ଭୁବନେଶ୍ୱର,୦୪/୦୩: ସର୍ବସାଧାରଣରେ ମଦ୍ୟପାନକୁ ବାରଣ କରିବାରୁ ପୁଲିସଙ୍କୁ ଢେଲାମାରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଦୁର୍ଦ୍ଦାନ୍ତ ପାକାକୁ ଗିରଫ କରିଛି । ପାକା ଓରଫ ପ୍ରକାଶ ବେହେରା (୩୮) ର ଘର ଏହି ଥାନା ଅନ୍ତର୍ଗତ ବୋତଣ୍ଡା।
ପୁଲିସ ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୭ରେ ପାକା ଓ ତା’ ଭାଇ ପ୍ରେଷ୍ଟିଜ ଆପାର୍ଟମେଣ୍ଟ୍ ସମ୍ମୁଖରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିଲେ । ଖବରପାଇ ଏୟାରଫିଲ୍ଡ ଥାନା ପୁଲିସ ସେଠାରେ ପହଞ୍ଚି ଦୁଇଭାଇଙ୍କୁ ସର୍ବସାଧାରଣରେ ମଦ୍ୟପାନ କରିବାକୁ ବାରଣ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ପାକା ଓ ତା’ ଭାଇ ପୁଲିସଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଢେଲାମାରି ହତ୍ୟା ଉଦ୍ୟମ କରିଥିଲେ । ୨ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ପୁଲିସ ଟିମ୍ ଦୁଇଭାଇଙ୍କୁ ଧରିବାକୁ ଗୋଡ଼ାଇବା ବେଳେ ସେମାନେ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଫେରାର୍ ଥିବା ପାକାକୁ ରବିବାର ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଅପରାହ୍ଣରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ପାକାର ଭାଇ ଏବେ ଫେରାର୍ ଅଛି । ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।