ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପାର୍ବଣ ଋତୁରେ ଦରଦାମ ଚିନ୍ତା: ରସୁଣ ୪୦୦, ଅଦା ୨୦୦ ଟଙ୍କା, ପରିବା କଥା ନକହିବା ଭଲ...

ଭୁବନେଶ୍ୱର,୦୭/୦୯: ହାଣ୍ଡିଶାଳର ଦରକାରୀ ପଦାର୍ଥଟିଏ ରସୁଣ । ତରକାରୀ ପାଇଁ ହେଉ କି କଞ୍ଚା ଖାଇବା ଏବଂ ଓଷଧ ପାଇଁ ହେଉ ଖୋଜାପଡ଼େ  ରସୁଣ । ମାତ୍ର ଏହି ରସୁଣ କିଲୋ ୪ଶହ ଛୁଇଁଲାଣି । ଖୁଚୁରା ବଜାରରେ ଅଢ଼େଇ ଶହ ଗ୍ରାମକୁ ପଡ଼ୁଛି  ୧୦୦ ଟଙ୍କା । ତେଣୁ ଗ୍ରାହକ ବାଧ୍ୟ ହୋଇ ଶହେ,  ଦେଢ଼ଶହ ଗ୍ରାମ କିଣି ଚଳାଇ ଦେଉଛନ୍ତି । କେବଳ  ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଏବେ  ରସୁଣକୁ ନେଇ କଷଣ ବଢ଼ିଚାଲିଛି । ଅପରପକ୍ଷେ,  ପିଆଜ ଓ ଅଦା ଦର ମଧ୍ୟ ଉଚ୍ଚା ରହିଛି । ଗତ ମାସେ  ହେବ ପିଆଜ କିଲୋ ୫୫ରୁ ୬୦ ଓ ଅଦା କିଲୋ  ୨୦୦ ଟଙ୍କା ରହିଛି । ସେହିପରି ପରିବା ଦର କଥା  ନକହିବା ଭଲ । ପ୍ରାୟ ସବୁ ପରିବା କିଲୋ ୫୦ରୁ  ୬୦ । ଆଳୁ କିଲୋ କେତେବେଳେ ୩୦ ତ ଆଉ  କେତେବେଳେ ୩୫ଟଙ୍କା ହେଉଛି ।  

ପାର୍ବଣ ଋତୁ ଆରମ୍ଭ ହୋଇଗଲା । ଚାରିଆଡ଼େ  ପୂଜାର୍ଚ୍ଚନା ସହିତ ଭୋଜିଭାତ ଆସର ଜମେ ।  ହେଲେ ଦରଦାମ୍‌ର ଏଭଳି ସ୍ଥିତିରେ ଭୋଜି କଥା  ଚିନ୍ତା କଲାବେଳକୁ ଡର ମାଡ଼ୁଛି । ବିଶେଷକରି,  ଆଳୁ ସହ ପିଆଜ, ରସୁଣ ଓ ଅଦା ଗ୍ରାହକଙ୍କୁ  ଅଧିକ କଷ୍ଟ ଦେଉଛି । ପିଆଜ କଥା ଯଦି ଦେଖିବା,  ଆମ ରାଜ୍ୟରେ ଦୈନିକ ୧୫ଶହରୁ ୧୬ଶହ ଟନ୍‌  ପିଆଜ ଆବଶ୍ୟକ ପଡ଼େ । କେବଳ ଭୁବନେଶ୍ୱରରେ  ୩ଶହ ଟନ୍‌ ପିଆଜ ଦରକାର । ବର୍ଷା ଋତୁ ବେଳେ  ନାସିକ୍‌ ଓ ଆନ୍ଧ୍ରପ୍ରଦେଶର କାଡା଼ପଲ୍ଲିଗୁଡେମ୍‌ରୁ ନୂଆ  ବଡ଼ ପିଆଜ ଉତ୍ପାଦନ ହୋଇଥାଏ । ତେଣୁ ନାସିକ  ସହ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜ ଆମର  ଚାହିଦା ମେଣ୍ଟାଇଥାଏ । ଏବେ ଆନ୍ଧ୍ରରେ ପ୍ରବଳ  ବର୍ଷା ଯୋଗୁ ପିଆଜ ଅମଳ ବାଧାପ୍ରାପ୍ତ ହୋଇଛି ।  ତେଣୁ ପିଆଜ ଆସୁନଥିବାରୁ ଆମର ଏଠି ପିଆଜ  ନିଅଣ୍ଟ ପଡ଼ୁଛି । 

