ଢେଙ୍କାନାଳ,୦୩/୦୩: ସଦର ଥାନା ଅଞ୍ଚଳର ନାବାଳିକା କଲେଜ ଛାତ୍ରୀ ମାମଲାରେ ପୁଲିସ ଛାନ୍ଭିନ୍ ଚଳାଇଛି । ଶନିବାର ସନ୍ଧ୍ୟାରେ ଛାତ୍ରୀଙ୍କ ବଡ଼ବାପା ପୁଅ ଭାଇ ଓ ତାର ଜଣେ ସହଯୋଗୀକୁ ପୁଲିସ ଉଠାଇ ନେଇଛି । ସାଦା ପୋଷାକଧାରୀ ପୁଲିସ ଟିମ୍ ମଜୁରୀ ଗାଁ ଛକରୁ ପ୍ରଥମେ ସହଯୋଗୀକୁ କାବୁ କରିଥିବା ବେଳେ ପରେ ମୃତ ଛାତ୍ରୀଙ୍କ ଘରେ ତିକ୍ତାନ୍ନ ଖାଉଥିବା ବଡ଼ବାପା ପୁଅ ଭାଇକୁ ଉଠାଇ ଆଣିଛି । ଜମିଜମା ବିବାଦକୁ ନେଇ ଅଭିଯୁକ୍ତମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି ନାରକୀୟ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରିଛି । ଗତ ଗୁରୁବାର ସନ୍ଧ୍ୟାରୁ ଛାତ୍ରୀ ନିଖୋଜ ହୋଇ ଯାଇଥିବାବେଳେ ଶୁକ୍ରବାର ଅପରାହ୍ନରେ ଜଙ୍ଗଲରୁ ମୃତଦେହ ଠାବ ହୋଇଥିଲା ।
ସୂଚନା ପାଇ ବରିଷ୍ଠ ପୁଲିସ ଅଧିକାରୀ ସଦଳବଳ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା । ଏହାପରେ ଏସ୍ଡିପିଓ ବିଭୁତି ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ସହରର ବିଭିନ୍ନ ସ୍ଥାନରେ ରହିଥିବା ସିସିଟିଭି ଯାଞ୍ଚ କରିଥିଲା । ଏକାଧିକ ସିସିଟିଭି ଯାଞ୍ଚ ପରେ ମହାବୀର ଛକ ନିକଟ ଏକ ଦୋକାନରୁ ପୁଲିସ କିଛି ସୁରାକ୍ ପାଇଥିଲା । ଜଣେ ଯୁବକ ଛାତ୍ରୀଙ୍କୁ କଳା ରଙ୍ଗର ବାଇକ୍ରେ ବସାଇ ସନ୍ଧ୍ୟା ସମୟରେ ନେଉଥିବା ଦେଖାଯାଇଥିଲା । ଯୁବକ ଜଣକ କଳା ରଙ୍ଗର ସାର୍ଟ ଓ ନାଲି ହେଲ୍ମେଟ୍ ପିନ୍ଧିଥିଲେ । ସବୁଠାରୁ ବଡ଼ କଥା ହେଲା ଛାତ୍ରୀଙ୍କ ଘର ମଙ୍ଗଳପୁର ଅଞ୍ଚଳରେ ହୋଇଥିବାରୁ ପରିବା ମାର୍କେଟ୍ରୁ କଣ୍ଟାନାଳୀ ବାଇପାସ୍ ଛକ ହୋଇ ଯିବା କଥା । ମାତ୍ର ଯୁବକ ଜଣକ ଛାତ୍ରୀଙ୍କୁ ପରିବା ମାର୍କେଟ୍ରୁ ଗଣେଶ ବଜାର, ମହାବୀର ବଜାର ଛକ ଓ ଦକ୍ଷିଣକାଳୀ ରାସ୍ତାରେ ନେଇ ଯାଉଥିବା ସିସିଟିଭିରେ ଦେଖାଯାଇଛି ।
ହତ୍ୟାକାଣ୍ଡ ପରେ ସୁରାକ୍ ଯୋଗାଡ଼ କରିବାକୁ ଆଖପାଖ ଅଞ୍ଚଳରେ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ସନ୍ଧ୍ୟା ପ୍ରାୟ ୭ଟାରେ ମଜୁରୀ ଛକଠାରେ ସାଦା ବେଶରେ ପୁଲିସ ପ୍ରଥମେ ସନ୍ଦେହରେ ଜଣେ ଯୁବକକୁ କାବୁ କରିଥିଲା । ଯିଏକି ଜଣେ ରାଜମିସ୍ତ୍ରୀ । ତାଠାରୁ ସୂଚନା ପାଇ ପୁଲିସ ସିଧା ମୃତଛାତ୍ରୀଙ୍କ ଘରେ ପହଞ୍ଚିଥିଲା । ସେଠାରେ ତିକ୍ତାନ୍ନ ଖାଉଥିବା ଛାତ୍ରୀଙ୍କ ବଡ଼ବାପାଙ୍କ ପୁଅକୁ କାବୁ କରିଥିଲେ । ଜଙ୍ଗଲରେ ମୃତଦେହ ପଡ଼ିଥିବା ସମ୍ପର୍କରେ ସେ ହିଁ ପ୍ରଥମେ ସୂଚନା ଦେଇଥିଲା। ଏହାପରଠାରୁ ସେ ପୁଲିସର ସନ୍ଦେହ ବଳୟକୁ ଆସିଥିଲା । ଢେଙ୍କାନାଳ ସହରରୁ ପୁଲିସ ପାଇଥିବା ସିସିଟିଭି ଫୁଟେଜ୍ ଆଧାରରେ ରାଜମିସ୍ତ୍ରୀ ପାଖରେ ପହଞ୍ଚିବା ପରେ ବଡ଼ବାପା ପୁଅ ଭାଇର ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି ।
ସୂଚନାଯୋଗ୍ୟ, ସଦର ଥାନା ମଙ୍ଗଳପୁର ଗାଁ ନିକଟ କଇଁଆଗଡ଼ାଣି ଜଙ୍ଗଲରେ ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେ ଗୁରୁବାର ଢେଙ୍କାନାଳ ସହରକୁ କୋଚିଂ ନେବାକୁ ଆସି ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିଲେ ।