ଭୁବନେଶ୍ୱର, ୧୫।୫: ଦ୍ୱିତୀୟ ପର୍ଯ୍ୟାୟରେ ୩୫ଟି ନିର୍ବାଚନମଣ୍ଡଳୀ ମଇଦାନରେ ୨୬୫ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ସେମାନଙ୍କ ମଧ୍ୟରୁ ୯୫ଜଣ ପ୍ରାର୍ଥୀ କୋଟିପତି । ୨୩ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୫ କୋଟି ଟଙ୍କାରୁ ଅଧିକ । ୩୬ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୨ରୁ ୫ କୋଟି ଟଙ୍କା ଭିତରେ ରହିଛି । ୨୭ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷ ଛୁଇଁନଥିବା ସତ୍ୟପାଠରେ ଦର୍ଶାଯାଇଛି । ରାଉରକେଲାର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସମ୍ପତ୍ତି ୩୧୩ କୋଟିରୁ ଅଧିକ । ତାଙ୍କ ପାଖରେ ୫୩ କୋଟି ୫୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଅଛି । ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୬୦ କୋଟିରୁ ଅଧିକ ।
ମୋଟ ୩୫ ବିଧାନସଭା ଆସନରୁ ୩୦ଜଣ କୋଟିପତି ପ୍ରାର୍ଥୀଙ୍କୁ ଟିକଟ ଦେଇଛି ବିଜେଡି । ସେହିପରି କଂଗ୍ରେସ ଓ ବିଜେପିର ୨୪ ଜଣ ଲେଖାଏଁ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ଆପ୍ରୁ ୩ କୋଟିପତି ପ୍ରାର୍ଥୀ ଅଛନ୍ତି । ୧୦ଜଣ କୋଟିପତି ନିର୍ଦ୍ଦଳୀୟ ଲଢ଼ୁଛନ୍ତି । ରିପୋର୍ଟ ଅନୁସାରେ କଣ୍ଟାବାଞ୍ଜିରୁ ଲଢ଼ୁଥିବା ସ୍ୱାଧୀନ ପ୍ରାର୍ଥୀ ସୋହନ ସିପକାଙ୍କ ସମ୍ପତ୍ତି ମୂଲ୍ୟ ଶୂନ । ବୌଦ୍ଧର ସ୍ୱାଧୀନ ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ପାଖରେ ମାତ୍ର ୭ ହଜାର ଟଙ୍କା ଅଛି । କଣ୍ଟାବାଞ୍ଜିର ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ଅଭିରାମ ଧରୁଆଙ୍କ ପାଖରେ ୮,୫୯୨ ଟଙ୍କା ଓ ଟିଟଲାଗଡ଼ର ସ୍ୱାଧୀନ ପ୍ରାର୍ଥୀ ସତ୍ୟନାରାୟଣ ବହିଦାରଙ୍କ ପାଖରେ ୧୧ ହଜାର ଟଙ୍କା ଅଛି ।
ବଲାଙ୍ଗିର କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରୁଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ୩ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଶୂନ । ଅର୍ଥାତ୍ ସେମାନେ ଖଡ଼ି ଛୁଇଁ ନାହାନ୍ତି । ୧୩ଜଣ ପ୍ରାର୍ଥୀ ପଞ୍ଚମ ପାସ୍ । ଦଶମ ଡେଇଁଛନ୍ତି ୫୧ଜଣ । ୪୮ଜଣଙ୍କ ପାଖରେ ଦ୍ୱାଦଶ ଡିଗ୍ରୀ ଅଛି । ଡକ୍ଟରେଟ୍ ହାସଲ କରିଥିବା ୪ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୧୦ଜଣ ଡିପ୍ଲୋମା ଡିଗ୍ରୀଧାରୀ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନରେ ଓଡ଼ିଶା ଇଲେକ୍ସନ୍ ୱାଚ୍ର ଆବାହକ ରଞ୍ଜନ ମହାନ୍ତି ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ରିପୋର୍ଟ ସମ୍ପର୍କରେ ସୂଚନା ଦେଇଥିଲେ ।