ସେହିପରି ନାସିକ୍‌ରେ ପିଆଜର  କୁଇଣ୍ଟାଲ ଦର ୪୩ ଶହରୁ ୪୪ଶହ ଟଙ୍କା ରହିଛି ।  ପରିବହନ ବାବଦରେ ୫ଶହ ଖର୍ଚ୍ଚ ହେବା ବେଳକୁ  ଓଡ଼ିଶାରେ ପହଞ୍ଚିବା କ୍ଷଣି ୫୦ରେ ପିଆଜ ବିକ୍ରି  କରିବାକୁ ବେପାରୀ ବାଧ୍ୟ ହେଉଛନ୍ତି । ରାଜ୍ୟରେ  ବାର୍ଷିକ ୫୦ ହଜାର ଟନ୍‌ ଅଦା ଓ ୪୦ହଜାର  ଟନ୍‌ ରସୁଣ ଆବଶ୍ୟକ । ଓଡ଼ିଶାରେ ରସୁଣ  ଉତ୍ପାଦନ ହେଉନଥିବାରୁ କାନପୁର ଓ ଗୁଜରାଟରୁ  ରସୁଣ ଆସୁଥିବା ବେଳେ କୋରାପୁଟ, ବାଙ୍ଗାଲୋର  ଓ ସିମିଳିଗୁଡ଼ାରୁ ଅଦା ଆସେ । ତେବେ ବର୍ଷା ଦିନେ  ଅଦା, ରସୁଣ ଦର ସାଧାରଣତଃ ଅଧିକ ରହେ ବୋଲି  ବ୍ୟବସାୟୀମାନେ କହୁଛନ୍ତି । ରାଜଧାନୀ ବ୍ୟତୀତ  କଟକରେ ରସୁଣ ଦର ମଧ୍ୟ ୩୬୦ରୁ ୩୮୦ ଟଙ୍କା  ରହିଥିଲା । ବଲାଙ୍ଗିରରେ ଅଦା ଦର ୧୬୦, ରସୁଣ  ଦର ୩୨୦ ଓ ପିଆଜ ଦର ୬୦ ଟଙ୍କା ଥିବା ବେଳେ  ସମ୍ବଲପୁରରେ ରସୁଣ ୩୬୦, ଅଦା ୨୬୦ ଟଙ୍କା  ଥିଲା । ରାଉରକେଲାରେ ରସୁଣ ୩୦୦ ଓ ଅଦା ୧୭୦  ସହ ନବରଙ୍ଗପୁରରେ ଅଦା କିଲୋ ୧୬୦, ରସୁଣ  ୨୮୦ରୁ ୩୦୦ ଓ ପିଆଜ କିଲୋ ୫୫ଟଙ୍କା ଥିଲା ।   

ଏନେଇ କଟକ ଛତ୍ରବଜାରର ବରିଷ୍ଠ ବ୍ୟବସାୟୀ  ଦେବରାଜ ସାହୁ କହିଛନ୍ତି, ରସୁଣର ପାଇକାରୀ ଦର  କଟକରେ ୩ ଶହ ଟଙ୍କା ରହିଛି । ପୂର୍ବରୁ ଆମେ  ଗୁଜରାଟରୁ ରସୁଣ ଆଣୁଥିଲୁ । ହେଲେ ବର୍ଷା ଯୋଗୁ  ଏବେ ମଧ୍ୟପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି ।  ସେଠାରେ ଦର ଅଧିକ ଥିବାରୁ ପ୍ରଭାବ ସିଧାସଳଖ  ଓଡ଼ିଶା ଉପରେ ପଡ଼ୁଛି । ଜାନୁଆରୀ ବେଳକୁ ନୂଆ  ରସୁଣ ଆସିଲେ ଦର କମିଯିବ । ରାଜ୍ୟ ବ୍ୟବସାୟୀ  ମହାସଂଘ ସଚିବ ସୁଧାକର ପଣ୍ଡା କହିଛନ୍ତି, ଦର ବୃଦ୍ଧି  ପାଇଁ ଅନେକ କର୍ପୋରେଟ୍‌ ହାଉସ ଦାୟୀ । ଯେଉଁ  ଖାଦ୍ୟ ସାମଗ୍ରୀର ଅଭାବ ପଡ଼ୁଛି ସେସବୁର ମନଇଚ୍ଛା  ହୋର୍ଡିଂ କରି ସେମାନେ ଦର ବଢ଼ାଉଛନ୍ତି । ସରକାର  ଏଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.