ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଡଙ୍ଗର ଛାଡି଼ ସହରମୁହାଁ ଲାଞ୍ଜିଆ, କମୁଛି କାଜୁ, ତେନ୍ତୁଳି ଓ ମହୁଲ ଫୁଲ ଉତ୍ପାଦନ

ଗୁଣପୁର, ୧୯/୦୬ : କେତେବେଳେ ଅନିଦିଆ ବର୍ଷା ତ ଆଉ କେତେବେଳେ ବର୍ଷା ଅଭାବ । ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରତିବର୍ଷ କମିବାରେ ଲାଗିଛି କାଜୁ ଉତ୍ପାଦନ । କେବଳ କାଜୁ ନୁହେଁ, ତେନ୍ତୁଳି ଓ ମହୁଲ ଫୁଲ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଏସବୁ କାରଣ ପାଇଁ ଡଙ୍ଗର ଉପରେ ଅଧିକ ନିର୍ଭର ନହୋଇ ସହରମୁହାଁ ହେବାରେ ଲାଗିଛନ୍ତି ବିରଳ ଜନଜାତି ଲାଞ୍ଜିଆ ସୌରା ।  ଗୁଣପୁର ପୌର ପରିଷଦ ମଧ୍ୟରେ ୨ରୁ ୩ଟି ବସ୍ତି ସମେତ ଅନ୍ୟାନ୍ୟ ସ୍ଥାନରେ ହଜାରେରୁ ଅଧିକ ଲାଞ୍ଜିଆ ପରିବାର ରହୁଛନ୍ତି । ଏହି ବିରଳ ଜନଜାତିଙ୍କ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା(ଏଲ୍‌ଏସ୍‌ଡିଏ) ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଅର୍ଥ ସିଧାସଳଖ ଲାଞ୍ଜିଆଙ୍କ ପାଖରେ ପହଞ୍ଚିପାରୁନି । 

ଅନ୍ୟପକ୍ଷରେ ସରକାରୀ ଅଧିକାରୀଙ୍କ ପାଇଁ ଏହି ଅର୍ଥ ଲୁଟିବାର ମାଧ୍ୟମ ହୋଇଛି । ଲାଞ୍ଜିଆଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଅନେକ ଯୋଜନା ହେଉଥିଲେ ବି ତାହା ବାସ୍ତବତାଠାରୁ ଅଧିକ ନଥିପତ୍ରରେ ଦେଖାଯାଉଛି । ଶଗଡ଼ା ଓ ପୁଟାସିଂ ମଧ୍ୟରେ ସୀମିତ ରହିଛି ଏଲ୍‌ଏସ୍‌ଡିଏ ।  ଗୁଣପୁର ବ୍ଲକର ଶଗଡ଼ା, ପୁଟାସିଂ, ଆବଡ଼ା, ଜଲତାର, ଟଲଣା, ଚିନ୍ନାସାରି ଓ କୁଲୁସିଂ ଆଦି ୭ଟି ପଞ୍ଚାୟତରେ ପ୍ରାୟ ୬ ହଜାର ୪୭୯ ଲାଜିଂଆ ପରିବାର ବାସ କରୁଛନ୍ତି । ଏହି ଜନଜାତିର ପୁରୁଷମାନେ ବାହାର କାମ, ଚାକିରି କିମ୍ବା ଅନ୍ୟ କିଛି ବୃତ୍ତି କରୁଥିବା ବେଳେ ମହିଳାମାନେ ଡଙ୍ଗରକୁ ଯାଇ ମହୁଲ ଫୁଲ ଗୋଟାଇବା, ଗଛରୁ ତେନ୍ତୁଳି ଝଡ଼ାଇ ଆଣିବା ଓ କାଜୁ ଅମଳ କରିବା ଆଦି କାମ କରୁଛନ୍ତି । ଏମାନଙ୍କ ଆର୍ଥିକ ଅଭିବୃଦ୍ଧିର ମୂଳ ଦାୟିତ୍ୱ ମହିଳାଙ୍କ ଉପରେ ରହିଛି । ୭ଟି ପଞ୍ଚାୟତରେ ୨୯ ହଜାର ୫୫ ହଜାର ଲାଞ୍ଜିଆ ବାସ କରୁଛନ୍ତି । ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଗୋଟିଏ ପରିବାର ସର୍ବନିମ୍ନ ୨ରୁ ୪ କ୍ୱିଣ୍ଟାଲ ଯାଏଁ କାଜୁ ଅମଳ କରି କେଜି ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । ସେହିପରି ଗୋଟିଏ ପରିବାର ସର୍ବନିମ୍ନ ୫ରୁ ୧୦ କ୍ୱିଣ୍ଟାଲ ମହୁଲ ସଂଗ୍ରହ କରି କେଜି ୨୦ରୁ ୩୦ ଟଙ୍କାରେ ବିକୁଛନ୍ତି । ତେନ୍ତୁଳି ବାବଦରେ ପ୍ରାୟ ୨୦ ହଜାର ଟଙ୍କା ରୋଜଗାର କରୁଛନ୍ତି । 

