କାନପୁର: ଟେଷ୍ଟ କ୍ରିକେଟରେ ଭାରତୀୟ ଟିମ୍ ଛକା ବର୍ଷା କରି ଇତିହାସ ସୃଷ୍ଟି କରିଛି । ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରିଛି। କ୍ରିଜକୁ ଆସିବା ମାତ୍ରେ ଚୌକା ଓ ଛକା ବର୍ଷା କରିଛନ୍ତି ବ୍ୟାଟର। ଏହା ସହ ଟେଷ୍ଟ କ୍ରିକେଟ୍ରେ ଭାରତୀୟ ଦଳ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରି ଇଂଲଣ୍ଡକୁ ପଛରେ ପକାଇ ଦେଇଛି । ଭାରତୀୟ ଦଳ ୨୦୨୪ରେ ଏ ପର୍ଯ୍ୟନ୍ତ ୯୦ ଛକା ମାରିଛି। ଏହା ପୂର୍ବରୁ ଟେଷ୍ଟ ମ୍ୟାଚ୍ରେ ଗୋଟିଏ ବର୍ଷରେ ଅଧିକ ଛକା ମାରି ରେକର୍ଡ କରିଥିଲା ଇଂଲଣ୍ଡ । ଇଂଲଣ୍ଡର ଖେଳାଳି ମିଶି ୨୦୨୨ରେ ମୋଟ୍ ୮୯ ଛକା ମାରି ଏହି ରେକର୍ଡ କରିଥିଲେ । ଏବେ ଭାରତୀୟ ଦଳ ୯୦ ଛକା ମାରି ଏହ ରେକର୍ଡ ଇଂଲଣ୍ଡ ପାଖରୁ ଛଡ଼ାଇ ଆଣିଛି । ଭାରତୀୟ ଖେଳାଳି ଏହି ମାତ୍ର ୧୪ଟି ଇନିଂସରେ ୯୦ ଛକା ମାରିଛନ୍ତି।
ଚଳିତ ବର୍ଷ ରୋହିତ ଶର୍ମା, ଋଷଭ ପନ୍ତ ଓ ଯଶସ୍ଵୀ ଜୟସ୍ଵାଲ ଅଧିକ ଛକା ମାରିଛନ୍ତି। ଇଂଲଣ୍ଡ ପୂର୍ବରୁ ୨୦୨୧ରେ ଭାରତ ୮୭ ଛକା ମାରିଥିଲା । ଇଂଲଣ୍ଡ ଦଳ ଉପରେ ନଜର ପକାଇଲେ ବାଜବଲ୍ର ମାନସିକତା କାରଣରୁ ଇଂଲଣ୍ଡର ଖେଳାଳି ଦ୍ରୁତ ବ୍ୟାଟିଂ କରନ୍ତି । ୨୦୨୪ରେ ଭାରତ ୯୦ ଛକା ମାରି ଐତିହାସିକ ରେକର୍ଡ ନିଜ ନାମରେ କରିଛି। ଏହି ତାଲିକାରେ ୬୦ ଛକା ସହ ଇଂଲଣ୍ଡ ଦ୍ଵିତୀୟ ଓ ନ୍ୟୁଜିଲାଣ୍ଡ ୫୧ଟି ଛକା ମାରି ତୃତୀୟ ସ୍ଥାନରେ ରହିଛି। ତେବେ ଚଳିତ ବର୍ଷ ଭାରତ ଆହୁରି ୮ ଟେଷ୍ଟ ଖେଳିବ । ତେଣୁ ଭାରତୀୟ ବ୍ୟାଟରଙ୍କ ଛକା ସଂଖ୍ୟା ୧୦୦ ଅତିକ୍ରମ କରିପାରେ ବୋଲି ଚର୍ଚ୍ଚା ହୋଇଛି।
ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିଥିବା ଟିମ୍
ଭାରତ- ୯୦ (୨୦୨୪)
ଇଂଲଣ୍ଡ- ୮୯ (୨୦୨୨)
ଭାରତ- ୮୭ (୨୦୨୧)
ନ୍ୟୁଜିଲାଣ୍ଡ- ୮୧ (୨୦୧୪)
ନ୍ୟୁଜିଲାଣ୍ଡ- ୭୧ (୨୦୧୩)