ନୂଆଦିଲ୍ଲୀ, ୧୭।୭: ନୂତନ ନିର୍ଦ୍ଦେଶନାମା ଜାରି କରିଛି CBSE । ଏହି ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏବେ ସବୁ ସ୍କୁଲରେ ‘ଅଏଲ୍ ବୋର୍ଡ’ ଲଗାଯିବ । ସ୍କୁଲଗୁଡ଼ିକ ସେମାନଙ୍କର ସୁବିଧା ଏବଂ ସୃଜନଶୀଳତାରେ ଏହି ବୋର୍ଡର ଡିଜାଇନ୍ କରିବେ । ଯାହାଦ୍ୱାରା ପିଲାମାନେ ସହଜରେ ବୁଝିପାରିବେ ଶରୀର ପାଇଁ ପୃଷ୍ଟିକର ଖାଦ୍ୟ କାହିଁକି ଜରୁରୀ । ଏବେ ସମସ୍ତ ସରକାରୀ ଡକ୍ୟୁମେଣ୍ଟରେ ମୋଟାପଣ ହ୍ରାସ ସମ୍ପର୍କିତ ବାର୍ତ୍ତା ଉଲ୍ଲେଖ ରହିବ । ଜଙ୍କଫୁଡ୍ ଅପେକ୍ଷା ପୁଷ୍ଟିକର ଖାଦ୍ୟକୁ ଦିଆଯିବ ପ୍ରାଥମିକତା । ଏଥିସହ ନିୟମିତ ବ୍ୟାୟାମକୁ ପ୍ରୋତ୍ସାହିତ କରାଯିବ ।
ଏହି ବୋର୍ଡ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖାଦ୍ୟରେ ତେଲର ପରିମାଣ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା । ସ୍କୁଲ ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ମୋଟାପଣ ସମସ୍ୟାକୁ ଦୃଷ୍ଟିରେ ରଖି CBSE ଏହି ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ, CBSE ଅନୁବନ୍ଧିତ ସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକମାନଙ୍କ ପାଇଁ ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ସ୍କୁଲ ସାଧାରଣ ଅଞ୍ଚଳରେ ଡିଜିଟାଲ ପୋଷ୍ଟର ସହିତ ବୋର୍ଡ ଲଗାଇବା ଉଚିତ୍, ଯାହା ଖାଦ୍ୟ ତେଲର ଅତ୍ୟଧିକ ବ୍ୟବହାର ଦ୍ୱାରା ହେଉଥିବା କ୍ଷତି ବିଷୟରେ ବ୍ୟାଖ୍ୟା କରିବ ।
ସମସ୍ତ ସରକାରୀ କାଗଜପତ୍ରରେ ସୁସ୍ଥ ଜୀବନର ବାର୍ତ୍ତା
ସମସ୍ତ ସରକାରୀ ଡକ୍ୟୁମେଣ୍ଟ, ନୋଟପ୍ୟାଡ୍, ଲେଟରହେଡ୍ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ସୁସ୍ଥ ଜୀବନଶୈଳୀ ସହିତ ଜଡ଼ିତ ବାର୍ତ୍ତା ଛାପିବାକୁ CBSE ଅନୁବନ୍ଧିତ ସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏହା ମୋଟାପଣ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିବ ।
ଲିପ୍ଟ ବଦଳରେ ପିଲାଙ୍କୁ ସିଡ଼ି ଚଢ଼ିବାକୁ ନିର୍ଦ୍ଦେଶ
CBSE ତା’ର ନିର୍ଦ୍ଦେଶାବଳୀରେ କହିଛି ଯେ, ସ୍କୁଲମାନଙ୍କ ପିଲାଙ୍କୁ ସିଡ଼ି ଚଢ଼ିବାକୁ ଏବଂ ଚାଲିବାକୁ ଉତ୍ସାହିତ କରିବା ଉଚିତ୍ । ସ୍କୁଲ ପିଲାମାନଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମକୁ ପ୍ରୋତ୍ସାହିତ କରିବା, ଜଙ୍କଫୁଡ୍ ହ୍ରାସ କରିବା ଏବଂ ପୁଷ୍ଟିକର ଖାଦ୍ୟ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ CBSE ନିର୍ଦ୍ଦେଶ ଦେଇଛି । ଏଥିସହ CBSE ସ୍କୁଲଗୁଡ଼ିକରେ ସୁଗାର ବୋର୍ଡ ଲଗାଯାଉଛି, ଯେଉଁଥିରେ ଚିନିର ବ୍ୟବହାର ବିଷୟରେ ସୂଚନା ଦିଆଯାଉଛି ।
୨୦୫୦ ସୁଦ୍ଧା ମେଦବହୁଳତାର ଶିକାର ହେବେ ୪୪.୯୦ କୋଟି ଲୋକ
CBSE ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS) କହିଛି ଯେ, ଦେଶରେ ସ୍ଥୂଳତା ବୃଦ୍ଧି ପାଉଛି ଏବଂ ପ୍ରତି ୫ ଜଣରେ ଜଣେ ମେଦବହୁଳତାରେ ଶିକାର ହୋଇଛନ୍ତି । ୨୦୧୫ରେ ପ୍ରକାଶିତ ଲାନସେଟ୍ ରିପୋର୍ଟରେ କୁହାଯାଇଛି ଯେ, ୨୦୨୧ ମସିହାରେ ଭାରତରେ ୧୮ କୋଟି ଲୋକ ମେଦବହୁଳତାରେ ପୀଡ଼ିତ ଥିଲେ । ୨୦୫୦ ମସିହା ସୁଦ୍ଧା ଭାରତରେ ୪୪.୯୦ କୋଟି ଲୋକ ମେଦବହୁଳତାରେ ପୀଡ଼ିତ ହେବେ ।
କହିରଖୁ କି, ପୂର୍ବରୁ ସରକାରଙ୍କ ଦ୍ୱାରା ସିଙ୍ଗଡ଼ା, ଜିଲାପି ଏବଂ ଲଡ଼ୁ ଖାଇବା ସମ୍ପର୍କରେ ଏକ ବିବୃତ୍ତି ଜାରି କରାଯାଇଥିଲା । ସୋମବାର ଖବର ଆସିଥିଲା ଯେ, ସରକାର ଜଲେବି ଏବଂ ସମୋସା ସମେତ ଅନେକ ଭାରତୀୟ ଖାଦ୍ୟକୁ ଅସ୍ୱାସ୍ଥ୍ୟକର ଘୋଷଣା କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏପରି କୌଣସି ପରାମର୍ଶ ଜାରି କରାଯାଇ ନାହିଁ । କେନ୍ଦ୍ର ସରକାର କହିଥିଲେ ଯେ ସେମାନେ ଏ ବିଷୟରେ କୌଣସି ପରାମର୍ଶ ଜାରି କରିନାହାନ୍ତି । କେବଳ ସୁସ୍ଥ ଖାଦ୍ୟ ଖାଇବା ଏବଂ ଚିନି, ତେଲ ଏଡ଼ାଇବାକୁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ ସରକାର କେବଳ ଲୋକଙ୍କୁ ସୁସ୍ଥ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି । କାରଣ ମୋଟାପଣ ଏକ ବଡ଼ ସମସ୍ୟା ହୋଇପଡ଼ୁଛି । ବିଶେଷକରି ଗାଁ ଅପେକ୍ଷା ସହରଗୁଡ଼ିକରେ ଲୋକମାନେ ମୋଟାପାରେ ଅଧିକ ପୀଡ଼ିତ ହେଉଛନ୍ତି ।