ପ୍ୟାରିସ୍,୧୨/୦୮: ଦୀର୍ଘ ୧୮ ଦିନର ରୋମାଞ୍ଚ ସହ ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ୩୨୯ଟି ପଦକ ଇଭେଣ୍ଟ ପାଇଁ ୧୦,୭୧୪ ପ୍ରତିଯୋଗୀ ଗତ ୩ ସପ୍ତାହ ଧରି ଫ୍ରାନ୍ସର ବିଭିନ୍ନ ସହରରେ ଲଢ଼େଇ କରିଥିଲେ । ଶେଷରେ ୨୦୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ୟୁଏସ୍ଏ ପୁନର୍ବାର ସର୍ବାଧିକ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି । ମୋଟ୍ ୩୩ଟି ସଂସ୍କରଣ ମଧ୍ୟରୁ ୟୁଏସ୍ଏ ୧୯ ଥର ପଦକ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରୁ ୟୁଏସ୍ଏ କ୍ରମାନ୍ୱୟରେ ଚତୁର୍ଥ ଧର ପାଇଁ ଟେବୁଲ୍ ଟପ୍ପର ହୋଇଛି ।
ରବିବାର ମହିଳା ବର୍ଗ ବାସ୍କେଟବଲ୍ ମ୍ୟାଚ୍ ସହ ଅଲିମ୍ପିକ୍ସର ସମସ୍ତ ଇଭେଣ୍ଟ ଶେଷ ହୋଇଥିଲା । ଅପରାହ୍ଣରେ ଆୟୋଜିତ ହୋଇଥିଲା ଉଦ୍ଯାପନୀ ଉତ୍ସବ । ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ରଖ୍ୟାତ ହଲିଉଡ ତାରକା ଟମ କ୍ରୁଜ୍ । ସୁପରହିଟ୍ ସିନେମା ‘ମିସନ ଇମ୍ପସେବୁଲ’ର ଭଳି ସେ ଅବିଶ୍ୱସନୀୟ ଷ୍ଟଣ୍ଟ ଦେଖାଇ ଉପସ୍ଥିତ ଦର୍ଶକ ଓ କ୍ରୀଡ଼ାବିତ୍ଙ୍କୁ ସ୍ତବ୍ଧ କରିଦେଇଥିଲେ । ସେହିପରି ରେନ୍ ମ୍ୟାନ୍ ବ୍ୟାଣ୍ଡ ଗ୍ରୁପ୍ଙ୍କ ସମେତ ରାପର ସ୍ନୁପ ଡଗ୍ ଓ କଣ୍ଠଶିଳ୍ପୀ ବିଲ୍ଲି ଏଲିସ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲେ । ଶେଷରେ ପ୍ୟାରିସ୍ ଆୟୋଜକ ଅଲିମ୍ପିକ୍ ପତାକାକୁ ପରବର୍ତ୍ତୀ ଲସ୍ ଏଞ୍ଜଲସ୍ ଅଲିମ୍ପିକ୍ ଆୟୋଜକଙ୍କୁ ହସ୍ତାନ୍ତର କରିଥିଲେ ।
ଗତ ମାସ ୨୬ ତାରିଖରୁ ଅଲିମ୍ପିକ୍ସ ଆରମ୍ଭ ହୋଇଥିଲା । ଆଥ୍ଲେଟିକ୍ସ ସମେତ ସୁଟିଂ, ତୀରନ୍ଦାଜୀ, ସର୍ଫିଂ ଓ ସ୍କେଟ୍ ବୋର୍ଡିଂ ଆଦି କ୍ରୀଡ଼ା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ବିଶେଷ କରି ରଗ୍ବୀ ଓ ଆଥ୍ଲେଟିକ୍ସ ସମୟରେ ଐତିହାସିକ ଷ୍ଟେଡ ଡି ଫ୍ରାନ୍ସ ହାଉସ୍ଫୁଲ ରହୁଥିଲା । ନିୟମିତ ଭାବେ ୮୦,୦୦୦ରୁ ଊଦ୍ଧ୍ୱର୍ ଦର୍ଶକ ଷ୍ଟାଡ଼ିୟମ୍ରେ ବସି କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରୁଥିଲେ ।
