବଂ ଚୀନ୍ ଉଭୟ ଦେଶ ଭାରତର ବୃଦ୍ଧି ପାଉଥିବା ପ୍ରତିଷ୍ଠାକୁ ନେଇ ଚିନ୍ତିତ । ଏପରି ପରିସ୍ଥିତିରେ, ମୁନିରଙ୍କ ଯାତ୍ରା ଯୋଜନା ନୂଆଦିଲ୍ଲୀର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବାର ଏକ ପ୍ରୟାସକୁ ପ୍ରତିଫଳିତ କରେ । ଏହାକୁ ଚୀନ୍ ପରଦା ପଛରେ ପରିଚାଳିତ କରୁଛି ବୋଲି କୁହାଯାଉଛି ।
ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆ ଗସ୍ତ ମଧ୍ୟରେ ଅସୀମ ମୁନିରଙ୍କ ଚୀନରେ ରହଣି ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ଦର୍ଶାଉଛି ଯେ, ଚୀନ କିପରି ପାକିସ୍ତାନକୁ ପ୍ରକ୍ସି ଭାବରେ ବ୍ୟବହାର କରି ଭାରତର ଦୃଢ଼ କୂଟନୈତିକ, ଅର୍ଥନୈତିକ ଏବଂ ରଣନୈତିକ ଉପସ୍ଥିତି ଥିବା ଅଞ୍ଚଳରେ ପାଦ ରଖିବାକୁ ଚେଷ୍ଟା କରୁଛି । ଚୀନ୍ ଏବଂ ପାକିସ୍ତାନ ପ୍ରାୟତଃ ଭାରତୀୟ ପ୍ରଭାବକୁ ମୁକାବିଲା କରିବା ପାଇଁ ଏକାଠି କାମ କରନ୍ତି, ଏକଥା କାହାକୁ ଅଛପା ନାହିଁ । ମୁନିରଙ୍କ ଗସ୍ତ ଏହାକୁ ପ୍ରମାଣିତ ମଧ୍ୟ କରୁଛି। ଦଶନ୍ଧୀ ମଧ୍ୟରେ ବିଶ୍ୱ ରେ ପାକିସ୍ତାନର ବିଶ୍ୱସନୀୟତା କମିଆସିଛି ।
ପାକିସ୍ତାନର ଖରାପ ଅର୍ଥନୀତି, ରାଜନୈତିକ ବିଶୃଙ୍ଖଳା ଏବଂ ଆତଙ୍କବାଦ ଯୋଗୁଁ ବିଶ୍ୱବ୍ୟାପୀ ଏହାର ପ୍ରତିଛବି କ୍ଷୁର୍ଣ୍ଣ ହେବା ପରେ ପାକିସ୍ତାନୀ ସେନା ଛବି ସୁଧାରିବାକୁ ଚେଷ୍ଟା କରୁଛି । ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆ ଗସ୍ତ ମାଧ୍ୟମରେ, ପାକିସ୍ତାନ ସ୍ପଷ୍ଟ ଭାବରେ ଭାରତର ବ୍ୟାପକ ପ୍ରଭାବ କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ସେପଟେ ଚୀନ୍ ଯେଉଁ ଦେଶଗୁଡ଼ିକରେ ନିଜକୁ ଦୁର୍ବଳ ମନେ କରୁଛି ସେଠାରେ ଭାରତର ଉପସ୍ଥିତିକୁ ହ୍ରାସ କରିବା ପାଇଁ ପାକିସ୍ତାନର ସାହାଯ୍ୟ ନେଉଛି ।