ମାଲକାନଗିରି/କାଲିମେଳା, ୩/୮ : ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ଦ୍ୱାରା କାଙ୍ଗୁରକୋଣ୍ଡା, ପୋଟେରୁ, କନ୍ୟାଶ୍ରମ ପୋଲ ଉପରେ ୩ ରୁ ୪ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସହ ଯାତାୟତ ଠପ୍ ହୋଇଯାଇଛି। ୩୨୬ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପୋଲର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଆଜି ଭୋରୁ ଅଟକ ରହିଛି। ଯାହାଫଳରେ କାଲିମେଳା, ମୋଟୁ ବାହ୍ୟଜଗତରୁ ବିଛିନ୍ନ ସହ ମାଲକାନଗିରି ଜିଲ୍ଲା ହେର୍ଡକ୍ଵାଟର ଠାରୁ ବିଛିନ୍ନ ହୋଇଯାଇଛି।
କାଲିମେଳା କନ୍ୟାଆଶ୍ରମ ପୋଲ ଉପରେ ପାଣି ଚାଲୁଥିବାରୁ କାଲିମେଳା ଠାରୁ ପଡିଆକୁ ମଧ୍ୟ ଯାନବାହନ ଠପ୍ ରହିଛି। ମାଲକାନଗିରି ଠାରୁ ସୀମାନ୍ତ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାଙ୍ଗୁରକୋଣ୍ଡା ଓ ପୋଟେରୁ ପୋଲ ନିକଟରେ ଶତାଧିକ ଲୋକେ ଓ ଯାନବାହନ ଅଟକି ରହିଛି। ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ନୀଚା ପୋଲ ଗୁଡିକ ବୁଡି ଯାଇଥିବାରୁ ମାଲକାନଗିରି, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗନା ଦୁଇ ରାଜ୍ୟକୁ ଯାନବାହନ ଚଳାଚଳ ବନ୍ଦ ରହିଛି।
ଶୁକ୍ରବାର ସକାଳ ୮ଟା ଠାରୁ ଶନିବାର ସକାଳ ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୬. ୬୨ ପ୍ରତିଶତ ମିଲିମିଟର ବର୍ଷା ହୋଇଛି। ମାଲକାନଗିରି ବ୍ଲକରେ ୭୭ ମିଲିମିଟର, ମାଥିଲି ବ୍ଲକରେ ୭୯ମିଲିମିଟର, ଖଇରପୁଟ ବ୍ଲକରେ ୫୩ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୪୯ମିଲିମିଟର, କୋରକୁଣ୍ଡା ବ୍ଲକରେ ୭୭ମିଲିମିଟର, କାଲିମେଳା ବ୍ଲକରେ ୪୬. ୪ମିଲିମିଟର, ପଡିଆ ବ୍ଲକରେ ୯୨ମିଲି ମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡିଛି। ପଡିଆ ବ୍ଲକରେ ସର୍ବାଧିକ ୯୨ ମିଲିମିଟର ବର୍ଷା ହୋଇଥିବାରୁ ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ନଦୀକୂଳ ତଳିଆ ଅଞ୍ଚଳ ଗ୍ରାମ ଗୁଡିକରେ ପ୍ରାକ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଛିନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୋଲ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇ ଲୋକଙ୍କୁ ସେହିବାଟ ଦେଇ ନଯିବାକୁ ବାରଣ କରାଯାଉଛି।
ବର୍ଷା ପାଣିରେ ବୁଡି ଯାଇଥିବା ପୋଲ ନିକଟକୁ ଜିଲ୍ଲାପାଳ ସଚୀନ ପାୱାର, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟନିର୍ବାହୀ ଅଧିକାରୀ ନରେଶ ଶବର, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ଅନ୍ୟାନ ଅଧିକାରୀ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସମସ୍ତ ବିଡ଼ିଓ ଓ ତହସିଲଦାରମାନଙ୍କୁ ନଦୀ କୂଳବର୍ତ୍ତୀ ଅଞ୍ଚଳକୁ ଗସ୍ତ କରି ପରିସ୍ଥିତି ଉପରେ ନଜର ରଖିବା ସହିତ ତଳିଆ ଗ୍ରାମ ଗୁଡିକରେ ଯଦି ବନ୍ୟା ପାଣି ପ୍ରବେଶ କରିଥାଏ ତାହେଲେ ଉକ୍ତ ଗ୍ରାମବାସୀଙ୍କ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳି ଓ ବିଭିନ୍ନ ଉଚ୍ଚ ସ୍ଥାନରେ ରଖିବା ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେଵା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ବର୍ଷା ହେବା ଦ୍ୱାରା ନଦୀନାଳ, ପୋଖରୀରେ ପାଣି ଭରିଯାଇଛି। ବିଶେଷ କରି ମୋଟୁ ସୀମାନ୍ତ ସାବେରୀ, ସିଲେରୁ ନଦୀ ସହିତ ସପ୍ତଧାରା, ପୋଟେରୁ, ତମସା, ପାଙ୍ଗମ, ତର୍ଲାକୋଟା, କାଙ୍ଗୁରକୋଣ୍ଡା, ନଦୀ ଗୁଡିକର ଜଳସ୍ଥର ବୃଦ୍ଧି ପାଇଛି। ପଡିଆ ବ୍ଲକ ମଧ୍ୟ ଦେଇ ଯାଇଥିବା ସାବେରୀ ଓ ପୋଟେରୁ ନଦୀରେ ପ୍ରାକ ବନ୍ୟାଜଳ ପ୍ରବେଶ କରିଥିବାର ଜଣାପଡିଛି। ଦୀର୍ଘ ଦୁଇ ତିନିବର୍ଷ ହେଲା ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମ, ଏମଭି ୭, ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି ୯୬, ନିକଟରେ ଥିବା ନୀଚା ପୋଲ ଗୁଡିକ ଉଚ୍ଚା ପୋଲ କରାଯିବା ପାଇଁ ନିର୍ମାଣ କାମ ଚାଲୁଥିଲେ ମଧ୍ୟ ତାହା ଶେଷ ହୋଇନଥିବାରୁ କମ ବର୍ଷାରେ ଏହି ସବୁ ପୋଲ ବୁଡ଼ିଯାଇ ଯାତାୟତ ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଉଛି। ଠିକ୍ ସେହିପରି ମାଲକାନଗିରି ବାଲିମେଳା ରାସ୍ତାର କୋରକୁଣ୍ଡା, ଏମଭି ୩୭ ତର୍ଲାକୋଟା ନୀଚା ପୋଲକୁ ଉଚ୍ଚାପୋଲ ଭବେ ନିର୍ମାଣ ପାଇଁ ଗତ ତିନିବର୍ଷ ହେଲା କାମ ସରୁ ନଥିବାରୁ ସେହି ପୋଲ ଗୁଡିକ ବୁଡି ଯାଇ ଯୋଗାଯୋଗ ବିଛିନ୍ନ ହୋଇଛି। ଏହିପରି ବର୍ଷା ଲାଗି ରହିଲେ ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।