ପ୍ୟାରିସ୍ରେ ଛୋଟ ମୋଟ କିଛି ବିବାଦକୁ ଛାଡ଼ିଦେଲେ ବାକି ସମସ୍ତ କ୍ରୀଡ଼ାରେ ଦର୍ଶକଙ୍କ ସମର୍ଥନ ଦେଖିବାକୁ ମିଳିଥିଲା । ‘ସିଟି ଅଫ୍ ଲଭ୍’ରେ ଦର୍ଶକ ଖେଳର ମଜା ନେବା ସହ ଆଇଫିଲ ଟାୱାର ସହ ସେଲ୍ଫି ନେଇ ପ୍ୟାରିସ୍ ଭ୍ରମଣକୁ ସ୍ମରଣୀୟ କରିଥିଲେ ।
ପୂର୍ବ ଭଳି ୟଏସ୍ଏ ଓ ଚୀନ୍ ମଧ୍ୟରେ ପଦକ ପାଇଁ ଜୋରଦାର ଲଢେଇ ହୋଇଥିଲା । ଉଭୟ ଦେଶ ୪୦ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ହେଁ ମୋଟ୍ ପଦକରେ ୟୁଏସଏ ବହୁ ଆଗକୁ ଚାଲି ଯାଇଥିଲା । ୟୁଏସଏ ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ଜିତିଥିଲା । ସେହି ତୁଳନାରେ ଚୀନ୍ ଜିତିଥିଲା ୨୭ଟି ରୌପ୍ୟ ଓ ୨୪ଟି ବ୍ରୋଞ୍ଜ ପଦକ ।
ବ୍ୟକ୍ତିଗତ ବର୍ଗରେ ଫ୍ରାନ୍ସର ଯୁବ ସ୍ୱିମର ଲିୟନ ମର୍ଚ୍ଚାଣ୍ଡ ସର୍ବାଧିକ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଚୀନ୍ ସ୍ୱିମର ୟୁଫେଇ ଝାଙ୍ଗ ସର୍ବାଧିକ ୬ଟି ପଦକ ଜିତିଥିଲେ ହେଁ ଏହି ତାଲିକାରେ ଗୋଟିଏ ହେଲେ ସ୍ୱର୍ଣ୍ଣ ସ୍ଥାନ ପାଇ ନଥିଲା ।
ଆଥ୍ଲେଟିକ୍ସରେ ୟୁଏସ୍ଏ ୧୪ଟି ସ୍ୱର୍ଣ୍ଣ ସହ ମୋଟ୍ ୩୪ଟି ପଦକ ଜିତିଥିଲା । ଏଥିରେ ୧୧ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ରହିଥିଲା । ଚୀନ୍ ଟେବୁଲ୍ ଟେନିସ୍ ଓ ଡାଇଭିଂରେ ରାଜୁତି କରିବା ସହ ସୁଟିଂ ଓ ଭାରୋତ୍ତୋଳନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ଡାଇଭିଂରେ ଚୀନ୍ ୮ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହା ବ୍ୟତୀତ ସୁଟିଂରେ ୫ଟି, ଟେବୁଲ ଟେନିସ୍ରେ ୫, ଭାରୋତ୍ତୋଳନରେ ୫ ଓ ବକ୍ସିଂରେ ୩ଟି ସ୍ୱର୍ଣ୍ଣ ପଦକ ମିଳିଥିଲା । ଭାରତ ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ସହ ମୋଟ ୬ଟି ପଦକ ଜିତିଛି । ପଦକ ତାଲିକାରେ ୭୧ତମ ସ୍ଥାନରେ ରହିଛି।