ନୂଆଦିଲ୍ଲୀ,୧୭।୭: ମହାରାଷ୍ଟ୍ର ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଯେତେବେଳେ ଶାସକ ଦଳ ବିଜେପି ଓ ବିରୋଧି ଦଳ ଏନ୍ସିପି ( ଶରଦ ପାଓ୍ବାର ଗୋଷ୍ଠୀ)ର ବିଧାୟକ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ଠେଲାପେଲା ଓ ବିଧା-ଗୋଇଠା ମରାମରି ହୋଇଥିଲେ। ଏହି ଦୃଶ୍ୟ ସେଠାର ମିଡିଆ କ୍ୟାମେରାରେ କଏଦ ହୋଇଯାଇଛି। ବିଜେପି ବିଧାୟକ ଗୋପିଚନ୍ଦ ପଦଲକର ଓ ଏନ୍ସିପି (ଶରଦ ପାଓ୍ବାର ଗୋଷ୍ଠୀ) ବିଧାୟକ ଜିତେନ୍ଦ୍ର ଆହ୍ବାଡଙ୍କ ଭିତରେ କିଛି ସମୟ ପାଇଁ ବିବାଦ ଦେଖିବାକୁ ମିଳିଥିଲା। ଯାହାକି ଆଜି ହିଂସାତ୍ମକ ରୂପରେ ପରିବର୍ତ୍ତନ ହୋଇଛି।
ଏହା ପୂର୍ବରୁ ଗତକାଲି ଗୋପୀଚନ୍ଦ ପଦଲକର ଓ ଜିତେନ୍ଦ୍ର ଆହ୍ବାଡଙ୍କ ଭିତରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଦୁଇ ନେତା ପରସ୍ପରକୁ ବିଧାନସଭା ପରିସର ଗେଟ୍ ପାଖରେ ଗାଳିଗୁଲଜ କରୁଥିଲେ। ଏବେ ଏହି ମାମଲା ଗରମ ଥିଲା ଯେ, ଆଜି ପଦଲକର ଓ ଆହ୍ବାଡ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ଦୁଇ ନେତାଙ୍କ ସମର୍ଥକ ବିଧାନସଭା ଭବନର ଲବିରେ ପରସ୍ପର ସହ ଲଢେଇ କରିବାରେ ଲାଗିଥିଲେ।
ଏହା ଭିତରେ ଏନ୍ସିପି ବିଧାୟକ ଜିତେନ୍ଦ୍ର ଆହ୍ବାଡ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଗୁଣ୍ଡାମାନେ ମୋତେ ମାରିବା ପାଇଁ ବିଧାନସଭା ଭବନ ଆସିଥିଲେ, କିନ୍ତୁ ମୋତେ ମାରିବା ବଦଳରେ, ମୋ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିଲେ। ବିଧାନସଭା ଭବନରେ କ’ଣ ଚାଲିଛି ? ଗାଳିଗୁଲଜରୁ ଆରମ୍ଭ ହୋଇଥିବା ଏହି ବିବାଦ ଠେଲାପେଲା ଓ ମାରପିଟ୍ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଆଶଙ୍କା କରାଯାଉଛି ଯେ, ରାଜ୍ୟରେ ରାଜନୈତିକ ଉଷ୍ମତା ଆହୁରି ବଢିବାକୁ ଯାଉଛି।