ପ୍ରମୂଖ ଖବର
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଫେଡେକ୍ସ ସ୍କାମ୍‌ର ପର୍ଦ୍ଦାଫାସ୍, ପାର୍ସଲ୍‌ରେ ବ୍ରାଉନସୁଗର୍‌ ନାଁରେ ୩୬ ଲକ୍ଷର ଠକେଇ

ଭୁବନେଶ୍ୱର,୧୯/୦୬ : ଆମେ ମୁମ୍ବାଇ ସାଇବର କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ ଅଧିକାରୀ । ଆପଣଙ୍କ ଆଧାରକାର୍ଡରେ ‘ଫେଡେକ୍ସ’ର ଏକ ବ୍ରାଉନ୍‌ସୁଗାର ଭର୍ତ୍ତି ପାର୍ସଲ ମୁମ୍ବାଇରୁ ତାଇୱାନ ଯାଉଥିଲା । ପାର୍ସଲକୁ ଆମେ ଧରିଛୁ । ମାମଲା ରଫାଦଫା ପାଇଁ ଟଙ୍କା ପଠାଅ । ସ୍କାଇପ୍‌ ଓ ହ୍ୱାଟସ୍‌ଆପ୍‌ କଲ୍‌ରେ ଏଭଳି ‘ଡିଜିଟାଲ ଆରେଷ୍ଟ’ର ନାଟକ ରଚି ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଏକ ଫେଡେକ୍ସ ସ୍କାମ୍‌ର ପର୍ଦ୍ଦାଫାଶ୍‌ କରିଛି କମିଶନରେଟ୍‌ ପୁଲିସ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ୫ଜଣ ସଦସ୍ୟଙ୍କୁ କାବୁ କରିଛି । ଏଭଳି ‘ଡିଜିଟାଲ ଆରେଷ୍ଟ’ ଗ୍ୟାଙ୍ଗର ପର୍ଦ୍ଦାଫାଶ ଓଡି଼ଶାରେ ପ୍ରଥମ ବୋଲି ପୁଲିସ ଦର୍ଶାଇଛି । 

ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ଡେଞ୍ଜୋ ଓରଫ୍‌ ଲେଲେଙ୍ଗ ଜୌଭା କାଇପେଙ୍ଗ (୨୮) । ଘର ତ୍ରିପୁରା ଗୋମତି ଜିଲ୍ଲା ଅମରପୁର ଅଞ୍ଚଳରେ । ଅନ୍ୟ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରର ସେକ୍‌ ତାଜୁଦ୍ଦିନ୍‌(୩୮), ଆନ୍ଧ୍ରପ୍ରଦେଶ ମେହବୁବନଗର ଅଞ୍ଚଳର ମୁଚୁମାରି ଚିଟି ବାବୁ (୩୪), ତ୍ରିପୁରା ଗୋମତି ଜିଲ୍ଲାର ଜିତେନ କାଇପେଙ୍ଗ (୨୧) ଏବଂ ଆସାମ ଗୌହାଟୀର ଏଲ୍‌ଭିସ୍‌ ତାରା ଓରଫ୍‌ ଜେମ୍ସ(୩୬) । ପୁଲିସ ସେମାନଙ୍କର ବିଭିନ୍ନ ବେନାମୀ ବ୍ୟାଙ୍କ ଆକାଉଣ୍ଟରୁ ଏଯାବତ୍‌ ୧୨ ଲକ୍ଷ ଟଙ୍କା ଓ ଦେଢ଼ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ସି ଅଚଳ କରିଛି । ଗୋଟିଏ ଦାମୀ କାର୍‌ (ଟିଆର୍‌୦୧ ବିଏମ୍‌ ୦୩୪୧), ୨ଟି ଲାପଟପ୍‌, ୫୬ଟି ଏଟିଏମ୍‌ କାର୍ଡ, ୨୦ଟି ମୋବାଇଲ୍‌, ୩୦ଟି ସିମ୍‌କାର୍ଡ, ପୁଳାପୁଳା ପାସ୍‌ବୁକ ଓ ଚେକ୍‌ ଜବତ କରିଛି । ଏହାସହ ନକଲି ଟେଲିଗ୍ରାମ ଗ୍ରୁପ୍‌, ଟେଲିଗ୍ରାମରେ ଚାର୍ଟ ଓ ଏପିକେ (ଆଣ୍ଡ୍ରଏଡ୍‌ ପ୍ୟାକେଜ) ଫାଇଲ୍‌ର ସ୍କ୍ରିନ୍‌ସଟ୍‌ ମଧ୍ୟ ପ୍ରମାଣ ଆଧାରରେ ସଂଗ୍ରହ କରିଛି ପୁଲିସ । 

ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ମୁତାବକ, ଜଣେ କ୍ଲାସ ୱାନ୍‌ ସରକାରୀ ଅଧିକାରୀ ଏଭଳି ଠକେଇର ଶିକାର ହୋଇଥିଲେ । ଗିରଫ ଅଭିଯୁକ୍ତମାନେ ମୁମ୍ବାଇ ସାଇବର କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ପରିଚୟରେ ଗତ ୭ ତାରିଖରେ ‘୮୧୬୨୫୦୬୫୦୮’ ନମ୍ବରରେ ହ୍ୱାଟସ୍‌ଆପ୍‌ କଲରେ ସରକାରୀ ଅଧିକାରୀଙ୍କୁ ଏମିତି ଧମକାଇଥିଲେ । ତାଙ୍କ ଆଧାରକାର୍ଡରେ ଖୋଲାଯାଇଥିବା ୪ଟି ବ୍ୟାଙ୍କ ଆକାଉଣ୍ଟରେ ବେଆଇନ୍‌ କାର୍ଯ୍ୟକଳାପ ଚାଲିଥିବା ମଧ୍ୟ ଜଣାଇଥିଲେ । ଅଧିକାରୀଜଣକ ଏଥିରେ ବିଚଳିତ ହୋଇପଡି଼ଥିଲେ । ଅନ୍ୟ ସାଇବର ଅପରାଧୀମାନେ ତାଙ୍କୁ ଲଗାତାର ୩ ଦିନ ଧରି ଫୋନ୍‌ କରି ଚାଲିଲେ । ଦାବି ମୁତାବକ ଟଙ୍କା ନ ଦେଲେ, ଜୀବନ ସାରା ଜେଲ୍‌ରେ କାଟିବାକୁ ଧମକ ଦେଲେ । ଏମିତି ଢ଼ଙ୍ଗରେ ସେମାନେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ୩୬ ଲକ୍ଷ ଟଙ୍କା ଆଦାୟ କରିଥିଲେ । ଏସିପି ଅଞ୍ଜନା ଟୁଡୁ କହିଛନ୍ତି, ଅଭିଯୋଗକ୍ରମେ ହ୍ୱାଟସ୍‌ଆପ୍‌ ନମ୍ବର ଓ ସ୍କାଇପ୍‌ କଲ୍‌କୁ ଠାବ କରିବାକୁ ଚେଷ୍ଟା କରିଥିଲୁ । ବେଙ୍ଗାଲୁରୁରୁ ପୁରା ଗ୍ୟାଙ୍ଗ କାର୍ଯ୍ୟ କରୁଥିବା ସୁରାକ୍‌ ମିଳିଥିଲା । 

ମାଷ୍ଟରମାଇଣ୍ଡ ଡେଞ୍ଜୋ ଓ ଜେମ୍‌ସ କିଛି ବିଦେଶୀ ସାଇବର ଅପରାଧୀଙ୍କ ସହ ମିଶି ଠକେଇ ଜାଲ ବିଛାଉଥିଲେ । ଆନ୍ଧ୍ରପ୍ରଦେଶର ୨ ଅଭିଯୁକ୍ତ ତାଜୁଦ୍ଦିନ୍‌, ଚିଟି ବାବୁ ସାଇବର ପୁଲିସ ଅଧିକାରୀ ସାଜି ଲୋକଙ୍କୁ ଡରାଉଥିଲେ । ଅନ୍ୟତମ ଅଭିଯୁକ୍ତ ଜିତେନ୍‌ ଜଣେ ଦଲାଲ୍‌ ଥିଲା । ତା’ କାମ ଥିଲା ବେନାମୀ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରିବା । ପୀଡି଼ତମାନଙ୍କଠାରୁ ଟଙ୍କା ଆଣିବାର ମାଧ୍ୟମ ହେଉଛି ବେନାମୀ ବ୍ୟାଙ୍କ ଆକାଉଣ୍ଟ । ଜଣେ ଭୁବନେଶ୍ୱର ବାସିନ୍ଦାଙ୍କ ପଚିରୟ ପତ୍ରରେ ରସୁଲଗଡ଼ସ୍ଥିତ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସେ ଏକ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା । ଅଭିଯୋଗକାରୀଙ୍କ ୩୬ ଲକ୍ଷ ଟଙ୍କା ସହ ପାଖାପାଖି ଦେଢ଼ କୋଟିରୁ ଅଧିକ ଟଙ୍କା ଏହି ଆକାଉଣ୍ଟରେ ଜମା ହୋଇଥିଲା । ଯେହେତୁ ଅଧିକ ଟଙ୍କା ଉଠାଇବାକୁ ପଡି଼ବ, ମାଷ୍ଟରମାଇଣ୍ଡ ଡେଞ୍ଜୋ ସହ ୪ ଅଭିଯୁକ୍ତ ଟଙ୍କା ଉଠାଇବାକୁ ଭୁବନେଶ୍ୱର ଆସିଥିଲେ । ପୁଲିସ ସେମାନଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ରସୁଲଗଡ଼ରୁ କାବୁ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.