ଏମିତିରେ ଗୋଟିଏ ପରିବାରର ଆୟ ବାର୍ଷିକ ସର୍ବନିମ୍ନ ୧ ଲକ୍ଷ ପର୍ଯ୍ୟନ୍ତ ହେଉଛି । ଯେଉଁ ପରିବାର ଅଧିକ ଡଙ୍ଗର ଚାଷ କରି କାଜୁ କିମ୍ବା ତେନ୍ତୁଳି ଗଛ ଲଗାଇଛି ଏବଂ ପରିବାରରେ ଅଧିକ ଲୋକ ରହୁଛନ୍ତି ସେମାନେ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ଆସିଛି । ବିଶେଷକରି କାଜୁ ଉତ୍ପାଦନ ବର୍ଷକୁ ବର୍ଷ କମିବାରେ ଲାଗିଛି ।  ନିୟନ୍ତ୍ରିତ ବଜାର କମିଟିରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ କୃଷି ବର୍ଷ ଗୁଣପୁରରେ ୨ ଲକ୍ଷ ୮୪ ହଜାର ୫୯୦ କ୍ୱିଣ୍ଟାଲ କାଜୁ ଉତ୍ପାଦନ ହୋଇଛି । ୨୦-୨୧ରେ ୨ ଲକ୍ଷ ୦୭ ହଜାର ୪୫୨ କ୍ୱିଣ୍ଟାଲ, ୨୧-୨୨ରେ ୨୬ ହଜାର ୮୫୯ କ୍ୱିଣ୍ଟାଲ, ୨୨-୨୩ରେ ୧ ଲକ୍ଷ ୩୨ ହଜାର ୦୪୧ କ୍ୱିଣ୍ଟାଲ ଏବଂ ୨୩- ୨୪ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ମାତ୍ର ୫୫ ହଜାର ୨୮୮ କ୍ୱିଣ୍ଟାଲ କାଜୁ ଉତ୍ପାଦନ ହୋଇଛି । ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ କାଜୁ ଉତ୍ପାଦନ କମୁଛି । ସ୍ଥାନୀୟ ଅଞ୍ଚଳରେ ଲାଞ୍ଜିଆ ଚାଷୀଙ୍କଠାରୁ ହିଁ ସିଂହଭାଗ କାଜୁ ଉତ୍ପାଦନ ହେଉଛି । ଏଣୁ ଏହି ଉତ୍ପାଦନ କମିବାର ପ୍ରଭାବ ସେହି ଅଞ୍ଚଳରେ ମଧ୍ୟ ପଡୁଛି । ତେନ୍ତୁଳି ଓ ମହୁଲ ଫୁଲ କ୍ଷେତ୍ରରେ ମଧ୍ୟ ଉତ୍ପାଦନ କମୁଥିବା ଲାଞ୍ଜିଆମାନେ କହିଛନ୍ତି । ପାଣିପାଗ ପରିବର୍ତ୍ତନ, କେବେ ଅଦିନିଆ ବର୍ଷା ତ କେବେ ବର୍ଷା ଅଭାବ ଏସବୁ ପାଇଁ ଉତ୍ପାଦନ କମୁଛି । 

ଏହି କାରଣରୁ ସେମାନେ ଡଙ୍ଗର ଉପରେ ଅଧିକ ନିର୍ଭର ନହୋଇ ସହରମୁହାଁ ହେଉଛନ୍ତି । ସେମାନଙ୍କ କୃଷି, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଓ ସାମାଜିକ ଉନ୍ନତି ପାଇଁ ଏଲ୍‌ଏସ୍‌ଡିଏର ଓପିଲିପି ଅଧୀନରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅଦା, ହଳଦୀ, ମକା, ପିଆଜ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇବା, ମନରେଗାରେ କାଜୁ ଚାରା ଯୋଗାଇବା, ବିଭିନ୍ନ ସ୍ଥାନରେ ଖଳା, ଶୀତଳଭଣ୍ଡାର, ପାନୀୟଜଳର ସୁବିଧା, ବିଦ୍ୟୁତ୍‌କରଣ କରିବା, ସୋଲାର ସୁବିଧା ଯୋଗାଇବା, କୁକୁଡ଼ା ଚାଷ ପାଇଁ ପ୍ରୋତ୍ସାହନ ଦେବା ସହ ଗର୍ଭବତୀ, ମା’ ଓ ନବଜାତ ଶିଶୁଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇବା, ଶିକ୍ଷାଦାନ, ଏସ୍‌ଏଚ୍‌ଜି ମହିଳାଙ୍କୁ ତାଲିମ ଦେବା ପାଇଁ କେତେ ଶହ କୋଟି ଖର୍ଚ୍ଚ ହୋଇଛି ତାହାର ହିସାବ ନାହିଁ । ବାସ୍ତବରେ କିନ୍ତୁ ଲାଞ୍ଜିଆଙ୍କ ଆଖିଦୃଶିଆ ବିକାଶ ହୋଇନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.