ପ୍ରମୂଖ ଖବର

ପଡ଼ିଲା ପ୍ରଥମ ଭୂଇଁ ଫ୍ରେମ୍‌, ରଥରେ ଲାଗିଲା ଛନ୍ଦା ଗୟଳ

ପୁରୀ,୧୯/୬ : ମଙ୍ଗଳବାର ରଥ ଖଳାରେ ତିନି ରଥର ପ୍ରଥମ ଭୂଇଁର ଫ୍ରେମ୍‌ ପଡ଼ିଥିଲା। ଏହାକୁ ନମ୍ବରିଂ କରି ଖୋଲାଯାଇ ସେହି ଅନୁସାରେ ରଥକୁ ଉଠାଯିବ । ଦ୍ୱିତୀୟ ଭୂଇଁ ଫ୍ରେମ ପଡ଼ିବା ନେଇ କାଠ ପ୍ରସ୍ତୁତ ଅଛି । ଏପଟେ ରଥରେ ଛନ୍ଦା ଗୟଳ ପକାଇଛନ୍ତି ଭୋଇ ସେବକ । ଆଗକୁ ରଥରେ ଛଅ କାଠ ଉଠାଇବାକୁ ପ୍ରସ୍ତୁତି ଚାଲିଛି । ରଥରେ ଚଣାକ ବାଡ଼େଇ ତିନି ରଥରେ ଉଠିବ ଛଅ କାଠ । ପ୍ରଥମ ଭୂଇଁ ମୂଳଦୁଆ ପାଇଁ ଆଗେ ଚଉତା କାଠ ପଡ଼ିଥିଲା । ଖାପ ହୋଇ ୨ଗୋଟି କାଠ ଉପରେ ଆଉ ୨ଟି କାଠ ରହିଲା । ତା’ପରେ ରହିଥିଲା ୨ଟି ଓରା କାଠ । ଓରା କାଠ ଉପରେ ୪ଟି ଖମ୍ୱି ଖଞ୍ଜାହେଲା । ଖମ୍ୱିରେ ଥିବା ସାଲକୁ ଓରାର ବିନ୍ଧରେ ଭୁଞ୍ଜାଗଲା । ପରେ ନମ୍ବରିଂ ହୋଇ ଫ୍ରେମ୍‌ ଖୋଲାଯାଇଥିଲା । ଭୂଇଁରେ ଥିବା କାଠରେ ବିନ୍ଧ ହୋଇ ପାଖୁଡା ଲାଗିବ । ଗୋଟିଏ ଭୂଇଁରେ ୧୬ଟି ପାଖୁଡା ଲାଗିବ । ପାଖୁଡା ଦେହରେ ପଡ଼ିବ ମାଛପାତିଆ । 

ସେହିଭଳି ଦ୍ୱିତୀୟ ଭୂଇଁ ଫ୍ରେମ୍‌ କାମ ଶେଷ ହେବା ଉପରେ । ରଥରେ ଛ’ଅ କାଠ ଉଠି ଚଉଦ ନାହାକା ବୁଲିଲେ ଭୂଇଁ ସ୍ଥାପନ ହେବ । ଏହିଭଳି ପ୍ରତି ରଥରେ ତିନୋଟି ଭୂଇଁ ଉଠିବ । ଆଗେ ରଥରେ ପୋଲ ଗୟଳ ପଡ଼ିଥିଲା । ଏବେ ଛନ୍ଦା ଗୟଳ କାମ ଚାଲିଛି । ବିଶ୍ୱକର୍ମାମାନେ ଗୟଳରେ ବିନ୍ଧ କରି ଟାଣ ଆଣ୍ଟିଛନ୍ତି । ଦଣ୍ଡା ଉପରେ ଅଂଶୁଆରି ଓ ଟାଣ ଲଗାଯାଇ ଗୟଳ ରହିଛି । ପୋଲ ଓ ଛନ୍ଦା ଗୟଳ ମିଶି ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୨ଟି ଲେଖାଏଁ ଓ ଦେବଦଳନ ରଥରେ ୮ଟି ଗୟଳ ପଡିଥିବା ବିଶ୍ୱକର୍ମାମାନେ କହିଛନ୍ତି । ଗୟଳ ଉପରେ ପଟା ପଡିବ । ଗୟଳ କାମ ପରେ ଏଣିକି ରଥରେ ଯୋକା ପକାଯିବ । ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୬ ଗୋଟି ଲେଖାଏଁ ଯୋକା ଲାଗିଥାଏ । ଦେବଦଳନ ରଥରେ ୧୨ଟି ଯୋକା ଲାଗିବ । ରଥର କୋଣରେ ଯୋକା ସ୍ଥାପନ କରାଯିବ । 

ରଥ ଖଳାରେ ବିଶ୍ୱକର୍ମାମାନେ ଚଉଦ ନାହାକା କାମ ସାରିବା ଉପରେ ରହିଛନ୍ତି । ରଥରେ ଛଅ କାଠ ଉଠାଇବାକୁ ଭୋଇ ସେବକମାନେ ଚଣାକ ପ୍ରସ୍ତୁତ କରିଛନ୍ତି । ବିଶ୍ୱକର୍ମାଙ୍କ କାମକୁ ତାଳ ଦେଇ ଓଝା ସେବକମାନେ ଲୁହା ସାମଗ୍ରୀ ତିଆରୁଛନ୍ତି । ରଥ ଦଣ୍ଡାରେ ପଡ଼ିବ ଖଦିଓରା । ପରେ ରଥରେ ଚଉଦନାହାକା ବୁଲିବ । ଏହାପରେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ । ପ୍ରତି ରଥରେ ରହିଥାଏ ୩ଟି ଭୂଇଁ । ପ୍ରଥମ ଭୂଇଁ ସବୁଠାରୁ ବଡ଼ । ଦ୍ୱିତୀୟ ଭୂଇଁ ତାଠାରୁ ସାମାନ୍ୟ ସାନ ଓ ତୃତୀୟଟି ମଝି ଭୂଇଁଠାରୁ ସାନ । ରଥଖଳାରେ ରୁପକାର, କମାର ଓ କରତି ସେବକମାନେ ନିଜ ନିଜ କାମରେ ନିୟୋଜିତ ରହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.